ପଙ୍କୋଦ୍ଧାର ଏକାଦଶୀ, ବର୍ଷରେ ଗୋଟିଏ ଦିନ ମିଳିଥାଏ ଶ୍ରୀକ୍ଷେତ୍ରରେ ଶ୍ରୀଲୋକନାଥଙ୍କ ଦର୍ଶନ

ଫାଲଗୁନ କୃଷ୍ଣ ଏକାଦଶୀକୁ ପଙ୍କୋଦ୍ଧାର ଏକାଦଶୀ ବା ବିଜୟା ଏକାଦଶୀ କୁହାଯାଏ । ଏହିବିଜୟା ଏକାଦଶୀ ବ୍ରତକଲେ ମଣିଷ ଶତ୍ରୁକୁ ବିଜୟ କରିପାରେ ବୋଲି ବିଶ୍ୱାସ ରହିଛି।ପୁରାଣ କଥା ଅନୁଯାୟୀ ସୀତା ହରଣବେଳେ ରାମଚନ୍ଦ୍ର ବାନରସେନା ସହ ସମୁଦ୍ରର ଉତ୍ତର ତୀରରେ ପହଞ୍ଚି ରାବଣପରି ବଳବାନ ଶତ୍ରୁ ଓ ସାଗରର ଗମ୍ଭୀରତା ନେଇ ଚିନ୍ତିତହୋଇ ପଡ଼ିଥିଲେ।ସମୁଦ୍ର କୁ କିପରି ପାରହେବେ ସେଥିଲାଗି ଉପାୟ ଖୋଜିବାବେଳେ ଜଣେ ମୁନିଙ୍କ ପରାମର୍ଶରେ ଶ୍ରୀରାମଚନ୍ଦ୍ର ଏହିବିଜୟା ଏକାଦଶୀବ୍ରତ ପାଳନ କଲେ। ବ୍ରତର ପ୍ରଭାବରେ ସେ ସମୁଦ୍ରପାର ହୋଇ ରାବଣ ବଧ କରିଥିବାର ବିଶ୍ୱାସ ରହିଛି ।ଶ୍ରୀକ୍ଷେତ୍ର ଦେଇ ସିଏ ଲଙ୍କା ଯାତ୍ରା କରିବା ସମୟରେ ଶ୍ରୀକ୍ଷେତ୍ରରେ କିଛି ଦିନ ନିବାସ କରିଥିଲେ। ଏହି ସମୟରେ ଏକ ଲାଉକୁ ଶିବଲିଙ୍ଗ ଜ୍ଞାନ କରି ଉପାସନା କରି ଥିଲେ। ତେଣୁ ପ୍ରଥମେ ଏହାଙ୍କୁ ଲାଉନାଥ କୁହାଯାଉଥିଲା। ପରବର୍ତ୍ତୀ ସମୟରେ ସିଏ ଲୋକନାଥ ନାମରେ ନାମିତ ହୋଇଥିବା ଜଣାଯାଏ।

ବର୍ଷକେଥରେ କେବଳ ପଙ୍କୋଦ୍ଧାର ଏକାଦଶୀ ଦିନ ଏହି ଲିଙ୍ଗରୁପୀ ଶ୍ରୀଲୋକନାଥଙ୍କ ଖୋଲା ଦର୍ଶନ ମିଳିଥାଏ ।ଏଠାରେ ବର୍ଷସାରା ଲୋକନାଥ ଙ୍କ ଶ୍ରୀଲିଙ୍ଗ ପାଣି ଭିତରେ ବୁଡ଼ି ରହିଥାନ୍ତି। ଏକାଦଶୀ ଦିନ ଶ୍ରୀଲୋକନାଥଙ୍କ ଦ୍ବୀପହର ଧୂପ ନୀତି ଶେଷ ପରେ ଗର୍ଭଗୃହରୁ ଏହିଦିନ ଜଳ ନିଷ୍କାସନ କରାଯିବା ସହ ପଙ୍କୋଦ୍ଧାର କରା ଯାଇଥାଏ । ତେଣୁ ସ୍ଥାନୀୟ ମତରେ ଏହାକୁ ପଙ୍କୋଦ୍ଧାର ଏକାଦଶୀ କୁହାଯାଏ। ଏହିଦିନ ଭଗବାନ ଶ୍ରୀରାମଙ୍କ ଦ୍ଵାରା ପ୍ରତିଷ୍ଠିତ ଶ୍ରୀଲୋକନାଥଙ୍କ ପ୍ରତ୍ୟକ୍ଷ ଦର୍ଶନ ମିଳିଥାଏ। ଏହାର କିଛି ଘଣ୍ଟା ପରେ ଶ୍ରୀଲିଙ୍ଗ ଙ୍କ ମସ୍ତକରୁ ଝରୁଥିବା ଜଳ ରେ ଗମ୍ଭୀରା ଜଳପୂର୍ଣ୍ଣ ହୋଇ ଲିଙ୍ଗ ବୁଡି ଯାଆନ୍ତି। ଏହି ଅଲଭ୍ୟ ଦର୍ଶନ ପାଇଁ ଉକ୍ତ ଦିନ ପୁରୀ ଲୋକନାଥ ମନ୍ଦିର ରେ ପ୍ରବଳ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଥାଏ।

Comments are closed.