ଶୈବ ଉପାସନାର ମହାନ ପୀଠ ଓଡ଼ିଶାର ଆଖଣ୍ଡଳମଣି ମନ୍ଦିର

ଆଖଣ୍ଡଳମଣି ମନ୍ଦିର ଓଡ଼ିଶାର ଭଦ୍ରକ ଜିଲ୍ଲାର ଆରଡ଼ିଠାରେ ଅବସ୍ଥିତ ଏକ ପ୍ରଧାନ ଶୈବ ପିଠ । ଏହା ବୈତରଣୀ ନଦୀ କୂଳରେ ଆରଡ଼ିଠାରେ ଓ ଭଦ୍ରକ ସହରଠାରୁ ୪୦ କି.ମି. ଦୂରରେ ଅବସ୍ଥିତ । ବୈତରଣୀ ଓ ସାଳନ୍ଦୀ ନଦୀଦ୍ୱୟର ସଙ୍ଗମସ୍ଥଳରେ ଆଖଣ୍ଡଳେଶ୍ୱର ବା ଆଖଣ୍ଡଳମଣି ବା ବାବାମଣିଙ୍କ ମନ୍ଦିର ଅବସ୍ଥିତ ।

ତତ୍କାଳିନ ଜମିଦାର ନିଳାଦ୍ରୀ ସମରସିଂହ ଦିନେ ନିଜ ଜମିରେ ହଳ କରିବା ନିମନ୍ତେ ଅନନ୍ତ ନାମକ ଜଣେ ହଳୁଆକୁ ନିର୍ଦ୍ଦେଶ ଦେଇଥିଲେ । ଅନନ୍ତ କିଛି ସମୟ ହଳ ବୁଲାଇବା ପରେ ହଠାତ ଲଙ୍ଗଳ ମୁନଟି ମାଟିତଳେ ଥିବା ଏକ ବସ୍ତୁରେ ବାଜି ଭାଙ୍ଗି ଯାଇଥିଲା । ତ‌ତ୍‌କ୍ଷଣାତ୍ ଆକାଶରେ କଳାବଦଲ ଛାଇଗଲା, ପ୍ରଚଣ୍ଡ ଘଡ଼ଘଡ଼ି ସ‌ହ ବିଜୁଳି ଚକିବାରେ ଲାଗିଲା । ଲୁହାରେ ନିର୍ମିତ ଫାଳଟି ଭାଙ୍ଗିଯିବା ସ‌ହିତ ପ୍ରକୃତିର ଅବସ୍ଥାର ହଠାତ୍ ପରିବର୍ତ୍ତନରେ ଆତଙ୍କିତ ହୋଇଯାଇଥିବା ଅନନ୍ତ ବସ୍ତୁଟିର ଚାରିକଡ଼ର ମାଟି ଆଡ଼େଇଲା । ଏକ କଳା ମୁଗୁନି ପଥର ଦେହରୁ ରକ୍ତର ଧାର ବୈତରଣୀ ନ‌ଦୀ ଆଡ଼କୁ ବୋହୁଯାଉଥିବାର ଦେଖିଲା ।ଏହାପରେ ସେ ଯାଇ ଜମିଦାରଙ୍କୁ ସମସ୍ତ ବୃତ୍ତାନ୍ତ ଜଣାଇଲା । ଜମିଦାର ସମରସିଂହ କିଛି ଗ୍ରାମବାସୀଙ୍କୁ ନେଇ ଘଟଣାସ୍ଥଳରେ ପହଞ୍ଚିଲେ । ସେତେବେଳେ ଆଃ ଶବ୍ଦ ରଡ଼ି କରି ବାବା ଆଖଣ୍ଡଳମଣି ଶିବଲିଙ୍ଗ ରୂପରେ ବିଦ୍ୟମାନ ହେଲେ । ଆଃ ଶବ୍ଦ ରଡ଼ି କରିଥିବାରୁ ସେହି ସ୍ଥାନର ନାମ ଆରଡ଼ି ହୋଇଛି । ସେହି ଲିଙ୍ଗଟିରେ ଏକ କ୍ଷତ ହୋଇଯାଇଥିଲା ଏବଂ ସେହି ସ୍ଥାନରୁ ରକ୍ତ ଝରୁଥିବାର ସମସ୍ତେ ଦେଖିଲେ ଏବଂ ଶିବଙ୍କର ମସ୍ତକ ଉପରେ ଖିର ବର୍ଷା ହେବା ସ‌ହ ସେଠାରେ ଏକ ନାଗ ସେହି ଖିରରେ ଗାଧୋଉଥିଲା । ସେଦିନ ରାତିରେ ଜମିଦାରଙ୍କୁ ସ୍ୱପ୍ନରେ ଜଣେ ସାଧୁ ତାଙ୍କର ସମାଧିସ୍ତ କାହାଣୀ ବିଷୟରେ ଜଣାଇଲେ । ସେ ଦ୍ୱାପର ଯୁଗରୁ ଅଖଣ୍ଡଳେଶ୍ୱର ଭାବରେ ସମାଧିସ୍ତ ଥିଲେ । ସେହି ଲଙ୍ଗଳର ଫାଳ ବାଜିବା ଫଳରେ ସେ ଲିଙ୍ଗ ରୂପରେ ଅବିର୍ଭାବ ହେଲେ । ଏହା ପରଠାରୁ ଖଣ୍ଡମଣ୍ଡଳର ଇଶ୍ୱର ଭାବରେ ମହାପ୍ରଭୁ ଆଖଣ୍ଡଳେଶ୍ୱର ବା ଆଖଣ୍ଡଳମଣି ବା ବାବାମଣି ଭାବେ ସର୍ବଜନବିଦିତ ହେଲେ ।
ଭଗବାଙ୍କର ଇଚ୍ଛାନୁସାରେ ସେ ଶିବଲିଙ୍ଗର ସ୍ଥାପନ କଲେ । ପୂଜା କରିବା ନିମନ୍ତେ ଯାଜପୁରର ନହରା ଗ୍ରାମରୁ ପାଞ୍ଚଜଣ ବ୍ରାହ୍ମଣଙ୍କୁ ଅଣାଗଲା । ଏକ ତାଳପତ୍ର ଛତାରେ ଶିବଲିଙ୍ଗକୁ ସୁରକ୍ଷା ଦିଆଯାଉଥିଲା । କିଛି ଦିନ ପରେ ଜମିଦାରଜଣକ ଗାଆଁଲୋକଙ୍କର ସାହାଯ୍ୟରେ କାଠରେ ଏକ ମନ୍ଦିର ନିର୍ମାଣ କଲେ । ଅଳ୍ପଦିନ ମଧ୍ୟରେ ଭଗବାନ ଆଖଣ୍ଡଳେଶ୍ୱରଙ୍କ ଅଲୌକିକତା ସାରା ଦେଶରେ ପ୍ରଚାର ହେଲା ଏବଂ ବିଭିନ୍ନ ସ୍ଥାନରୁ ଶ୍ରାଦ୍ଧାଳୁମାନଙ୍କର ସମାଗମ ହେଲା । ଏହି ସ୍ଥାନଟିକୁ ଭଗବାନଙ୍କର ଆଶୀର୍ବାଦ ଭାବରେ ଗଣାଗଲା ।

ସେହିସମୟରେ ରାଜକନିକାର ରାଜା ହରିହର ଭଞ୍ଜଦେଓ ଏକ ଘତକ ଚକ୍ଷୁରୋଗରେ ପିଡ଼ୀତ ହୋଇଥିଲେ । ସବୁକିଛି ଚିକିତ୍ସା ବିଫଳ ହେଲା । ଭଗବାନ ଆଖଣ୍ଡଳେଶ୍ୱରଙ୍କର ଆଶୀର୍ବାଦ ତାଙ୍କର ଏହି ରୋଗକୁ ଭଲ କରିଦେଇପାରିବ ବୋଲି ସେ ଭାବିଲେ, ତେଣୁ ସେ ଆସି ଆଖଣ୍ଡଳେଶ୍ୱରଙ୍କ ପାଖରେ ଅଧିଆ ପଡ଼ିଲେ । ଭଗବାନ ଆଖଣ୍ଡଳେଶ୍ୱର ତାଙ୍କର ସ୍ୱପ୍ନରେ ଆସି ତାଙ୍କୁ ସେହି ରୋଗର ଉପଚାର ବିଷୟରେ ପଥ ପ୍ରଦର୍ଶନ କରିଥିଲେ । ଶେଷରେ ଭଗବାନଙ୍କର ଆଶୀର୍ବାଦରେ ରାଜା ଆରୋଗ୍ୟଲାଭ କଲେ । ତାଙ୍କର ମାନସିକ ଅନୁସାରେ ସେ ଭଗବାନ ଆଖଣ୍ଡଳେଶ୍ୱରଙ୍କର ଏକ ପଥର ମନ୍ଦିର ନିର୍ମାଣ କରିବାକୁ ଚେଷ୍ଟା କଲେ । ଆରଡ଼ି ଭଳି ଏକ ସୁନ୍‌ଶାନ କ୍ଷେତ୍ରରେ ଏବେ ମଧ୍ୟ ଏକ ପଥର ମନ୍ଦିର ନିର୍ମାଣ କରିବା କଷ୍ଟର କାମ । ପଥର ଖଣ୍ଡ ଏବଂ ଚୂନର ବ୍ୟବ‌ହାରରେ ହିଁ ପକ୍କା ମନ୍ଦିର ନିର୍ମାଣ ହୋଇପାରୁଥିଲା । ଆରଡ଼ିଠାରୁ ୧୦୦ କିଲୋମିଟର ଦୂର ନୀଳଗିରି ପାହାଡ଼ରେ ହିଁ ସେହି ପଥର ଉପଲବ୍ଧ ଥିଲା । ବୈତରଣୀ ନ‌ଦୀର ଜଳପଥ ମାଧ୍ୟମରେ ଏହି ପଥର ଖଣ୍ଡଗୁଡ଼ିକୁ ଆରଡ଼ି ଯାଏ ବୋହି ବୋହି ନିଆଗଲା । ରାଜା ମନ୍ଦିର ନିର୍ମାଣ କରିବା ପାଇଁ ସମସ୍ତ ପ୍ରାରମ୍ଭିକ ଆୟୋଜନ କରିଦେଇଥିଲେ । ଏହାପରେ ସେଠାରେ ସେ ଶିବଗଙ୍ଗା ନାମକ ଏକ ପୁଷ୍କରଣୀ ଖୋଳାଇଥିଲେ । ପୁଷ୍କରଣୀ ସ‌ହ ନ‌ଦୀକୁ ସଂଯୋଗ କରିବା ଏକ ନାଳ ମଧ୍ୟ ଖୋଳାଇଥିଲେ, ଯାହା ଏବେ ଶିବ ମହର ନାମରେ ନାମିତ । ଏହି ନାଳଟି ମନ୍ଦିର ନିର୍ମାଣ ପଥର ନେବାଆଣିବା କରିବା କାମରେ ଲାଗିଲା । ୧୮୩୯ ଶତାବ୍ଦୀରେ ରାଜା ହରିହର ଭଞ୍ଜଦେଓଙ୍କ ବିୟୋଗ ପରେ ସ୍ୱାମୀରଦ୍ୱାରା ଆରମ୍ଭ ହୋଇଥିବା ମନ୍ଦିର ନିର୍ମାଣ କାର୍ଯ୍ୟ ରାଣୀ ସତ୍ୟଭାମା ପାଟମହାଦେଈଙ୍କଦ୍ୱାରା ଶେଷ ହୋଇଥିଲା ।

Comments are closed.