ଶିଶୁ କନ୍ୟାକୁ ଜଘନ୍ୟ ହତ୍ୟା ପରେ କଟାମୁଣ୍ଡ ଧରି ବୁଲିଲା ଦୁର୍ବୃତ୍ତ

ସମ୍ବଲପୁର: ବର୍ବରତାର ସବୁ ସୀମା ଟପିଯାଇଛି। ଜଣେ 8 ବର୍ଷର ନିଷ୍ପାପ ଶିଶୁକନ୍ୟାକୁ ଅତି ନିର୍ମମ ଭାବେ ମୁଣ୍ଡକୁ କାଟି ହତ୍ୟା କରିଛି ଦୁର୍ବୃତ୍ତ। ଖାଲି ସେତିକି ନୁହେଁ, ହତ୍ୟା ପରେ କଟାମୁଣ୍ଡକୁ ଧରି ଗାଁ ଦାଣ୍ଡରେ ବୁଲିବା ଘଟଣା ସମଗ୍ର ସମ୍ବଲପୁର ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଜମନକିରା ଥାନା କସଡା ଗାଁରେ ଘଟିଥିବା ଏହି ଘଟଣା ପାଇଁ ସମଗ୍ର ଅଞ୍ଚଳ ସ୍ତବ୍ଧ ହୋଇଯାଇଛି। ପୁଲିସ ହତ୍ୟାରେ ବ୍ୟବହୃତ ଫାର୍ସାକୁ ଜବତ କରିବା ସହିତ ଅଭିଯୁକ୍ତ ପ୍ରଶାନ୍ତ ବଗାର(35)କୁ ଗିରଫ କରିଛି ପୁଲିସ। ମୃତ ଶିଶୁ କନ୍ୟା ଜଣକ ହେଲେ ସେହି ଗାଁର ନବକିଶୋର ଧୁରୁଆଙ୍କ ଝିଅ ପ୍ରଜାଳୀନ(8)। ଏହାକୁ ନେଇ ଗାଁରେ ତୀବ୍ର ଉତ୍ତେଜନା ଦେଖା ଦେଇଥିବା ବେଳେ ପୁଲିସ ପହଞ୍ଚି ସ୍ଥିତିକୁ ଆୟତ୍ତ କରିଛି।

ଆଜି ସକାଳେ ନବକିଶୋରଙ୍କ ପରିବାର ମହୁଲ ଗୋଟାଇବା ପାଇଁ ଯାଇଥିଲେ। ପ୍ରଜାଳୀନ ଅନ୍ୟ ଏକ ଶିଶୁ କନ୍ୟା ସହ ଘର ନିକଟ ଚାଷଜମିକୁ ପାଣି ଢାଲ ଧରି ଶୌଚ ପାଇଁ ଯାଇଥିଲା। ଏହି ସମୟରେ ପ୍ରଶାନ୍ତ ଏକ ଫାର୍ସ। ଦ୍ବାରା ପ୍ରଜାଳୀନକୁ ଆକ୍ରମଣ କରି ଚୋଟ ଉପରେ ଚୋଟ ମାରି ଚାଲିଥିବା ବେଳେ ସେ ଘଟଣାସ୍ଥଳରେ ଟଳି ପଡିଥିଲା। ଏପରିକି ଝିଅର କରୁଣ ଚିତ୍କାର ବି ତାର ନୃଂସଶତା ଆଗରେ ହଜିଯାଇଥିଲା। ଏହା ଦେଖି ଅନ୍ୟ ଶିଶୁ କନ୍ୟାଟି କୌଶଳକ୍ରମେ ଖସି ଆସି ଗ୍ରାମରେ ଘଟଣା ସମ୍ପର୍କରେ କହିଥିଲା। ହେଲେ ଗାଁର ଅଧିକାଂଶ ଲୋକେ ମହୁଲ ଗୋଟାଇବାକୁ ଯାଇଥିଲେ। ତେବେ, ଅଭିଯୁକ୍ତ ପ୍ରଶାନ୍ତ ହତ୍ୟା ପରେ କଟାମୁଣ୍ଡକୁ ଏକ ଗାମୁଛାରେ ଗୋଡାଇ ଗାଁକୁ ଆସିଥିଲା। ତେବେ, କଟାମୁଣ୍ଡରୁ ରକ୍ତ ବାହୁଥିବାରୁ ଗାଁରେ ଥିବା ଏକ ନଳକୁଅଁରେ ଧୋଇ ଦେଇ ରାସ୍ତା ଉପରେ ଦୀର୍ଘ ସମୟ ଧରି ତାଣ୍ଡବ କରିଥିଲା। ଫାର୍ସାକୁ ମଧ୍ୟ ରାସ୍ତା କଡ ଘାସ ଭିତରେ ପକେଇ ଦେଇଥିଲା।

ପୁଲିସ ପ୍ରଥମେ ପ୍ରଶାନ୍ତକୁ ଥାନାକୁ ନେବା ପରେ ମୁଣ୍ଡ ଓ ଗଣ୍ଡିକୁ ଜବତ କରି କୁଚିଣ୍ଡା ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ସେପଟେ, ଏହାକୁ ନେଇ ଗାଁରେ ତୀବ୍ର ଉତ୍ତେଜନା ଦେଖା ଦେଇଥିବା ବେଳେ ଗାଁ ଲୋକେ ପ୍ରଶାନ୍ତକୁ ନିର୍ଧୁମ ଛେଚିଥିବା ଜଣାପଡିଛି। ତେବେ, ପରିସ୍ଥିତିକୁ ଦେଖି ପୁଲିସ ପ୍ରଶାନ୍ତକୁ ତୁରନ୍ତ କାବୁ କରିବା ସହିତ ତାର ପରିବାରକୁ ବି ଆଣି ଥାନାରେ ରଖିଥିଲା। ଆଉ ଗାଁର ଉତ୍ତେଜନାମୂଳକ ସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲା। ତେବେ, ବର୍ତ୍ତମାନ ସୁଦ୍ଧା ହତ୍ୟାକାଣ୍ଡର କାରଣ ଜଣାପଡିନଥିବା ବେଳେ ପ୍ରଶାନ୍ତ ବିଭିନ୍ନ ସମୟରେ ଗ୍ରାମବାସୀଙ୍କୁ ଭୟଭିତ କରୁଥିବା ଅଭିଯୋଗ ହୋଇଛି। ସେପଟେ, ପ୍ରଶାନ୍ତକୁ ତୁରନ୍ତ ଫାଶି ଦଣ୍ଡ ଦେବାକୁ ପରିବାର ଲୋକେ ଦାବି କରିଛନ୍ତି। ଏହି ଘଟଣାକୁ ନେଇ ସମଗ୍ର ଅଞ୍ଚଳ ସ୍ତବ୍ଧ ହୋଇଯାଇଛି।

Comments are closed.