ତହସିଲଦାରଙ୍କୁ ଚାଷୀଙ୍କ ଆକ୍ରମଣ

ପଟ୍ଟାମୁଣ୍ଡାଇ – ତହସିଲଦାରଙ୍କୁ ଚାଷୀଙ୍କ ଆକ୍ରମଣ । ବେଆଇନ୍ ଇଟାଭାଟି ବନ୍ଦ କରିବା ଦାବିରେ ତହସିଲଦାର ଅଫିସ୍ ଭିତରେ ପଶି ତହସିଲଦାରଙ୍କୁ ଆକ୍ରମଣ କରିଛନ୍ତି ଚାଷୀ । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇରେ ଏହି ଘଟଣା ଘଟିଛି । ପଟ୍ଟାମୁଣ୍ଡାଇର କଣିପାଳ ଗାଁର ଚାଷୀ, ଦୀର୍ଘ ଦିନ ହେବ ଗାଁରେ ଚାଲିଥିବା ବେଆଇନ୍ ଇଟାଭାଟିକୁ ବନ୍ଦ କରିବାକୁ ତହସିଲଦାରଙ୍କ ନିକଟରେ ବାରମ୍ବାର ଅଭିଯୋଗ କରିଆସୁଥିଲେ । ହେଲେ ତହସିଲଦାର ଆଜିକାଲି କହି ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିଲେ । ତହସିଲଦାରଙ୍କ ଠାରୁ ବାରମ୍ବାର ନିରାଶ ହେବା ପରେ ଗାଁର ଚାଷୀମାନେ ଧାରଣାରେ ବସିଥିଲେ ।ତେବେ ତହସିଲଦାର ଓ ପୋଲିସ୍ ଇଟାଭାଟି ବନ୍ଦ କରିବାକୁ ପ୍ରତିଶ୍ରୁତି ଦେବା ପରେ ଧାରଣାରୁ ଉଠିଥିଲେ ଚାଷୀ । କିନ୍ତୁ ସେହି ବେଆଇନ୍ ଇଟାଭାଟିରେ ପୁଣି ଇଟା ପୋଡ଼ି ହେବାରୁ ଉତ୍ତେଜିତ ହୋଇପଡ଼ିଥିଲେ ଚାଷୀ । ଏହାକୁ ନେଇ ପୁଣି ତହସିଲଦାରଙ୍କୁ ଜଣାଇଥିଲେ ଚାଷୀ । ତହସିଲଦାର ଅଫିସରେ ଉତେଜନା ସୃଷ୍ଟି ହୋଇଥିଲା । ଚାଷୀ ଓ ତହସିଲଦାର କାର୍ଯ୍ୟାଳୟର କର୍ମଚାରୀଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା । ତହସିଲଦାର ମଧ୍ୟ ଚାଷୀଙ୍କ ଆକ୍ରୋଶର ଶିକାର ହୋଇଥିଲେ । ଖବର ପାଇ ପୋଲିସ୍ ଘଟଣା ସ୍ଥଳରେ ପହଂଚିଥିଲା । ପୋଲିସ ଦୁଇଜଣଙ୍କୁ ଅଟକ ରଖିଛି ।

Comments are closed.