ଶ୍ରେୟସଙ୍କ ହ୍ୟାଟ୍ରିକ୍ ଅର୍ଦ୍ଧଶତକ, ଭାରତର ପୁଣି ଏକ ୩-୦ ସିରିଜ୍ ସୁଇପ୍‌

ଧର୍ମଶାଳା: ଶ୍ରେୟସ ଆୟରଙ୍କ ହ୍ୟାଟ୍ରିକ୍ ତଥା ଅପରାଜିତ ଅର୍ଦ୍ଧଶତକ ସହାୟତାରେ ଭାରତ ରବିବାର ଅନୁଷ୍ଠିତ ତୃତୀୟ ଓ ଅନ୍ତିମ ଟି୨୦ରେ ମଧ୍ୟ ଶ୍ରୀଲଙ୍କାକୁ ଧରାଶାୟୀ କରିଛି । ଭାରତ ୬ ୱିକେଟରେ ଏହି ମ୍ୟାଚକୁ ଜିତିବା ସହ ତିନି ମ୍ୟାଚ୍ ବିଶିଷ୍ଟ ସିରିଜକୁ ୩-୦ରେ କ୍ଲିନ୍ ସୁଇପ୍ କରିଛି । କ୍ୟାପଟେନ୍ ଦାସୁନ ଶନକାଙ୍କ ବିସ୍ଫୋରକ ଇନିଂସ୍ ସହାୟତାରେ ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ୫ ୱିକେଟ୍ ବିନିମୟରେ ୧୪୬ ରନ୍ କରିଥିଲା । ଭାରତ ଏହି ବିଜୟଲକ୍ଷ୍ୟକୁ ୧୬.୫ ଓଭରରେ ମାତ୍ର ୪ ୱିକେଟ୍ ହରାଇ ହାସଲ କରିନେଇଥିଲା । ଭାରତ ପାଇଁ ପୁଣି ଶ୍ରେୟସ ହିରୋ ସାଜିଥିଲେ । ଶ୍ରେୟସ୍ କେବଳ ୪୫ଟି ବଲରେ ୯ଟି ଚୌକା ଓ ଗୋଟିଏ ଛକା ସହ ଅପରାଜିତ ୭୩ ରନ୍ କରିଥିଲେ । ସିରିଜରେ ଏହା ତାଙ୍କର କ୍ରମାଗତ ତୃତୀୟ ଅର୍ଦ୍ଧଶତକ ଥିଲା । ଏହାଛଡା ସେ ଏହି ସିରିଜରେ ଥରେ ବି ଆଉଟ୍ ନ ହେବାର ବିରଳ ସଫଳତା ହାସଲ କରିଥିଲେ । ସିରିଜରେ ସେ ମୋଟ ୨୦୪ ରନ୍ ସହ ଅଗ୍ରଣୀ ସ୍କୋରର ମଧ୍ୟ ହୋଇଛନ୍ତି । ଏହି ମୁମ୍ବାଇ ବ୍ୟାଟ୍ସମ୍ୟାନ୍ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ସହ ସିରିଜ୍ ବିବେଚିତ ହୋଇଥିଲେ ।

ଟି୨୦ ଫର୍ମାଟରେ ଭାରତର ଏହା କ୍ରମାଗତ ୧୨ତମ ବିଜୟ । ଏହାଛଡ଼ା ଭାରତ କ୍ରମାଗତ ଦ୍ୱିତୀୟ ଥର ତିନି ମ୍ୟାଚ୍ ବିଶିଷ୍ଟ ସିରିଜକୁ ୩-୦ରେ କ୍ଲିନ୍ ସୁଇପ୍ କରିଛି । ଏହା ପୂର୍ବରୁ ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜକୁ ମଧ୍ୟ ଭାରତ ୩-୦ରେ ପୋଛି ନେଇଥିଲା ।

ଶ୍ରୀଲଙ୍କା ପ୍ରଦତ୍ତ ୧୪୭ ରନର ବିଜୟଲକ୍ଷ୍ୟ ଜବାବରେ ଅଧିନାୟକ ରୋହିତ ଶର୍ମା ଶୀଘ୍ର ଆଉଟ୍ ହୋଇଯାଇଥିଲେ । ସେ ମାତ୍ର ୫ ରନ୍ କରି ଚାମିରାଙ୍କ ଶିକାର ହୋଇଥିଲେ । ଆହତ ଇଶାନ କିଶନଙ୍କ ସ୍ଥାନରେ ଇନିଂସ୍ ଓପନ୍ କରିଥିବା ସଞ୍ଜୁ ସାମସନ ୧୨ଟି ବଲରେ ୧୮ ରନ୍ କରି ପ୍ୟାଭିଲିୟନ୍ ଫେରି ଯାଇଥିଲେ । ୫୧ ରନରେ ଦୁଇଟି ୱିକେଟ୍ ହରାଇବା ପରେ ଶ୍ରେୟସ୍ ଓ ଦୀପକ ହୁଡା (୨୧) ତୃତୀୟ ୱିକେଟରେ ୪୮ ରନ୍ ଯୋଗକରି ପାଳି ସମ୍ଭାଳିଥିଲେ । ହୁଡା ଆଉଟ୍ ହେବା ପରେ ଆୟରଙ୍କ ସହ ମିଶି ରବୀନ୍ଦ୍ର ଜାଡେଜା ଔପଚାରିକତା ପୂରଣ କରିଥିଲେ । ଜାଡେଜା ୧୫ଟି ବଲରେ ୩ଟି ଚୌକା ସହ ୨୨ ରନ୍ କରି ଅପରାଜିତ ରହିଥିଲେ ।ପୂର୍ବରୁ ଶ୍ରୀଲଙ୍କା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ୪ଟି ପରିବର୍ତ୍ତନ ସହ ଓହ୍ଲାଇଥିବା ଭାରତ ଭ୍ରମଣକାରୀ ଦଳର ଏହି ନିଷ୍ପତ୍ତିକୁ ଭୁଲ୍ ପ୍ରମାଣିତ କରିଥିଲା। ଭାରତୀୟ ବୋଲରମାନେ ଆରମ୍ଭରୁ ଶ୍ରୀଲଙ୍କା ବ୍ୟାଟରଙ୍କୁ ନିୟନ୍ତ୍ରଣରେ ରଖିଥିଲେ। ଶ୍ରୀଲଙ୍କାର ଚାରି ଟପ୍ ଅର୍ଡର ଯଥା ପାଥୁମ୍ ନିଶାଙ୍କ (୧), ଦନୁସ୍କା ଗୁଣତିଳକ (୦), ଚରିତ ଅସଲଙ୍କା (୪) ଓ ଜନିଥ ଲିୟାନାଗେ (୯) ଦୁଇଅଙ୍କ ଛୁଇଁ ପାରିନଥିଲେ।

୨୯ ରନରେ ୪ ୱିକେଟ୍ ହରାଇ ଶ୍ରୀଲଙ୍କା ସଂକଟରେ ପଡ଼ିଥିବା ବେଳେ କ୍ୟାପଟେନ୍ ଶନକା ଓ ଅଭିଜ୍ଞ ଦିନେଶ ଚାଣ୍ଡିମଲ୍ କିଛି ସମୟ କ୍ରିଜରେ ବିତାଇଥିଲେ। ଚାଣ୍ଡିମଲ୍ (୨୫) ପୁଣିଥରେ ନିରାଶ କରିଥିଲେ। ଚାଣ୍ଡିମଲଙ୍କ ଆଉଟ୍ ବେଳକୁ ଶ୍ରୀଲଙ୍କା ୧୨.୧ ଓଭରରେ ୬୦ ରନ୍ କରିଥିଲେ। ତେବେ ଏହି ସମୟାରେ ଶନକାଙ୍କୁ ଭରପୂର ସାଥ୍ ଦେଇଥିଲେ ଚମିକା କରୁଣାରତ୍ନେ। ଦୁହେଁ ୪୭ ବଲରେ ୮୬ ରନର ଭାଗିଦାରୀ କରି ଦଳକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ। ଶନକା ମାତ୍ର ୩୮ ବଲ୍ ଖେଳି ୭୪ ଓ କରୁଣାରତ୍ନେ ୧୨ ରନ୍ କରି ଅପରାଜିତ ଥିଲେ। ଭାରତ ପକ୍ଷରୁ ଆଭେଶ ଖାନ୍ ୨ଟି ୱିକେଟ୍ ନେଇଥିବା ବେଳେ ମହମ୍ମଦ ସିରାଜ, ହର୍ଷଲ୍ ପଟେଲ ଓ ରବି ବିଷ୍ଣୋଇ ଗୋଟିଏ ଲେଖାଏ ୱିକେଟ୍ ହାସଲ କରିଥିଲେ।

Comments are closed.