ଶ୍ରୀକ୍ଷେତ୍ରର ପ୍ରସିଦ୍ଧ ଯମନିକ ତୀର୍ଥ ଶ୍ରୀଜମ୍ବେଶ୍ୱର ମନ୍ଦିର

ଜମ୍ବେଶ୍ୱର ମହାଦେବ ଦେଉଳ (ବା ଜମେଶ୍ୱର, ଯମେଶ୍ୱର, ଜମସର) ପୁରୀର ପାଞ୍ଚଗୋଟି ପ୍ରମୁଖ ଶୈବପୀଠ ମଧ୍ୟରୁ ଅନ୍ୟତମ । ଜମ୍ବେଶ୍ୱର ପଞ୍ଚୁପାଣ୍ଡବଙ୍କ ମଧ୍ୟରୁ ଅନ୍ୟତମ ଓ ଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ମଦନମୋହନଙ୍କ ସଙ୍ଗେ ଚନ୍ଦନ ଯାତ ବେଳେ ନରେନ୍ଦ୍ରକୁ ଚାପଖେଳ କରି ଯାଆନ୍ତି । ସ୍ଥାନୀୟ ବିଶ୍ୱାସରେ ପଞ୍ଚୁପାଣ୍ଡବଙ୍କ ମଧ୍ୟରୁ ଜମ୍ବେଶ୍ୱର ଯୁଧିଷ୍ଠିର ଅଟନ୍ତି ।ଜମ୍ବେଶ୍ୱର ଅଧା ବିଷ୍ଣୁ ଓ ଅଧା ଶିବ ଅର୍ଥାତ୍ ହରିହର ରୂପରେ ପରିକଳ୍ପିତ ।
ଗୌଡ଼ବାଡ଼ ସାହିର ଶେଷ ମୁଣ୍ଡରେ ବଡ଼ଦେଉଳର ନୈଋତ ଦିଗରେ ଜମ୍ବେଶ୍ୱରଙ୍କ ଦେଉଳ ଅବସ୍ଥିତ ।

କଥିତ ଅଛି ଯେ ଥରେ ଯମ ଶିବଙ୍କ ସମାଧି ଭଙ୍ଗ କରିବାକୁ ଚେଷ୍ଟା କରିବାକୁ ଶିବ ତାଙ୍କ ସଙ୍ଗେ ଯୁଦ୍ଧ କରି ପରାଜିତ କରନ୍ତି।ଯମ ଉପରେ ବିଜୟ ପ୍ରାପ୍ତ କରିଥିବାରୁ ଶିବ ଯମେଶ୍ୱର ରୂପେ ପରିଚିତ । ଏହାଙ୍କ ପ୍ରଭାବରୁ ପୁରୀ କ୍ଷେତ୍ରରେ ଯମଙ୍କ ଭୟ ନ ଥାଏ । ବାଈଶି ପାହାଚ ସଙ୍ଗେ ମଧ୍ୟ ଜମ୍ବେଶ୍ୱର ଙ୍କ ସମ୍ପର୍କ ରହିଛି । ପୂର୍ବକାଳରେ ରାଜା ଭାନୁଦେବ ଶାସନ କରୁଥିଲେ। ରାଜାଙ୍କର ସନ୍ତାନ ନ ଥିବାରୁ ସେ ଜମ୍ବେଶ୍ୱରଙ୍କୁ ଅର୍ଚ୍ଚନାକରି ପୁତ୍ରଟିଏ ପାଇଥିଲେ । କିନ୍ତୁ ଜମ୍ବେଶ୍ୱର ସ୍ୱପ୍ନାଦେଶ ଦେଇଥିଲେ ଯେ ନବଜାତ ଶିଶୁଟି ୨୨ ବର୍ଷ ବୟସ ଯାଏଁ ହିଁ ବଞ୍ଚିବ । ଏହାଶୁଣି ରାଜା ପୁଣିଥରେ ଜମ୍ବେଶ୍ୱରଙ୍କୁ ଗୁହାରି କରନ୍ତେ ସ୍ୱପ୍ନାଦେଶ ହେଲା ଯେ ବଡ଼ଦେଉଳରେ ବାଈଶି ଗୋଟି ପାହାଚ ନିର୍ମାଣ କରାଇ ସେଥିରେ ଶିଶୁକୁ ଗଡ଼ାଇଲେ ଆୟୁ ବଢ଼ିଯିବ। ରାଜାଏହିପରି କରିଥିଲେ ଓ ଏହି କାରଣରୁ ଏଯାବତ ଛୋଟ ପିଲାଙ୍କୁ ବାଈଶି ପାହାଚରେ ଗଡ଼ାଇବା ଏକ ରୀତି ହୋଇଆସୁଛି ।

ଜମ୍ବେଶ୍ୱରଙ୍କ ଦେଉଳ ବିମାନ, ଜଗମୋହନ, ଭୋଗମଣ୍ଡପ ଓ ନାଟମଣ୍ଡପ ଏହି ଚାରି ଭାଗରେ ବିଭକ୍ତ । ଦେଉଳଟି ପୂର୍ବମୁହାଁ ଓ ବର୍ତ୍ତମାନ ୬.୪ ମିଟର ତଳେ ଅବସ୍ଥିତ । ଅତି ପ୍ରାଚୀନ ହୋଇ ଥିବାରୁ ଓ ବାହ୍ୟ ପଟେ ଚୂନର ମୋଟା ପରସ୍ତ ଥିବାରୁ ବେଶୀ କିଛି କାରୁକାର୍ଯ୍ୟ ଦେଖିହୁଏନାହିଁ । ଚୂନ ପରସ୍ତ ତଳେ ଖୋଦେଇ କାମ ଥିବା ସମ୍ଭବ । ଦେଉଳ ପ୍ରାଙ୍ଗଣରେ ଏକ ଖୁଣ୍ଟ ସଦୃଶ ରହିଛି ଯହିଁରେ ଏକପାଦ ଭୈରବଙ୍କ ବିଗ୍ରହ ଖୋଦିତ ।

ମନ୍ଦିରର ମୁଖ୍ୟ ପର୍ବ ପର୍ବାଣି ମଧ୍ୟରେ ମହା ଶିବରାତ୍ରି ଓ ଶୀତଳ ଷଷ୍ଠୀ। କାର୍ତ୍ତିକ ଶୁକ୍ଳ ଦ୍ୱିତୀୟା ଦିନ ଏଠାରେ ଯମଦ୍ୱିତୀୟା ପାଳିତ ହୁଏ । ରାଧାଷ୍ଟମୀ ଦିନ ଶ୍ରୀମନ୍ଦିରରୁ ସୁଦର୍ଶନ ଜମ୍ବେଶ୍ୱର ଙ୍କ ଠାରେ ବିଜେ ହୁଅନ୍ତି ।ଏହା ବ୍ୟତୀତ ଅନ୍ୟାନ୍ୟ ପର୍ବପର୍ବାଣି ମଧ୍ୟ ପାଳିତ ହୁଏ, ଯଥା ସାଗରବିଜେ, ଆଶ୍ରମବିଜେ, ଚମ୍ପକ ଦ୍ୱାଦଶୀ, ଶ୍ରାବଣ ପୂର୍ଣ୍ଣିମା ଓ ଆଶ୍ୱିନ ପୂର୍ଣ୍ଣିମା ।

Comments are closed.