ଭାରତୀୟ ଦୁର୍ଗ ( କିଲ୍ଲା) ଇତିହାସର ମୂକସାକ୍ଷୀ ଅଶିରଗଡ ଦୁର୍ଗ। ଅଶ୍ୱତ୍ଥାମାଙ୍କ ଶିବପୂଜନ ସ୍ଥଳୀ

ମଧ୍ୟପ୍ରଦେଶର ବୁରହାନପୁର ସହରଠାରୁ ୧୨ କିଲୋମିଟର ଦୂରସ୍ଥ ସତପୁରା ରେଞ୍ଜଠାରେ ରହିଛି ଐତିହାସିକ ଅଶିରଗଡ ଦୁର୍ଗ। । ପୂର୍ବେ ଏହି ଦୁର୍ଗ ମଧ୍ୟ ଦେଇ ସତପୁରାକୁ ସଂଯୋଗକାରୀ ରାସ୍ତା ଥିବାରୁ ଏହା ନର୍ମଦା ନଦୀର ଉପତ୍ୟକା ଓ ତାପ୍ତି ନଦୀର ଉପତ୍ୟକାକୁ ସଂଯୋଗ କରିବାର ବାଟ ଥିଲା । ଉତ୍ତର ଭାରତରୁ ଡେକାନ ଅଞ୍ଚଳକୁ ସଂଯୋଗ ହୋଇଥିବାରୁ ଏହା ପୁରାତନ କାଳରେ ‘ ଡେକାନକୁ ଚାବିକାଠି ‘ ନାମରେ ପରିଚିତ ଥିଲା । ମୋଗଲରାଜୁତି ସମୟରେ ଅଶିରଗଡ ଠାରୁ ଡେକାନ ରାଜ୍ୟର ଆରମ୍ଭ ହୋଇଛି ବୋଲି କୁହା ଯାଉଥିବା ବେଳେ ଅଶିରଗଡରୁ ଦିଲ୍ଲୀଯାଏ ଥିବା ଅଞ୍ଚଳକୁ ହିନ୍ଦୁସ୍ତାନ ସାମ୍ରାଜ୍ୟ କୁହାଯାଉଥିଲା ।

କୁହାଯାଏ ଅଶିରଗଡ ଦୁର୍ଗ ଆସା ଆହିର ନାମକ ଜଣେ ଜମିଦାରଙ୍କ ଦ୍ୱାରା ୧୫ଶ ଶତାବ୍ଦୀରେ ନିର୍ମାଣ ହୋଇଥିଲା । ପରେ ସେ ଖାନଦେଶର ନାସିର ଖାନଙ୍କଦ୍ୱାରା ନିହତ ହେଇଥିଲେ ।
ନାସିର ଖାନଙ୍କ ଦାୟାଦ ମିରାନ ବାହାଦୁର ଖାନ ( ୧୫୯୬-୧୬୦୦) ନିଜକୁ ସ୍ୱାଧୀନ ଘୋଷଣା କଲେ ଓ ମୋଗଲ ସମ୍ରାଟ ଆକବର ଓ ତାଙ୍କ ପୁତ୍ର ଦାନିୟାଲଙ୍କୁ ସମ୍ମାନ କରିବାକୁ ଅସ୍ୱୀକାର କଲେ । ଫଳରେ ଆକବର ତାଙ୍କ ସୈନ୍ୟବାହିନୀ ସହ ବୁରହାନପୁର ଦିଗକୁ ଅଗ୍ରସର ହୋଇ ଏହାକୁ ୧୫୯୯ ମସିହାରେ ଦଖଲ କରିନେଲେ । ଏହା ପରେ ଆକବର ୧୬୦୧ ମସିହାରେ ଅଶିରଗଡ ଦୁର୍ଗ ଆକ୍ରମଣକରି ଏହାକୁ ନିଜଅକ୍ତିଆରକୁ ଜାନୁଆରୀ ୧୭ରେ ଆଣିଥିଲେ ।

୧୮ ଶ ଶତାବ୍ଦୀରେ ଏହା ମରାଠାମାନଙ୍କ ଅଧୀନରେ ଥିଲା । ସେତେବେଳେ ଦ୍ୱିତୀୟ ଆଙ୍ଗ୍ଲୋ- ମରାଠା ଯୁଦ୍ଧ ଚାଲିଲା ଓ ବ୍ରିଟିଶ ସେନା ବାହିନୀ ଅଶିରଗଡ ଦୁର୍ଗ ବାହାର ଆଞ୍ଚଳକୁ ୨ଜଣ ସେନାଙ୍କୁ ହରେଇ ୧୮ ଅକ୍ଟୋବରରେ ଅଧିକାର କରିନେଇଥିଲେ । ସେମାନେ ଦୁର୍ଗକୁ ଘେରେଇ ରଖିଲେ । ୨୧ ଅକ୍ଟୋବରରେ ଯେତେବେଳେ ବ୍ରିଟିଶ ବାହିନୀ ଦୁର୍ଗକୁ ଭାଙ୍ଗିବାକୁ ଗୋଳା ବାରୁଦ ପ୍ରୟୋଗ କରିବାକୁ ଗଲେ ଦୁର୍ଗ ଭିତରେ ଥିବା ମରାଠା ସୈନ୍ୟଦଳ ବାଧ୍ୟ ହେଇ ଆତ୍ମସମର୍ପଣ କଲେ।

ଦୁର୍ଗର ସ୍ଥାପତ୍ୟ ଶୈଳୀ ମୋଗଲ ସ୍ଥାପତ୍ୟ ଶୈଳୀ ସହ ସାମଞ୍ଜସ୍ଯ ଥିଲା । ଏହି ମୋଗଳ ସ୍ଥାପତ୍ୟ ପ୍ରକୃତରେ ଇସ୍ଲାମିକ , ପାର୍ସିଆନ , ତୁର୍କିସ ଓ ଭାରତୀୟ ସ୍ଥାପତ୍ୟ ଶୈଳୀର ସମ୍ମିଶ୍ରଣ । ଦୁର୍ଗ ଭିତରେ ୩ଟି ପୁଷ୍କରିଣୀ ଖୋଦିତ ହେଇଥିଲା ।
ଏହା ପାଖରେ ଗୁପ୍ତେଶ୍ୱର ମହାଦେବ ମନ୍ଦିର ରହିଛି , ଯାହାର ଆରାଧ୍ୟ ଦେବତା ଶିବ ।

ଜନଶ୍ରୁତି ରହିଛି ଯେ ମହାଭାରତର ଚର୍ଚ୍ଚିତ ଚରିତ୍ର ଅଶ୍ୱତ୍ଥାମା ସେଠାରେ ଥିବା ମନ୍ଦିରକୁ ଶିବ ଉପାସନା ପାଇଁ ଆସୁଥିଲେ ଓ ଫୁଲ ନୈବେଦ୍ୟ ଦେଇ ପ୍ରତ୍ୟହ ସକାଳେ ପୂଜା ଅର୍ଚନା କରୁଥିଲେ ।
ବିଶ୍ୱାସ ରହିଛି ଚିରଞ୍ଜିବି ଅଶ୍ୱତ୍ଥାମା ଆଜିବି ପ୍ରତ୍ୟହ ଆସି ଏଠାରେ ଶିବ ଉପାସନା କରୁଛନ୍ତି। ଯାହାର ସଦ୍ୟତମ ପ୍ରମାଣ କିଛି ଅନିସନ୍ଦିତ୍ସୁଙ୍କ କ୍ୟାମେରାରେ କଏଦ ହୋଇ ଯାଇଛି। ଏହି ଘଟଣାଟି ସେତେବେଳେ ଘଟିଥିଲା ଯେତେବେଳେ ମଧ୍ୟ ରାତ୍ରରେ ମନ୍ଦିର ଜନଶୁନ୍ୟ ହୋଇ ବନ୍ଦଥିବା ବେଳେ ଶିବ ଲିଙ୍ଗରେ ସଦ୍ୟତମ ପୁଷ୍ପ ଏବଂ ଜଳ ଦେଖିବାକୁ ମିଳିଥିଲା। ଏହାର କିଛି ଅଂଶ ଭିତରେ ଖଞ୍ଜା ଯାଇଥିବା କ୍ୟାମେରାରେ ରହିଯାଇଥିଲା।

ଦୁର୍ଗମଧ୍ୟରେ ଗୋଟିଏ ଭଗ୍ନ ମସଜିଦ , ଅଶିର ମସଜିଦ ନାମରେ ମଧ୍ୟ ରହିଛି । ବ୍ରିଟିଶ ନିର୍ମାଣର ଭଗ୍ନାବଶେଷ ଓ ବ୍ରିଟିଶ କବରଖାନା ମଧ୍ୟ ଦୁର୍ଗ ଭିତରେ ଅଛି । ବ୍ରିଟିଶ ମାନେ ଛାଡି ଚାଲିଗଲା ପରେ ଦୁର୍ଗଟି ପରିତ୍ୟକ୍ତ ଅବସ୍ଥାରେ ରହିଛି । ହେଲେ ବର୍ତ୍ତମାନ ଏହା ପର୍ଯ୍ୟଟକ ମାନଙ୍କ ପାଇଁ ଏକ ଆକର୍ଷଣ ର କେନ୍ଦ୍ରବିନ୍ଦୁ ପାଲଟିଛି।

Comments are closed.