ବିଜେପି ଓ ଆରଏସଏସ୍ କେବଳ ନିର୍ବାଚନ ​​ଜିତିବା ପାଇଁ ଗାନ୍ଧୀ, ପଟେଲ, ଆମ୍ବେଦକରଙ୍କ ନାମ ବ୍ୟବହାର କରନ୍ତି: ଗେହଲୋଟ୍

ନୂଆଦିଲ୍ଲୀ:ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କ ‘ଅଖଣ୍ଡ ଭାରତ’ ମନ୍ତବ୍ୟ ନେଇ ଏବେ ଚର୍ଚ୍ଚା । ଭାଗବତଙ୍କ ଏହି ମନ୍ତବ୍ୟ ଉପରେ ଲଗାତାର ପ୍ରତିକ୍ରିୟା ଆସୁଛି | ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ମଧ୍ୟ ଭାଗବତଙ୍କ ‘ଅଖଣ୍ଡ ଭାରତ’ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଛନ୍ତି । ଗେହଲୋଟ୍ କହିଛନ୍ତି ଯେ ଆରଏସଏସ୍ ରାଜନୀତି କରୁଛି । ମହାତ୍ମା ଗାନ୍ଧୀ, ବଲ୍ଲଭଭାଇ ପଟେଲ, ଭୀମରାଓ ଆମ୍ବେଦକରଙ୍କ ନାମ ଆରଏସଏସ୍ କେବଳ ନିର୍ବାଚନ ପାଇଁ ବ୍ୟବହାର କରୁଛି ବୋଲି ଗେହଲୋଟ୍ ଅଭିଯୋଗ କରିଛନ୍ତି।

ଅଶୋକ ଗେହଲୋଟ୍ କହିଛନ୍ତି, ସେମାନେ ‘ଅଖଣ୍ଡ ଭାରତ’ କଥା କହୁଛନ୍ତି । କିନ୍ତୁ ସର୍ଦ୍ଦାର ପଟେଲ ଆରଏସଏସ୍ ଉପରେ କଟକଣା ଲଗାଇଥିଲେ। ଏହାପରେ ଆରଏସଏସ୍ ଲିଖିତ ଆକାରରେ କହିଥିଲା ଯେ ଏହି ସଂଗଠନ କେବେବି ରାଜନୀତିରେ ମୁଣ୍ଡ ପୂରାଇବ ନାହିଁ ଏବଂ କେବଳ ସାଂସ୍କୃତିକ କାର୍ଯ୍ୟକ୍ରମରେ ସାମିଲ ହେବ।

ଗେହଲଟ୍ ଆହୁରି ମଧ୍ୟ କହିଛନ୍ତି ଯେ ଜନ ସଂଘ (ବିଜେପି) ଓ ଆରଏସଏସ ଗାନ୍ଧୀ, ପଟେଲ ଏବଂ ଆମ୍ବେଦକରଙ୍କ ଉପରେ ବିଶ୍ୱାସ କରନ୍ତି ନାହିଁ। ନିର୍ବାଚନରେ ​​ଜିତିବା ପାଇଁ ସେମାନେ କେବଳ ଏହି ମହାପୁରୁଷଙ୍କ ନାମ ବ୍ୟବହାର କରନ୍ତି |

ଉଲ୍ଲେଖଯୋଗ୍ୟ ଯେ ମୋହନ ଭାଗବତ ନିକଟରେ କହିଥିଲେ, ୧୫ ବର୍ଷ ମଧ୍ୟରେ ଭାରତ ପୁଣିଥରେ ‘ଅଖଣ୍ଡ ଭାରତ’ ହେବ ଏବଂ ଆମେ ଏସବୁକୁ ନିଜ ଆଖିରେ ଦେଖିବା।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ୧୫ ବର୍ଷରେ ଅଖଣ୍ଡ ଭାରତ ହେବାର ବୟାନ ସହ ମୋହନ ଭାଗବତ ଆହୁରି ମଧ୍ୟ କହିଥିଲେ ଯେ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ୨୦-୨୫ ବର୍ଷ ମଧ୍ୟରେ ଦେଶ ‘ଅଖଣ୍ଡ ଭାରତ’ ହେବ।

Comments are closed.