ଗୋପାଳପୁର ନିର୍ବାଚନମଣ୍ଡଳୀ ବିଜେଡିର ବିଜୁ ଶ୍ରାଦ୍ଧ ଦିବସ: ୮୦୧ ୟୁନିଟ୍ ରକ୍ତଦାନ, ସାମାଜିକ ସେବାର ବାର୍ତ୍ତା ପ୍ରଚାର

ଗୋପାଳପୁର: ପ୍ରବାଦ ପୁରୁଷଙ୍କ ସ୍ମୃତିଚାରଣ କରି ବିଜେଡି ପାଳିଛି ତାଙ୍କର ଶ୍ରାଦ୍ଧବାର୍ଷିକୀ। ଏହି ଅବସରରେ ସାରା ରାଜ୍ୟ ପରି ଗୋପାଳପୁର ନିର୍ବାଚନମଣ୍ଡଳୀ ବିଜେଡି ମଧ୍ୟ ସାମାଜିକ ସେବାର ବାର୍ତ୍ତା ପ୍ରଚାର କରିଛି। ଆୟୋଜିତ କରିଛି ରକ୍ତଦାନ ଶିବିର ଯେଉଁଥିରେ ବିପୁଳ ପରିମାଣର ଅର୍ଥାତ୍ ୮୦୧ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି। ଏଥିସହ ବୃଦ୍ଧାଶ୍ରମ ଠାରେ ଫଳ ଓ ପୋଷାକ ଗରିବ, ଆର୍ଥିକ ଦୁର୍ବଳ ଶ୍ରେଣୀ ଓ ଅସହାୟ ବ୍ୟକ୍ତିବିଶେଷଙ୍କୁ ପ୍ରଦାନ କରାଯାଇଛି।

ଗୋପାଳପୁର ନିର୍ବାଚନମଣ୍ଡଳୀ ତରଫରୁ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ବ୍ରହ୍ମପୁର ଲାଞ୍ଜିପଲ୍ଲୀସ୍ଥିତ ଅର୍ବାନ୍ ଢାବା ନିକଟ ପଡ଼ିଆରେ ଆୟୋଜିତ ହୋଇଥିଲା। ଉଲ୍ଲେଖଯୋଗ୍ୟ ଯେ- ବ୍ରହ୍ମପୁର ମହାନଗରର ଏହି ଅଞ୍ଚଳ ତଥା ଏଥି ଅନ୍ତର୍ଗତ ୱାର୍ଡଗୁଡିକ ଗୋପାଳପୁର ନିର୍ବାଚନମଣ୍ଡଳୀରେ ସାମିଲ ରହିଛି। ବିଜୁ ବାବୁଙ୍କ ଶ୍ରାଦ୍ଧବାର୍ଷିକୀରେ ଓଡ଼ିଶା ମୋ ପରିବାର (ଗୋପାଳପୁର) ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିଲା ଜୀବନ ବିନ୍ଦୁ ରକ୍ତଦାନ ଶିବିର। ମୁଖ୍ୟମନ୍ତ୍ରୀଙ୍କ ଓଏସଡି ଡ. ଗୋପବନ୍ଧୁ ଦାଶଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି ଶିବିରର ଉଦ୍‌ଘାଟନୀ ଅବସରରେ ଉପସ୍ଥିତ ଥିଲେ ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ। ତାଙ୍କ ସହ ଡେପୁଟି ମେୟର ଇ. ବିବେକ ରେଡ୍ଡୀ, ଜିଲ୍ଲା ଉପସଭାନେତ୍ରୀ ରାଜେଶ୍ୱରୀ ଦୋରା, ଜୀବନ ବିନ୍ଦୁ ସଂଯୋଜକ ସୁବାସ ମହାରଣା, ରଙ୍ଗେଇଲୁଣ୍ଡା ବ୍ଲକ୍ ସଭାପତି ଅଜିତ୍ କୁମାର ଦାଶ, ରଙ୍ଗେଇଲୁଣ୍ଡା ବ୍ଲକ୍‌ ଅଧ୍ୟକ୍ଷା ସି.ଏଚ୍.ଉଷାରାଣୀ, ଉପାଧ୍ୟକ୍ଷା ଅନିତା ମହାଙ୍କୁଡ଼, ଜିଲ୍ଲା ପରିଷଦ ସଭ୍ୟ ଦୀପକ ସାମନ୍ତ, ତଅପୋଇ ଦାସ ଓ ଭାରତୀ ନାୟକ, ଗୋପାଳପୁର ଏନ୍‌ଏସି ଅଧ୍ୟକ୍ଷ ଏ.ଜାନକୀ ରାମ, ଉପାଧକ୍ଷା ବି.ଉମା , ଯୁବ ସମାଜ ସେବି ସନ୍ତୋଷ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ଡ. ଗୋପବନ୍ଧୁ ଦାଶ ମୁଖ୍ୟମନ୍ତ୍ରୀଙ୍କ ପ୍ରଦତ୍ତ ବାର୍ତ୍ତା ପାଠ କରିଥିଲେ। ଉପସ୍ଥିତ ସମସ୍ତ କର୍ମକର୍ତ୍ତା ମଧ୍ୟ ସଂକଳ୍ପ ଗ୍ରହଣ କରିଥିଲେ। ଡ. ଦାଶ କହିଥିଲେ ଯେ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଦ୍ୱାରା ଗରିବଙ୍କୁ ମାଗଣାରେ ରକ୍ତ ଯୋଗାଇ ଦିଆଯାଇ ପାରିବ। କେହି ଲୋକ ରକ୍ତ ଅଭାବରେ ମୃତ୍ୟୁବରଣ ନକରନ୍ତୁ ତାହାହିଁ ଏହି ଶିବିରର ଉଦ୍ଦେଶ୍ୟ ରହିଥିବା କହିଛନ୍ତି ବ୍ରହ୍ମପୁର ମେୟର୍।

ଉଲ୍ଲେଖଯୋଗ୍ୟ ଯେ- ଦୀର୍ଘ ଦିନ ହେବ ବିଜେଡିରୁ ବାଦ୍ ପଡ଼ିଥିବା ବିଧାୟକଙ୍କ ଅନୁପସ୍ଥିତି କାରଣରୁ ଗୋପାଳପୁର ନିର୍ବାଚନମଣ୍ଡଳୀର ରାଜନୈତିକ ସ୍ଥିତି ନେଇ ସାଧାରଣ ଜନତା, ଗଣମାଧ୍ୟମ, ରାଜନୈତିକ ପଣ୍ଡିତ, ଦଳୀୟ କର୍ମୀ ମହଲରେ ଆଶା ଓ ଆଶଙ୍କା ନେଇ ବେଶ୍ ଆଲୋଚନା ଚାଲିଥିଲା। ତେବେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶକ୍ରମେ ଏଭଳି ସମ୍ବେଦନଶୀଳ ସମୟରେ ନିର୍ବାଚନମଣ୍ଡଳୀ ବିଜେଡିର ଦାୟିତ୍ବ ସମ୍ଭାଳିଥିଲେ ଡ. ଗୋପବନ୍ଧୁ ଦାଶ। ଧିରେ ଧିରେ ଦଳର ସାଙ୍ଗଠନିକ ଶକ୍ତିକୁ ଅଧିକ ମଜବୁତ କରିବା ସହ ନିକଟରେ ସରିଥିବା ପଞ୍ଚାୟତ ଓ ପୌର ନିର୍ବାଚନରେ ମଧ୍ୟ ଅଦ୍ଭୁତପୂର୍ବ ସଫଳତା ହାସଲ କରି ପାରିଥିଲେ। ତେବେ ଏହାର ଶ୍ରେୟ ଭୋଟର ଓ ଦଳୀୟ କର୍ମୀଙ୍କୁ ହିଁ ଦେଉଥିବା ଡ. ଦାଶ ଏଭଳି ପୁଣ୍ୟ ଦିବସରେ ଜନସାଧାରଣ ତଥା ଦଳୀୟ କର୍ମୀଙ୍କ ଉଦ୍ଦେଶ୍ୟରେ ପାର୍ଟିର ସାମାଜିକ ସେବାର ବାର୍ତ୍ତା ପ୍ରଦାନ କରିବାରେ ମଧ୍ୟ ଦମଦାର ନେତୃତ୍ବ ନେଇଥିଲେ।

ସକାଳ ସମୟରେ ପ୍ରଥମେ ଗୋପାଳପୁର ବେଳାଭୂମିରେ ତିଳତର୍ପଣ କରିଥିଲେ। ଏହାପରେ ଗୋପାଳପୁରସ୍ଥିତ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରାଯାଇ ଥିଲା। ଏଥିସହ ଗୋପାଳପୁରସ୍ଥିତ ବୃଦ୍ଧାଶ୍ରମ ଠାରେ ବୟୋଜ୍ୟେଷ୍ଠଙ୍କୁ ଫଳ ଓ ବସ୍ତ୍ର ବଣ୍ଟାଯାଇ ଥିଲା। ଏଥିସହ ବିଶାଳ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା ଯେଉଁଥିରେ ବହୁ ସଂଖ୍ୟକ ମହିଳା, ଯୁବ ଓ ଛାତ୍ର ବିଜେଡି କର୍ମକର୍ତ୍ତା, ଦଳୀୟ କର୍ମୀ, ସାଧାରଣ ଜନତା ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ଏଥିସହ ଏହି ଅବସରରେ ନବନିର୍ବାଚିତ ପଞ୍ଚାୟତ ପ୍ରତିନିଧି ଓ ପୌର ପ୍ରତିନିଧିଙ୍କ ସକ୍ରିୟ ଅଂଶଗ୍ରହଣ ଦେଖିବାକୁ ମିଳିଥିଲା ଯାହା ସାଙ୍ଗଠନିକ ଦୃଷ୍ଟିରୁ ମଧ୍ୟ ବେଶ୍‌ ଉତ୍ସାହଜନକ ଥିଲା।

Comments are closed.