ଆଜିଠୁ ପଞ୍ଚାୟତ ଭୋଟ ଗଣତି, ୮୫୨ ଜିଲ୍ଲା ପରିଷଦ ଆସନରେ ୩୪୦୭ ପ୍ରାର୍ଥୀଙ୍କ ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ

ଭୁବନେଶ୍ୱର- ଆଜିଠୁ ୩ଦିନ ଧରି ପଂଚାୟତ ନିର୍ବାଚନର ଭୋଟଗଣତି ହେବ । ଆଜି ରାଜ୍ୟର ସମସ୍ତ ୩୧୪ଟି ବ୍ଲକ ମୁଖ୍ୟାଳୟରେ ସକାଳ ୮ଟାରୁ ଆରମ୍ଭ ହେବ ଭୋଟ ଗଣତି । ପ୍ରତ୍ୟେକ ୱାର୍ଡର ଭୋଟ୍ ଗଣତି ପରେ ମାଇକ୍ ଯୋଗେ ଫଳାଫଳ ଘୋଷଣା କରାଯିବ । ୩୬ ହଜାର ୯୭୬ଜଣ ପ୍ରାର୍ଥୀ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇସାରିଛନ୍ତି ।

ଏଥର ଭୋଟ ଗଣତି ପାଇଁ ହୋଇଥିବା ବ୍ୟବସ୍ଥା ଅନୁସାରେ, ପ୍ରଥମ ଦିନ ସମସ୍ତ ୩୧୪ଟି ବ୍ଲକର ଜିଲ୍ଲା ପରିଷଦ ଜୋନ୍ ନମ୍ବର ୧ରେ ଭୋଟଗଣତି ହେବ । ଏହି ଜୋନ୍ ଅନ୍ତର୍ଗତ ସମସ୍ତ ପଂଚାୟତର ସରପଂଚ,ସମିତି ସଭ୍ୟ ଓ ୱାର୍ଡମେମ୍ବର ନିମନ୍ତେ ଭୋଟଗଣତି ହେବ । ଗୋଟିଏ ଜୋନ୍ ଅଧୀନରେ ଯେତିକି ପଂଚାୟତ ଥିବ ସେହି ପରିମାଣର ଗଣତି ଟେବୁଲର ବ୍ୟବସ୍ଥା ହୋଇଛି । ପ୍ରଥମେ ୱାର୍ଡମେମ୍ବର, ତା’ପରେ ସରପଂଚ ଓ ସମିତି ସଭ୍ୟ ଏବଂ ଶେଷରେ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଭୋଟ ଗଣତି ହେବ । ପ୍ରତି ୱାର୍ଡର ଗଣତି ସରିବା ପରେ ମାଇକ ଯୋଗେ ତାହା ଘୋଷଣା କରାଯିବ । ଜିଲ୍ଲା ପରିଷଦ ଭୋଟ ଫଳାଫଳ ରାଜ୍ୟ ନିର୍ବାଚନ କମିଶନର ୱେବପୋର୍ଟାଲ ‘ପରିଣାମ’ରେ ଉପଲବ୍ଧ ହେବ । ଏଥିପାଇଁ ପ୍ରତ୍ୟେକ ଭୋଟଗଣତି କେନ୍ଦ୍ରରେ ୨୪ଘଣ୍ଟିଆ ବିଦ୍ୟୁତ ଓ ଇଣ୍ଟରନେଟ୍ ବ୍ୟବସ୍ଥା ସହ ଲ୍ୟାପଟପ୍ ରହିବ । ପ୍ରତ୍ୟେକ ଦିନ ପାଇଁ ଧାର୍ଯ୍ୟ ଜୋନ୍ ୱାରି ଭୋଟ ଗଣତି ନସରିବା ପର୍ଯ୍ୟନ୍ତ ତାହା ବନ୍ଦ ହେବ ନାହିଁ ।

ରାଜ୍ୟର ମୋଟ ୮୫୩ଟି ଜିଲ୍ଲା ପରିଷଦ ଜୋନ୍ ମଧ୍ୟରୁ ବରଗଡ଼ ଜିଲ୍ଲାର ଆମ୍ବୋଭୋନା ବ୍ଲକର ଦୁଇ ନମ୍ବର ଜୋନର ବିଜେଡି ପ୍ରାର୍ଥୀ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଥିବାବେଳେ ବାକି ୮୫୨ଟି ଜିଲ୍ଲା ପରିଷଦ ଜୋନରେ ମୋଟ ୩୪୦୭ଜଣ ପ୍ରାର୍ଥୀ ମଇଦାନରେ ଅଛନ୍ତି ।

ପାଂଚ ପର୍ଯ୍ୟାୟ ପଂଚାୟତ ନିର୍ବାଚନ ଫେବୃୟାରୀ ୧୬ରୁ ୨୪ତାରିଖ ପର୍ଯ୍ୟନ୍ତ ଚାଲିଥିଲା । ରାଜ୍ୟର ୨କୋଟି ୭୯ଲକ୍ଷ ୩୫ହଜାର ୫୨୫ଜଣ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବାର ଥିବାବେଳେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୭୭.୨%, ଦ୍ୱିତୀୟ ପର୍ଯ୍ୟାୟରେ ୭୮.୩%, ତୃତୀୟ ପର୍ଯ୍ୟାୟରେ ୭୮.୬% ଓ ଚତୁର୍ଥ ପର୍ଯ୍ୟାୟରେ ୭୯% ଓ ପଂଚମ ପର୍ଯ୍ୟାୟରେ ୭୬% ମତଦାନ ରେକର୍ଡ କରାଯାଇଛି ।

Comments are closed.