କର୍ଣ୍ଣାଟକ ହିଜାବ ବିବାଦରେ ମୁଣ୍ଡ ପୂରାଇଲା ଅଲ୍ କାଏଦା, ଭିଡ଼ିଓ ଜାରି କରି କଲେଜ ଛାତ୍ରୀ ମୁସ୍କାନ ଖାନଙ୍କୁ ପ୍ରଶଂସା କଲା ଜଓ୍ବାହିରୀ

ବେଙ୍ଗାଲୁରୁ: କର୍ଣ୍ଣାଟକ ହିଜାବ ବିବାଦରେ ମୁଣ୍ଡ ପୂରାଇଛି କୁଖ୍ୟାତ ଆତଙ୍କବାଦୀ ସଂଗଠନ ଅଲ୍ କାଏଦା । ଶିକ୍ଷାନୁଷ୍ଠାନରେ ହିଜାବ କଟକଣା ନେଇ ଅଲ କାଏଦା ମୁଖ୍ୟ ଆୟମାନ ଅଲ ଜାୱାହିରୀ ଭାରତ ବିରୋଧରେ ବିଷ ଉଗାଳିଛନ୍ତି । ହିଜାବ କଟକଣାକୁ ମୁସଲିମ ଛାତ୍ରୀମାନଙ୍କ ପ୍ରତି ନିର୍ଯାତନା ବୋଲି ଦର୍ଶାଇ ଜାୱାହିରୀ ଭାରତୀୟ ମୁସଲମାନମାନଙ୍କୁ ଏହା ବିରୋଧରେ ସ୍ୱର ଉଠାଇବାକୁ ଆହ୍ବାନ କରିଛନ୍ତି। ଜାୱାହିରୀ ୯ ମିନିଟର ଭିଡିଓ ଜାରି କରି କର୍ଣ୍ଣାଟକର ଛାତ୍ରୀ ମୁସ୍କାନ ଖାନଙ୍କୁ ପ୍ରଶଂସା କରିଛନ୍ତି । କର୍ଣ୍ଣାଟକ ହିଜାବ ବିବାଦ ବେଳେ ମୁସ୍କାନ ଖାନ ଚର୍ଚ୍ଚିତ ହୋଇଥିଲେ । ଏକ କଲେଜ ବାହାରେ ‘ଜୟ ଶ୍ରୀ ରାମ’ ନାରା ଦେଉଥିବା ଏକ ଛାତ୍ର ଗତ ଗୋଷ୍ଠୀ ଆଗରେ ମୁସ୍କାନ ‘ଆଲ୍ଲାହୁ ଆକବର’ ବୋଲି ପାଟି କରିଥିଲେ। ମୁସ୍କାନର ପ୍ରଶଂସା କରି ଜାୱାହିରୀ ମଧ୍ୟ କବିତା ପଢ଼ିଛନ୍ତି |

ଜାୱାହିରିଙ୍କ ଭିଡିଓ ଅଲ କାଏଦାର ଶବାବ ମିଡିଆ ଦ୍ବାରା ରିଲିଜ୍ ହୋଇଛି ଏବଂ ଏକ ଇଣ୍ଟେଲିଜେନ୍ସ ଗ୍ରୁପ୍ ଦ୍ବାରା ଏହି ଭିଡ଼ିଓ ଅସଲି ବୋଲି ସ୍ପଷ୍ଟ କରାଯାଇଛି । ଓସାମା ବିନ୍ ଲାଡେନଙ୍କ ପରେ ଅଲ କାଏଦାର ନେତା ହୋଇଥିବା ଜାୱାହିରି ଉକ୍ତ ଭିଡ଼ିଓରେ କର୍ଣ୍ଣାଟକ କଲେଜ ଛାତ୍ରୀ ମୁସ୍କାନ ଖାନଙ୍କୁ ପ୍ରଶଂସା କରିଥିଲେ। ଭିଡିଓର ଟାଇଟଲ୍ ଏବଂ ପୋଷ୍ଟରେ- ନୋବଲ୍ ଓ୍ବିମେନ ଅଫ୍ ଇଣ୍ଡିଆ ( ଭାରତର ଆଦର୍ଶ ମହିଳା) |

ଜାୱାହିରୀ କହିଛନ୍ତି ଯେ ମୁଁ ଭିଡିଓ ଏବଂ ସୋସିଆଲ ମିଡିଆ ମାଧ୍ୟମରେ ମୁସ୍କାନ ବିଷୟରେ ଜାଣିବାକୁ ପାଇଥିଲି ଏବଂ ଏହି ଭଉଣୀ ଜଣକ ତକବୀରଙ୍କ ସ୍ୱର ଉତ୍ତୋଳନ କରି ମୋର ହୃଦୟ ଜିତିଥିଲେ। ସେଥିପାଇଁ ମୁଁ ତାଙ୍କ ପ୍ରଶଂସା ରେ କବିତା ପଢୁଛି | କବିତା ପଢିବା ପରେ ଜାୱାହିରୀ ପାକିସ୍ତାନ ଏବଂ ବାଂଲାଦେଶ ସମେତ ସେହି ସବୁ ଦେଶକୁ ସମାଲୋଚନା କରିଥିଲେ ଯେଉଁମାନେ ହିଜାବକୁ ନିଷିଦ୍ଧ କରିଛନ୍ତି । ସେ ଏହି ଦେଶଗୁଡ଼ିକୁ ପାଶ୍ଚାତ୍ୟ ଦେଶ ଗୁଡିକର ସହଯୋଗୀ ଭାବେ ଅଭିହିତ କରିଛନ୍ତି।

ନଭେମ୍ବର ପରଠାରୁ ଏହା ଜାୱାହିରୀଙ୍କର ପ୍ରଥମ ଭିଡିଓ | ଜାୱାହିରିଙ୍କ ଭିଡିଓରୁ ଏହା ସ୍ପଷ୍ଟ ହୋଇଛି ଯେ ସେ ହିଜାବ ବିବାଦ ବିଷୟରେ ଅବଗତ ଅଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଚଳିତ ବର୍ଷ ଜାନୁଆରୀରେ କର୍ଣ୍ଣାଟକରେ ହିଜାବ ବିବାଦ ଆରମ୍ଭ ହୋଇଥିଲା। ଉଡୁପିରେ ଥିବା ଏକ ସରକାରୀ କଲେଜରେ କିଛି ଛାତ୍ରୀଙ୍କୁ ହିଜାବ ପିନ୍ଧି ଶ୍ରେଣୀରେ ବସିବାକୁ ବାରଣ କରାଯାଇଥିଲା।

ପରେ ଏହି ମାମଲା କର୍ଣ୍ଣାଟକ ହାଇକୋର୍ଟରେ ପହଞ୍ଚିଥିଲା। ଶୁଣାଣି ପରେ ହାଇକୋର୍ଟ ହିଜାବ ଇସଲାମର ଏକ ଅଂଶ ନୁହେଁ ବୋଲି ଦର୍ଶାଇ ଶିକ୍ଷାନୁଷ୍ଠାନରେ ଏହା ଉପରେ କଟକଣାକୁ କାଏମ ରଖିଥିଲେ । ହାଇକୋର୍ଟ ନିଷ୍ପତ୍ତିକୁ ମୁସଲିମ ଛାତ୍ରୀ ଓ କିଛି ସଂଗଠନ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି ।

Comments are closed.