ଇମ୍ରାନ ଖାନଙ୍କ ଇନିଂସ୍ ଶେଷ, ଅନାସ୍ଥା ଭୋଟରେ ହାରିଲେ

ଇସଲାମାବାଦ: ପ୍ରଧାନମନ୍ତ୍ରୀ ପଦରୁ ବିଦା ହୋଇଛନ୍ତି ଇମ୍ରାନ ଖାନ । ବିରୋଧୀଙ୍କ ବାଉନ୍ସରରେ କ୍ଲିନ୍ ବୋଲ୍ଡ ହୋଇଛନ୍ତି ଇମ୍ରାନ । ପ୍ରଧାନମନ୍ତ୍ରୀ ଭାବେ ଇମ୍ରାନ ଖାନଙ୍କ ସାଢ଼େ ତିନି ବର୍ଷର ସରକାରର ଇନିଂସ ଶନିବାର ବିଳମ୍ବିତ ରାତିରେ ଶେଷ ହୋଇଛି। ତାଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ପାକିସ୍ତାନ ସଂସଦରେ ଗୃହୀତ ହୋଇଛି । ଦିନସାରା ହାଇଡ୍ରାମା ମଧ୍ୟରେ ପାକିସ୍ତାନ ସଂସଦର ସ୍ବତନ୍ତ୍ର ଅଧିବେଶନ ଶନିବାର ଅନେକ ଥର ସ୍ଥଗିତ ରଖାଯାଇଥିଲା | ଭୋଟ୍ ଅବଧି ଶେଷ ହେବାର ୧୫ ମିନିଟ୍ ପୂର୍ବରୁ ବାଚସ୍ପତି ଆସାଦ କାଇସର ନିଜ ପଦରୁ ଇସ୍ତଫା ଦେଇଥିଲେ। ଉପ ବାଚସ୍ପତି କାସୀମ ସୁରି ମଧ୍ୟ ଇସ୍ତଫା ଦେଇଥିଲେ । ଏହା ପରେ ଜଣେ ଅସ୍ଥାୟୀ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ ପ୍ରକ୍ରିୟା ଆରମ୍ଭ ହୋଇଥିଲା | ବିଳମ୍ବିତ ରାତିରେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ ହୋଇଥିଲା, ଯେଉଁଥିରେ ବିରୋଧୀ ଦଳର ବିଜୟ ହୋଇଥିଲା । ଅନାସ୍ଥା ପ୍ରସ୍ତାବ ସପକ୍ଷରେ ୧୭୪ ଭୋଟ୍ ମିଳିଥିଲା ବେଳେ ବିପକ୍ଷରେ ଗୋଟିଏ ବି ଭୋଟ୍ ପଡ଼ିନଥିଲା।

ଶାସକ ପିଟିଆଇ ସାଂସଦମାନେ ଭୋଟିଂରେ ଅଂଶଗ୍ରହଣ କରିନଥିଲେ ଏବଂ ନିଜ ପରାଜୟ ନିଶ୍ଚିତ ବୋଲି ଜାଣିପାରି ଇମ୍ରାନ ଖାନ ନିଜେ ପ୍ରଧାନମନ୍ତ୍ରୀ ବାସଭବନ ଛାଡିଥିଲେ। ଏହାପୂର୍ବରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ରାତି ୯:୩୦ରେ କ୍ୟାବିନେଟ ବୈଠକ ଡାକିଥିଲେ । କିନ୍ତୁ ଇସ୍ତଫା ଦେବା ପରିବର୍ତ୍ତେ ଅନାସ୍ଥା ଭୋଟ୍ ର ସମ୍ମୁଖୀନ ହେବାକୁ ନିଷ୍ପତ୍ତି ନେଇଥିଲେ।

ଇମ୍ରାନଙ୍କ ନେତୃତ୍ୱାଧୀନ କ୍ୟାବିନେଟ ମଧ୍ୟ ଏକ ଗୁଇନ୍ଦା ଚିଠିକୁ ସିନେଟର ମୁଖ୍ୟ, ବାଚସ୍ପତି ତଥା ପ୍ରଧାନ ବିଚାରପତିଙ୍କ ସହ ବାଣ୍ଟିବାକୁ ନିଷ୍ପତ୍ତି ନେଇଛି। ଯେଉଁ ଆଧାରରେ ଇମ୍ରାନ ଖାନ ଅଭିଯୋଗ କରିଥିଲେ ଯେ ତାଙ୍କୁ ସରକାର ଭାଙ୍ଗିବା ପାଇଁ ଏକ ବିଦେଶୀ ଷଡ଼ଯନ୍ତ୍ର ହୋଇଛି।

ଶନିବାର ବିଳମ୍ବିତ ରାତିରେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ୍ ଗ୍ରହଣ ହେବା ପରେ ଇମ୍ରାନ ଖାନ ପ୍ରଧାନମନ୍ତ୍ରୀ ବାସଭବନ ଛାଡ଼ି ବାନି ଗାଲାରେ ରହିବାକୁ ଯାଇଥିଲେ। ଇମ୍ରାନ ଖାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାରିତ ହେବା ପରେ ତାଙ୍କ ପାର୍ଟି ପିଟିଆଇ ସଂସଦ ଗୃହ ବାହାରେ ବିରୋଧ କରିଥିଲା।

ଇମ୍ରାନ ଖାନଙ୍କ ପାକିସ୍ତାନ ତେହେରିକ-ଇ-ଇନସାଫ ପାର୍ଟି ଚଳିତ ମାସ ଆରମ୍ଭରେ ସଂସଦରେ ବହୁମତ ହରାଇଥିଲା। ଇମ୍ରାନ ଖାନଙ୍କ ପାର୍ଟିର ପ୍ରମୁଖ ସହଯୋଗୀ ସରକାରରୁ ଓହରି ବିରୋଧୀଙ୍କ ସହ ହାତ ମିଳାଇଥିଲା ।

Comments are closed.