ସୁପ୍ରିମକୋର୍ଟରେ କେନ୍ଦ୍ରର ଯୁକ୍ତି, କିଛି ରାଜ୍ୟରେ ହିନ୍ଦୁମାନଙ୍କୁ ମଧ୍ୟ ସଂଖ୍ୟାଲଘୁ ମାନ୍ୟତା ଦିଆଯାଇ ପାରିବ

ନୂଆଦିଲ୍ଲୀ: ଯେଉଁ ରାଜ୍ୟରେ ହିନ୍ଦୁ ମାନଙ୍କର ସଂଖ୍ୟା ଅନ୍ୟ ସମ୍ପ୍ରଦାୟ ତୁଳନାରେ କମ୍, ସେମାନଙ୍କୁ ସେହି ରାଜ୍ୟ ସଂଖ୍ୟାଲଘୁ ବୋଲି ଘୋଷଣା କରିପାରିବ। କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଏହା କହିଛନ୍ତି । ଏଥିପାଇଁ କେନ୍ଦ୍ର ସରକାର ୯ ଟି ରାଜ୍ୟରେ ହିନ୍ଦୁମାନଙ୍କୁ ସଂଖ୍ୟାଲଘୁ ମାନ୍ୟତା ଦାବିରେ ଏକ ସତ୍ୟପାଠ ଦାଖଲ କରିଛନ୍ତି। ହିନ୍ଦୁମାନଙ୍କୁ ସଂଖ୍ୟାଲଘୁ ଘୋଷିତ କରିବାର ମଧ୍ୟ ରାଜ୍ୟ ସରକାରଙ୍କ ଅଧିକାର ରହିଛି ବୋଲି କେନ୍ଦ୍ର ସରକାର କହିଛନ୍ତି। ସତ୍ୟପାଠରେ ଜାମ୍ମୁ କାଶ୍ମୀର, ମିଜୋରାମ, ନାଗାଲାଣ୍ଡ, ମଣିପୁର, ମେଘାଳୟ, ଅରୁଣାଚଳ ପ୍ରଦେଶ, ପଞ୍ଜାବ, ଲକ୍ଷ୍ୟଦ୍ବୀପ, ଲଦାଖ ଭଳି ରାଜ୍ୟରେ ହିନ୍ଦୁମାନଙ୍କୁ ସଂଖ୍ୟାଲଘୁ ଘୋଷଣା କରିବାକୁ କେନ୍ଦ୍ର ସରକାର ଦାବି କରିଛନ୍ତି।

ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟ ସର୍ବୋଚ୍ଚ ନ୍ୟାୟାଳୟରେ କହିଛନ୍ତି ଯେ ରାଜ୍ୟମାନେ ମଧ୍ୟ ନିଜ ସୀମା ଭିତରେ ଏକ ଧାର୍ମିକ କିମ୍ବା ଭାଷାଭାଷୀ ସମୁଦାୟକୁ ସଂଖ୍ୟାଲଘୁ ସମ୍ପ୍ରଦାୟ ଭାବେ ଘୋଷଣା କରିପାରନ୍ତି, ଯେପରି ମହାରାଷ୍ଟ୍ର ୨୦୧୬ରେ ଇହୁଦୀମାନଙ୍କ କ୍ଷେତ୍ରରେ କରିଥିଲେ । କର୍ଣ୍ଣାଟକ ମଧ୍ୟ ଉର୍ଦ୍ଦୁ, ତେଲୁଗୁ, ତାମିଲ, ମାଲାୟାଲମ୍, ମରାଠୀ, ତୁଲୁ, ଲାମାନି, ହିନ୍ଦୀ, କୋଙ୍କଣୀ, ଏବଂ ଗୁଜରାଟ ଭାଷାଭାଷୀ ଲୋକଙ୍କୁ ସଂଖ୍ୟାଲଘୁ ଭାବେ ଘୋଷଣା କରିଥିଲା।

ଆଇନଜୀବୀ ଅଶ୍ୱିନୀ କୁମାର ଉପାଧ୍ୟାୟଙ୍କ ଦ୍ଵାରା ଦାଖଲ ପିଟିସନର ଉତ୍ତରରେ କେନ୍ଦ୍ର ସରକାର ଏହି ଯୁକ୍ତି ବାଢିଛନ୍ତି। ଅଶ୍ୱିନୀ କୁମାର ଉପାଧ୍ୟାୟ ତାଙ୍କ ଆବେଦନରେ ଜାତୀୟ ସଂଖ୍ୟାଲଘୁ ଶିକ୍ଷାନୁଷ୍ଠାନ ଆଇନ-୨୦୦୪ର ଧାରା ୨ (ଏଫ୍) ର ବୈଧତାକୁ ଚ୍ୟାଲେଞ୍ଜ କରିଥିଲେ। ସେ କହିଥିଲେ ଯେ ଏହି ଧାରା କେନ୍ଦ୍ରକୁ ଅସୀମ କ୍ଷମତା ପ୍ରଦାନ କରେ ଯାହା କେବଳ ମନମୁଖୀ ନୁହେଁ ବରଂ ଅଯୌକ୍ତିକ ଏବଂ କ୍ଷତିକାରକ ମଧ୍ୟ ଅଟେ।

ଏଥିସହ ଦେଶର ଅନେକ ରାଜ୍ୟରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଚିହ୍ନଟ ପାଇଁ ଆବଶ୍ୟକ ନିର୍ଦ୍ଦେଶାବଳୀ ସ୍ଥିର କରିବାକୁ ଆବେଦନରେ ଅପିଲ କରାଯାଇଥିଲା। ଅଶ୍ୱିନୀ ଉପାଧ୍ୟାୟ ଏହି ଆବେଦନରେ କହିଥିଲେ ଯେ ୨୦୧୧ ଜନଗଣନା ଅନୁଯାୟୀ ଲକ୍ଷ୍ୟଦ୍ବୀପ, ମିଜୋରାମ, ନାଗାଲାଣ୍ଡ, ମେଘାଳୟ, ଜାମ୍ମୁ କାଶ୍ମୀର, ଅରୁଣାଚଳ ପ୍ରଦେଶ, ମଣିପୁର ଏବଂ ପଞ୍ଜାବରେ ହିନ୍ଦୁମାନେ ସଂଖ୍ୟାଲଘୁ ଥିଲେ ଏବଂ ସେମାନଙ୍କୁ ଏହି ରାଜ୍ୟରେ ସଂଖ୍ୟାଲଘୁ ମାନ୍ୟତା ଦିଆଯିବା ଉଚିତ।

Comments are closed.