ନ୍ୟାୟିକ ସେବା ଶିକ୍ଷାନବିଶମାନଙ୍କର ପ୍ରଶାସନିକ ବ୍ୟବସ୍ଥା ସହ ପରିଚୟ ପରିଦର୍ଶନ ନାଗରିକ ହିଁ ପ୍ରଶାସନର କେନ୍ଦ୍ରବିନ୍ଦୁ ଏବଂ ସର୍ବଶ୍ରେଷ୍ଠ – ମୁଖ୍ୟ ଶାସନ ସଚିବ 

ଭୁବନେଶ୍ୱର: ନ୍ୟାୟିକ ସେବା ଶିକ୍ଷାନବିଶମାନଙ୍କର ପ୍ରଶାସନିକ ବ୍ୟବସ୍ଥା ସହ ସିଧାସଳଖ ପରିଚୟ ନିମନ୍ତେ ରାଜ୍ୟ ଲୋକସେବା ଭବନକୁ ଦିନିକିଆ ପରିଦର୍ଶନ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ପରୀପ୍ରେକ୍ଷୀରେ ଲୋକସେବା ଭବନ କନ୍‌ଭେନ୍‌ସନ୍ ସେଣ୍ଟରଠାରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା ।

ଏହି ଆଲୋଚନା ଚକ୍ରକୁ ଉଦ୍‌ଘାଟନ କରି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ଯେ ଗଣତାନ୍ତ୍ରିକ ବ୍ୟବସ୍ଥାରେ ନାଗରିକ ହିଁ ପ୍ରଶାସନର କେନ୍ଦ୍ରବିନ୍ଦୁ ଏବଂ ସର୍ବଶ୍ରେଷ୍ଠ । ଗଣତନ୍ତ୍ରର ୪ଟି ସ୍ତମ୍ଭ ଲୋକମାନଙ୍କ ଆଶା ଆକାଂକ୍ଷା ପୂରଣ କରିବାକୁ କାର୍ଯ୍ୟକରନ୍ତି । ଲୋକମାନଙ୍କ ଦ୍ବାରା ନିର୍ବାଚିତ ଜନପ୍ରତିନିଧି ଏବଂ ବିଧାୟକମାନେ ଲୋକମାନଙ୍କ ଆଶା ଆକାଂକ୍ଷା ବିଷୟ ନିର୍ଦ୍ଧାରଣ କରିବାରେ ସଠିକ୍ ଭୂମିକା ନିଭାଇଥାଆନ୍ତି । କାରଣ ଲୋକମାନଙ୍କ ସହ ସେମାନଙ୍କର ସିଧାସଳଖ ଯୋଗାଯୋଗ ଥାଏ , ଏବଂ ସମସ୍ତ ପ୍ରକାର ସୁବିଧା ଅସୁବିଧା ସହ ସେମାନେ ଲୋକମାନଙ୍କ ଗହଣରେ ବସବାସ କରନ୍ତି । ତେଣୁ ବ୍ୟବସ୍ଥାପକ ସଭାଦ୍ବାରା ପ୍ରଣୀତ ଆଇନ୍ ଲୋକମାନଙ୍କର ଆଶା ଆକାଂକ୍ଷାକୁ ପ୍ରତିଫଳନ କରେ । ସେସବୁର ପୁରଣ ନିମନ୍ତେ କାର୍ଯ୍ୟନିର୍ବାହୀ ବ୍ୟବସ୍ଥା ଜନସାଧାରଣଙ୍କ ସେବକଭାବେ କାର୍ଯ୍ୟକରେ ।

ଶ୍ରୀ ମହାପାତ୍ର ଆହୁରି ମଧ୍ୟ କହିଥିଲେ ରାଜ୍ୟର ସର୍ବୋଚ୍ଚ ଅଧିକାରୀଙ୍କଠାରୁ ଆରମ୍ଭକରି ଗ୍ରାମସ୍ତରରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ଜନସାଧାରଣଙ୍କ ସେବକ । ନିର୍ଦ୍ଧାରିତ ନିୟମ ଅନୁଯାୟୀ ସମଭାବରେ ସମସ୍ତଙ୍କୁ ସଠିକ୍ ସେବା ଯୋଗାଇବା ସମସ୍ତଙ୍କର ମୁଖ୍ୟ କାମ । ଏହି ମୂଲ୍ୟବୋଧ ଭିଭିରେ ରାଜ୍ୟରେ ‘ ମୋ ସରକାର ‘ ଏବଂ ୫ଟି ବ୍ୟବସ୍ଥା ଆରମ୍ଭ କରାଯାଇଛି । ‘ ମୋ ସରକାର’ର ମୁଳତତ୍ତ୍ଵ ହେଉଛି ପ୍ରତିଟି ନାଗରିକଙ୍କୁ ଅନୁଭବ କରାଇବା ଯେ ଚାଲୁଥିବା ବ୍ୟବସ୍ଥା ହେଉଛି ମୋର ସରକାର । ଏହି ବ୍ୟବସ୍ଥା ମୋ ପାଇଁ କାମ କରୁଛି । ନାଗରିକଙ୍କ ମନରେ ଏହି ବିଶ୍ବାସ ଓ ଭରଷା ସୃଷ୍ଟି ହେଲେ କାର୍ଯ୍ୟନିର୍ବାହୀମାନଙ୍କ ପାଇଁ କର୍ତ୍ତବ୍ୟ ସଂପାଦନ ସହଜ ହେବ । ତେଣୁ ସଠିକ୍ ଏବଂ ସମୟୋପଯୋଗୀ ସେବା ଯୋଗାଣ ମାଧ୍ୟମରେ ନାଗରିକମାନଙ୍କ ଆଶା ଆକାଂକ୍ଷା ପୁରଣ ପାଇଁ କାର୍ଯ୍ୟନିର୍ବାହୀ ସର୍ବଦା ଚେଷ୍ଟାରତ ରହିଛି ।

ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପ୍ରମୁଖ ଶାସନ ସଚିବ ସୁରେନ୍ଦ୍ର କୁମାର କହିଥିଲେ ଯେ ପ୍ରଶାସନିକ ବ୍ୟବସ୍ଥାର ସଂରଚନା ଏବଂ କାର୍ଯ୍ୟପଦ୍ଧତି ବିଷୟରେ ବାସ୍ତବ ଜ୍ଞାନ ଆଇନ୍ ସେବା ପ୍ରଦାନରେ ସହାୟକ ହେବ । ତେଣୁ ଏହି ଆଲୋଚନାରେ ବିଭିନ୍ନ ବିଭାଗର କାର୍ଯ୍ୟ ପ୍ରଣାଳୀ ଯୋଜନା ଏବଂ ନୀତିନିୟମକୁ ସାମିଲ କରାଯାଇଛି ।

ଆଇନ୍ ବିଭାଗ ଭାରପ୍ରାପ୍ତ ଶାସନ ସଚିବ ପ୍ରତାପ କୁମାର ପାତ୍ର କହିଥିଲେ ଯେ ଆଇନ୍ ସେବା ଶିକ୍ଷାନବିଶମାନେ ନିଜ ମନରେ କୌଣସି ବ୍ୟକ୍ତି ବା ବ୍ୟବସ୍ଥା ପ୍ରତି ଥିବା ପୂର୍ବ ଅବଧାରଣକୁ ମନରୁ ପୋଛିଦେଇ ବ୍ୟବସ୍ଥାର ବାସ୍ତବ କାର୍ଯ୍ୟକରିବା ଶୈଳୀକୁ ବୁଝନ୍ତୁ । ପ୍ରଶାସନିକ ବ୍ୟବସ୍ଥାର ମୂଳ ଲକ୍ଷ୍ୟ ହେଉଛି ସଠିକ୍‌ଭାବେ ନିର୍ଦ୍ଧାରିତ ସେବାଯୋଗାଣ ଏବଂ ବ୍ୟବସ୍ଥାରେ କାର୍ଯ୍ୟରତ ସମସ୍ତ ଅଧିକାରୀ ଏହି ଲକ୍ଷ୍ୟ ପାଇଁ ସମର୍ପିତ । ଯେ ପର୍ଯ୍ୟନ୍ତ ଜଣେ ବ୍ୟକ୍ତି ବା ଅଧିକାରୀଙ୍କ ବିରୁଦ୍ଧରେ ନିର୍ଭରଯୋଗ୍ୟ ପ୍ରାମାଣିକ ତଥ୍ୟ ନମିଳିଛି ସେ ପର୍ଯ୍ୟନ୍ତ ସମସ୍ତଙ୍କୁ ସଟ ଏବଂ ସମର୍ପିତ ବୋଲି ଆମକୁ ଗ୍ରହଣ କରିବାକୁ ହେବ । ଏହି ଆଲୋଚନା ଚକ୍ରରେ ସମୁଦାୟ ୭ଟି ବୈଠକ ଅନୁଷ୍ଠିତ ହୋଇଥିଲା । ପଂଚାୟତିରାଜ ଓ ପାନୀୟ ଜଳ ଯୋଗାଣ ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା , ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ , ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଶାସନ ସଚିବ ମନୋଜ କୁମାର ମିଶ୍ର , ମୁଖ୍ୟ ଶାସନ ସଚିବଙ୍କ ସ୍ବତନ୍ତ୍ର ଭାରପ୍ରାପ୍ତ ଅଧିକାରୀ ଦିଲୀପ କୁମାର ରାଉତରାଏ , କ୍ରାଇମ୍‌ବ୍ରାଞ୍ଚ୍ ଆ.ଜି., ଅମିତେନ୍ଦ୍ର ନାଥ ସିହ୍ନା ପ୍ରମୁଖ ଶିକ୍ଷାନବିଶମାନଙ୍କୁ କାର୍ଯ୍ୟନିର୍ବାହୀ ବ୍ୟବସ୍ଥାର ବିଭିନ୍ନ ଅଙ୍ଗ ବିଷୟରେ ସବିଶେଷ ଅବଧାରଣା ଦେଇଥିଲେ ।

ଏଥିରେ ମୁଖ୍ୟତଃ ସରକାରୀ କର୍ମଚାରୀଙ୍କ ପାଇଁ ବ୍ୟବହାର ବିଧ୍ , ସରକାରୀ କାର୍ଯ୍ୟ ସଂପାଦନ ନିୟମ , ସେବା ସର୍ଭାବଳୀ , ପ୍ରମୁଖ ସମାଜମଙ୍ଗଳକାରୀ ଓ ଉନ୍ନୟନମୂଳକ ଯୋଜନା , ପଂଚାୟତିରାଜ ବ୍ୟବସ୍ଥାର କାର୍ଯ୍ୟବିସ୍ , ଲୋକସେବା ଭବନର କାର୍ଯ୍ୟପଦ୍ଧତି , ବିଭିନ୍ନ ମକଦ୍ଦମାରେ ପୋଲିସ୍ ଅଧିକାରୀଙ୍କ ଭୂମିକା ଓ ଦାୟିତ୍ଵ , ଅପରାଧ ଅନୁସନ୍ଧାନ ପଦ୍ଧତି , ସମନ୍ବିତ ମକଦ୍ଦମା ପରିଚାଳନା ବ୍ୟବସ୍ଥା , ସୂଚନା ଓ ପ୍ରଯୁକ୍ତି ବ୍ୟବସ୍ଥାର ପ୍ରୟୋଗରେ ସଠିକ୍ ସେବାଯୋଗାଣ ପଦ୍ଧତି , ୫ – ଟି ଓ ମୋ ସରକାର ବ୍ୟବସ୍ଥା , ବଜେଟ୍ ପ୍ରସ୍ତୁତି ପ୍ରକ୍ରିୟା , ବିଭିନ୍ନ ଯୋଜନା ଓ ପ୍ରକଳ୍ପ ନିମନ୍ତେ ଅର୍ଥ ଆବଣ୍ଟନ ପଦ୍ଧତି ଏବଂ ଆବଣ୍ଟିତ ଅର୍ଥର ଉପଯୁକ୍ତ ବିନିଯୋଗ ବ୍ୟବସ୍ଥା ଆଦି ବିଷୟରେ ଆଲୋଚନା ହୋଇଥିଲା ।

Comments are closed.