ଶ୍ରୀଲଙ୍କାରେ ରାଜପକ୍ଷେ ସରକାରକୁ ଝଟକା, ନିଯୁକ୍ତ ହେବାର ଦିନକ ପରେ ଅର୍ଥମନ୍ତ୍ରୀ ଅଲି ସାବ୍ରିଙ୍କ ଇସ୍ତଫା

କଲମ୍ବୋ: ଦିନକ ପୂର୍ବରୁ ଶ୍ରୀଲଙ୍କାର ଅର୍ଥମନ୍ତ୍ରୀ ଭାବରେ ନିଯୁକ୍ତ ଅଲି ସାବ୍ରି ଆଜି ଇସ୍ତଫା ଦେଇଛନ୍ତି। ଶ୍ରୀଲଙ୍କାରେ ଚାଲିଥିବା ଅର୍ଥନୈତିକ ସଙ୍କଟ ଏବଂ ସରକାର ବିରୋଧୀ ବିକ୍ଷୋଭ ଯୋଗୁଁ ପୂରା କ୍ୟାବିନେଟ ଇସ୍ତଫା ଦେଇଥିଲା। ପରେ ସୋମବାର ଦିନ ନୂଆ କ୍ୟାବିନେଟର ଶପଥ ଗ୍ରହଣ ହୋଇଥିଲା। ଅଲି ସାବ୍ରିଙ୍କୁ ଅର୍ଥ ମନ୍ତ୍ରଣାଳୟ ଦିଆଯାଇଥିଲା। କିନ୍ତୁ ସେ ହଠାତ୍ ଇସ୍ତଫା ଦେଇଛନ୍ତି।

ରାଷ୍ଟ୍ରପତି ଗୋତାବାୟା ରାଜପକ୍ଷେଙ୍କୁ ଏକ ପତ୍ରରେ ସେ ଲେଖିଛନ୍ତି – ସାମ୍ପ୍ରତିକ ପରିସ୍ଥିତି ପରିପ୍ରେକ୍ଷୀରେ ଓ ଗଭୀର ଚିନ୍ତା କରିବା ପରେ ମୋର ମତ ହେଉଛି ଏହି ଅପ୍ରତ୍ୟାଶିତ ସଙ୍କଟର ମୁକାବିଲା ପାଇଁ ଉତ୍ତମ ବ୍ୟବସ୍ଥାର ଆବଶ୍ୟକ ରହିଛି | ଏବଂ ଏକ ନୂଆ ଅର୍ଥମନ୍ତ୍ରୀଙ୍କ ନିଯୁକ୍ତି ମଧ୍ୟ ଆବଶ୍ୟକ | ସେ ତାଙ୍କ ଚିଠିରେ ଲେଖିଛନ୍ତି ଯେ ଏହି କାରଣରୁ ସେ ନିଜ ପଦରୁ ତୁରନ୍ତ ଇସ୍ତଫା ଦେଉଛନ୍ତି। ଅଲି ସାବ୍ରି ପୂର୍ବ ସରକାରରେ ନ୍ୟାୟ ମନ୍ତ୍ରୀ ଥିଲେ। କିନ୍ତୁ ଏପ୍ରିଲ ୩ରେ ସେ ଅନ୍ୟ ମନ୍ତ୍ରୀଙ୍କ ସହ ଇସ୍ତଫା ଦେଇଥିଲେ। ଏହା ପରେ ସୋମବାର ତାଙ୍କୁ ଅର୍ଥ ମନ୍ତ୍ରଣାଳୟର ଦାୟିତ୍ୱ ଦିଆଯାଇଥିଲା। ତାଙ୍କ ଚିଠିରେ ସେ ମଧ୍ୟ ଲେଖିଛନ୍ତି ଯେ ଯଦି ରାଷ୍ଟ୍ରପତି ରାଜପକ୍ଷେ ଜଣେ ଉତ୍ତମ ବ୍ୟକ୍ତିଙ୍କୁ ଅର୍ଥମନ୍ତ୍ରୀ କରିବାକୁ ଚାହୁଁଛନ୍ତି, ତେବେ ସେ ମଧ୍ୟ ତାଙ୍କ ସଂସଦୀୟ ଆସନ ଛାଡିବାକୁ ପ୍ରସ୍ତୁତ ଅଛନ୍ତି।

ଗଭୀର ଆର୍ଥିକ ସଙ୍କଟ ମଧ୍ୟରେ ରାଜପକ୍ଷେ ସରକାର ପ୍ରତି ଲୋକଙ୍କ ଅସନ୍ତୋଷ ବଢିବାରେ ଲାଗିଛି । ଲୋକେ ତାଙ୍କ ଇସ୍ତଫା ଦାବି କରିଛନ୍ତି । ସେପଟେ ରାଜପକ୍ଷେ ନିଜ ସରକାର ଭିତରୁ ମଧ୍ୟ ବିରୋଧର ସମ୍ମୁଖୀନ ହୋଇଛନ୍ତି । ଦେଶରେ ସାମ୍ପ୍ରତିକ ସଙ୍କଟ ମଧ୍ୟରେ ରାଜପକ୍ଷେ ମେଣ୍ଟ ସରକାରରୁ ୪୦ ସାଂସଦ ଓହରି ଯାଇଛନ୍ତି ।

Comments are closed.