ଦରଦାମ୍ ବୃଦ୍ଧି ବିରୋଧରେ ମାର୍ଚ୍ଚ ୩୧ରୁ କଂଗ୍ରେସର ‘ମହଙ୍ଗା-ମୁକ୍ତ ଭାରତ’ ଅଭିଯାନ

ନୂଆଦିଲ୍ଲୀ: ପେଟ୍ରୋଲ-ଡିଜେଲ, ଗ୍ୟାସ ଭଳି ଅତ୍ୟାବଶ୍ୟକ ଦ୍ରବ୍ୟର କ୍ରମାଗତ ଦର ବୃଦ୍ଧି ନେଇ ବିଜେପି ନେତୃତ୍ଵାଧୀନ କେନ୍ଦ୍ର ସରକାର ବିରୋଧରେ ଅଭିଯାନ ଚଳାଇବାକୁ ନିଷ୍ପତ୍ତି ନେଇଛି କଂଗ୍ରେସ । କଂଗ୍ରେସ ଆସନ୍ତା ଗୁରୁବାର ଠାରୁ ଦରଦାମ୍ ବୃଦ୍ଧି ପ୍ରତିବାଦରେ ଥାଳି ଓ ଘଣ୍ଟ ବଜାଇ ଆନ୍ଦୋଳନ କରିବ | କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେୱାଲା ଶନିବାର ଦଳର ‘ମହଙ୍ଗା-ମୁକ୍ତ ଭାରତ ଅଭିଯାନ’ ସମ୍ପର୍କରେ ସୂଚନା ଦେଇଛନ୍ତି। ସୁରଜେୱାଲା କହିଛନ୍ତି ଯେ ବିଜେପି ଦ୍ୱାରା ସୃଷ୍ଟି ହୋଇଥିବା ମହଙ୍ଗା ସର୍ବସ୍ବ ପରିବେଶ କେବଳ ଧନୀମାନଙ୍କ ପାଇଁ ଲାଭଦାୟକ। ଅନ୍ୟ ସମସ୍ତଙ୍କୁ ଦଳି ଦେଇଛି | କଂଗ୍ରେସ ମୁଖପାତ୍ର କହିଛନ୍ତି ଯେ ସରକାର ଗୋଟିଏ ପଟେ ରୋଜଗାର ହ୍ରାସ କରୁଛି ଏବଂ ଅନ୍ୟ ପଟେ ଏହା ଦରବୃଦ୍ଧିର କ୍ରମାଗତ ଝଟକା ଦେଉଛି। ଲୋକଙ୍କୁ ତିଳ ତିଳ କରି ଯନ୍ତ୍ରଣା ଦେବା ଭଳି କାର୍ଯ୍ୟ କରୁଛନ୍ତି ସରକାର । ଏହା ସମସ୍ତଙ୍କୁ ଅସନ୍ତୁଷ୍ଟ କରିଛି | ସୁରଜେୱାଲା କହିଛନ୍ତି ଯେ ସୋନିଆ ଗାନ୍ଧୀଙ୍କ ନିର୍ଦ୍ଦେଶରେ ସାଧାରଣ ସମ୍ପାଦକ ତଥା ସବୁ ପ୍ରଭାରୀଙ୍କ ଏକ ବୈଠକ ହୋଇଛି। ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ ଦରଦାମ୍ ବୃଦ୍ଧି ମୁକ୍ତ ଭାରତ ଅଭିଯାନ ତିନିଟି ପର୍ଯ୍ୟାୟରେ ଚାଲିବ।

କଂଗ୍ରେସ ମୁଖପାତ୍ର କହିଛନ୍ତି ଯେ ମେ ୨୦୧୪ରେ ପେଟ୍ରୋଲ ଉପରେ ଉତ୍ପାଦ ଶୁଳ୍କ ୯.୨୦ ଟଙ୍କା ଏବଂ ଡିଜେଲ ଉପରେ ଏହା ୩.୪୬ ଟଙ୍କା ଥିଲା। କିନ୍ତୁ ବିଜେପି ସରକାର ଗତ ଆଠ ବର୍ଷ ମଧ୍ୟରେ ପେଟ୍ରୋଲ ଓ ଡିଜେଲ ଉପରେ ଉତ୍ପାଦ ଶୁଳ୍କ ୫୩୩% ବୃଦ୍ଧି କରିଛନ୍ତି। ମୋଦି ସରକାର ୮ ବର୍ଷ ମଧ୍ୟରେ ଜନସାଧାରଣଙ୍କ ପକେଟରୁ ୨୬ ଲକ୍ଷ କୋଟି ଟଙ୍କା ଲୁଟି ନେଇଛନ୍ତି। ଏହା ଏକ ଅଭିଯୋଗ ନୁହେଁ ବରଂ ଏକ ସରକାରୀ ତଥ୍ୟ | ସରକାରଙ୍କ ଏହି ଜନ ବିରୋଧୀ ନୀତି ବିରୋଧରେ ସମଗ୍ର ଦେଶରେ ତିନି ପର୍ଯ୍ୟାୟରେ କଂଗ୍ରେସ ଆନ୍ଦୋଳନ କରିବ ବୋଲି ସୁରଜେଓ୍ବାଲା କହିଛନ୍ତି ।

Comments are closed.