ଶେଷ ହେବ ଯୁଦ୍ଧ? ରୁଷ ସହ‌ କଥାବାର୍ତ୍ତା ପାଇଁ ରାଜି ହେଲା ୟୁକ୍ରେନ

ମସ୍କୋ: ରୁଷ ଏବଂ ୟୁକ୍ରେନରେ ଚାଲିଥିବା ଯୁଦ୍ଧ କ୍ରମାଗତ ଭାବେ ନୂଆ ଅଞ୍ଚଳକୁ ବ୍ୟାପୁଛି। କିଭ୍ ଏବଂ ଖାର୍କିଭରେ ରୁଷ ଏବଂ ୟୁକ୍ରେନ ସୈନ୍ୟ ମଧ୍ୟରେ ଲଢ଼େଇ ଚାଲିଛି। ଏହି ସମୟରେ ୟୁକ୍ରେନ ବେଲାରୁଷର ରାଜଧାନୀ ମିଙ୍କ୍ସରେ ରୁଷ ସହିତ କଥାବାର୍ତ୍ତା କରିବାକୁ ରାଜି ହୋଇଛି। ରୁଷର ଗଣମାଧ୍ୟମ ଦାବି କରିଛି ଯେ ୟୁକ୍ରେନ ମଧ୍ୟ ଏହାର ପ୍ରତିନିଧୀ ଦଳକୁ ମିଙ୍କ୍ସ ପଠାଇବାକୁ ରାଜି ହୋଇଛି। ଏହାପୂର୍ବରୁ ୟୁକ୍ରେନ ସରକାର ରୁଷ ସହ କଥାବାର୍ତ୍ତା ପାଇଁ ବେଲାରୁଷ ପରିବର୍ତ୍ତେ ଅନ୍ୟ ଦେଶ ବାଛିବା ପାଇଁ ସର୍ତ୍ତ ରଖିଥିଲେ।

ରୁଷର ସରକାରୀ ଗଣମାଧ୍ୟମ ଆରଟି ଅନୁଯାୟୀ, ରୁଷର ମୁଖ୍ୟ ବାର୍ତ୍ତକାର ଭ୍ଲାଦିମିର ମୋଡିଙ୍କ୍ସି କହିଛନ୍ତି ଯେ ଗୋମେଲ ଅଞ୍ଚଳରେ କିଭ୍ ଆଲୋଚନା ପାଇଁ ରାଜି ହୋଇଛନ୍ତି। ଏହି ଅଞ୍ଚଳ ଉଭୟ ରୁଷ ଏବଂ ୟୁକ୍ରେନର ସୀମା ନିକଟରେ | ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହକାରୀ ତଥା ପୂର୍ବତନ ସଂସ୍କୃତି ମନ୍ତ୍ରୀ ମୋଡିଙ୍କ୍ସି କହିଛନ୍ତି ଯେ ଲଜିଷ୍ଟିକ୍ସ ଏବଂ ଶିଖର ସମ୍ମିଳନୀର ପ୍ରକୃତ ସ୍ଥାନ ଉପରେ ଉଭୟ ପକ୍ଷ ନିଷ୍ପତ୍ତି ନେଉଛନ୍ତି। ଏହି ସମୟ ମଧ୍ୟରେ ୟୁକ୍ରେନ ଦଳକୁ ସର୍ବାଧିକ ସୁରକ୍ଷା ଦିଆଯିବ | ଯାତ୍ରା ମାର୍ଗ ଶତପ୍ରତିଶତ ସୁରକ୍ଷିତ ରହିବ । ଆମେ ୟୁକ୍ରେନ ପ୍ରତିନିଧି ଦଳ ପାଇଁ ଅପେକ୍ଷା କରିବୁ ବୋଲି ସେ କହିଛନ୍ତି।

ରୁଷର ଏକ ପ୍ରତିନିଧୀ ଦଳ ୟୁକ୍ରେନ ସହ ଆଲୋଚନା ପାଇଁ ପୂର୍ବରୁ ହିଁ ଗୋମେଲରେ ପହଞ୍ଚି ସାରିଛନ୍ତି। ପରେ କିଭ୍ କହିଥିଲା ଯେ ଏହା ଏକ ନିରପେକ୍ଷ ଦେଶରେ ଆଲୋଚନା କରିବାକୁ ଚାହୁଁଛି। ୟୁକ୍ରେନ ରାଷ୍ଟ୍ରପତି ଅଭିଯୋଗ କରିଥିଲେ ଯେ ରୁଷର ସୈନ୍ୟମାନେ ୟୁକ୍ରେନ ଉପରେ ଆକ୍ରମଣ କରିବା ପାଇଁ ବେଲାରୁଷର ମାଟି ବ୍ୟବହାର କରୁଛନ୍ତି। ଅବଶ୍ୟ ବେଲାରୁଷ ଏହି ଅଭିଯୋଗକୁ ଖଣ୍ଡନ କରିଥିଲା ।

Comments are closed.