ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ: ରୋହିତ, କୋହଲିଙ୍କ ମାନ୍ୟତାରେ ଅବନତି

ଦୁବାଇ: ବୁଧବାର ପ୍ରକାଶିତ ସର୍ବଶେଷ ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ପ୍ରାଧାନ୍ୟ କମିବାରେ ଲାଗିଛି । ଭାରତୀୟ ଅଧିନାୟକ ରୋହିତ ଶର୍ମା ଏବଂ ଭେଟେରାନ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଗୋଟିଏ ଲେଖାଏଁ ସ୍ଥାନ ହରାଇ ଯଥାକ୍ରମେ ଅଷ୍ଟମ ଏବଂ ଦଶମ ସ୍ଥାନକୁ ଖସିଛନ୍ତି। ତେବେ ରୋହିତ ୭୫୪ ପଏଣ୍ଟ ସହ ବ୍ୟାଟିଂ ତାଲିକାରେ ଭାରତର ଶୀର୍ଷ ମାନ୍ୟତାପ୍ରାପ୍ତ ଖେଳାଳି । କୋହଲିଙ୍କର ୭୪୧ ରେଟିଂ ପଏଣ୍ଟ ରହିଛି ଏବଂ ସେ ଦଶମ ସ୍ଥାନକୁ ଖସି ଆସିଛି | ରବୀନ୍ଦ୍ର ଜାଡେଜା ଅଲରାଉଣ୍ଡର ତାଲିକାରେ ନିଜର ଶୀର୍ଷ ସ୍ଥାନ ବଜାୟ ରଖିଥିବାବେଳେ ରବିଚନ୍ଦ୍ରନ୍ ଅଶ୍ୱିନ୍ ୱେଷ୍ଟଇଣ୍ଡିଜ୍ ଜାସନ୍ ହୋଲ୍ଡରଙ୍କ ସ୍ଥାନ ନେଇ ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଛନ୍ତି।

ବୋଲରଙ୍କ ତାଲିକାରେ ଅଶ୍ୱିନ୍ ଏବଂ ପେସ୍ ବୋଲର ଯସପ୍ରୀତ ବୁମ୍ରା ଯଥାକ୍ରମେ ଦ୍ୱିତୀୟ ଏବଂ ଚତୁର୍ଥ ସ୍ଥାନରେ ରହିଛନ୍ତି | ଦିନିକିଆ ର଼୍ୟାଙ୍କିଙ୍ଗରେ କୋହଲି ନିଜର ଦ୍ୱିତୀୟ ସ୍ଥାନ ବଜାୟ ରଖିଛନ୍ତି ଏବଂ ରୋହିତ ଗୋଟିଏ ସ୍ଥାନ ଉନ୍ନୀତ ହୋଇ ଚତୁର୍ଥ ସ୍ଥାନରେ ପହଞ୍ଚିଛନ୍ତି | ବୋଲରଙ୍କ ମଧ୍ୟରେ ଶ୍ରେଷ୍ଠ ୧୦ରେ କେବଳ ଜଣେ ଭାରତୀୟ ଭାବେ ବୁମ୍ରା ଷଷ୍ଠ ସ୍ଥାନରେ ଅଛନ୍ତି।

ଟେଷ୍ଟ ର଼୍ୟାଙ୍କିଙ୍ଗରେ ଅଷ୍ଟ୍ରେଲିଆର ଉସମାନ ଖାୱାଜା ଅଧିକ ଅଗ୍ରଗତି କରିଛନ୍ତି। ଖାୱାଜା ପାକିସ୍ତାନ ବିପକ୍ଷ ଟେଷ୍ଟ ସିରିଜରେ ଚମତ୍କାର ବ୍ୟାଟିଂ କରିଥିଲେ, ଯେଉଁ କାରଣରୁ ସେ ପ୍ରଥମ ଥର ପାଇଁ ନିଜ ଟେଷ୍ଟ କ୍ୟାରିୟରରେ ୭ ନମ୍ବର ମାନ୍ୟତା ହାସଲ କରିବାରେ ସଫଳ ହୋଇଛନ୍ତି। ପାକିସ୍ତାନ ବିପକ୍ଷ ୩ ଟେଷ୍ଟ ସିରିଜରେ ଖାୱାଜା ୧୬୫.୩୩ ହାରରେ ୫ ଇନିଂସରେ ୪୯୬ ରନ୍ ସଂଗ୍ରହ କରିଛନ୍ତି |

ସେ ଉକ୍ତ ସିରିଜରେ ୯୭, ୧୬୦, ୪୪ (ଅପରାଜିତ), ୯୧ ଏବଂ ୧୦୪ ରନର ଇନିଂସ୍ ଖେଳିଥିଲେ | ଏଥି ସହିତ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍ ମାର୍ନସ୍ ଲାବୁଶେନ ମଧ୍ୟ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି । ଇଂଲଣ୍ଡ ଅଧିନାୟକ ଜୋ ରୁଟ୍ ଦୁଇଟି ସ୍ଥାନ ହରାଇଛନ୍ତି। ରୁଟ୍ ଚତୁର୍ଥ ସ୍ଥାନକୁ ଖସିଛନ୍ତି | ପାକିସ୍ତାନର ବାବର ଆଜମ ପଞ୍ଚମ ସ୍ଥାନରେ ରହିଛନ୍ତି।

Comments are closed.