ୟୁକ୍ରେନର ଖେରସନ ସହରକୁ କବଜା କରିଥିବା ନେଇ ରୁଷର ଦାବି

ମସ୍କୋ: ରୁଷର ପ୍ରତିରକ୍ଷା ମନ୍ତ୍ରଣାଳୟ ଦାବି କରିଛି ଯେ ଏହାର ସୈନ୍ୟବାହିନୀ ଦକ୍ଷିଣ ୟୁକ୍ରେନର ଖେରସନ ସହରକୁ କବଜା କରି ନେଇଛନ୍ତି।

ଯଦି ଏହି ସହର ଉପରେ ୟୁକ୍ରେନ ନିୟନ୍ତ୍ରଣ ହରାଇଛି, ତେବେ ରୁଷ ଅଧୀନରେ ଏଯାବତ୍ ଏହା ୟୁକ୍ରେନର ସବୁଠାରୁ ବଡ ସହର ହେବ |

ମଙ୍ଗଳବାର ରାତିରେ ରୁଷର ସୈନିକ ମାନଙ୍କୁ ଖେରସନ ସହରର ଗଳିକନ୍ଦିରେ ଦେଖିବାକୁ ମିଳିଥିଲା। ସହରର ମେୟର କହିଛନ୍ତି ଯେ ରୁଷର ସୈନ୍ୟମାନେ ରେଳ ଷ୍ଟେସନ ଏବଂ ଖେରସନ ବନ୍ଦରକୁ କବଜା କରିଛନ୍ତି।

ଆଜି ୟୁକ୍ରେନ ଏବଂ ରୁଷ ମଧ୍ୟରେ ଯୁଦ୍ଧର ସପ୍ତମ ଦିନ | ରୁଷର ଆକ୍ରମଣରେ ୟୁକ୍ରେନରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ୟୁକ୍ରେନର କିଛି ଅଞ୍ଚଳ ମଧ୍ୟ ରୁଷର ନିୟନ୍ତ୍ରଣରେ ଅଛି । କିନ୍ତୁ ରାଜଧାନୀ କିଭ୍ ଉପରେ ୟୁକ୍ରେନ ନିୟନ୍ତ୍ରଣ ବଜାୟ ରଖିଛି। ଏହି ସହରକୁ ମଧ୍ୟ ରୁଷ ନିଜ କବଜରେ ନେବାକୁ ଉଦ୍ୟମ କରୁଛି । କିଭକୁ ଚାରି ପଟେ ଘରି ରହିଛନ୍ତି ରୁଷ ସେନା ।

ଏହି ସମୟରେ ସୋମବାର ଦିନ ଦୁଇ ଦେଶର ମୁଖ୍ୟଙ୍କ ମଧ୍ୟରେ ଏକ ରାଉଣ୍ଡ ଆଲୋଚନା ମଧ୍ୟ ଅନୁଷ୍ଠିତ ହୋଇଥିଲା।

ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେଂସ୍କି ୟୁକ୍ରେନ ଉପରେ ଆକ୍ରମଣକୁ ରୋକିବା ପାଇଁ ରୁଷ ରଖିଥିବା ସର୍ତ୍ତକୁ ଗ୍ରହଣ କରିବାକୁ ମନା କରି ଦେଇଛନ୍ତି। ଏହା ପରେ ରୁଷ ୟୁକ୍ରେନ ଉପରେ ଆକ୍ରମଣକୁ ତୀବ୍ର କରିଛି। ୟୁକ୍ରେନର ଦ୍ୱିତୀୟ ବୃହତ୍ତମ ସହର ଖାର୍କିଭରେ ମଧ୍ୟ କ୍ଷେପଣାସ୍ତ୍ର ଆକ୍ରମଣ ହୋଇଛି।

Comments are closed.