ୱିଜଡେନର ‘କ୍ରିକେଟର ଅଫ୍ ଦି ଇୟର’ ତାଲିକାରେ ରୋହିତ, ବୁମରା

ଲଣ୍ଡନ: ସମ୍ମାନଜନକ ୱିଜଡେନ ପତ୍ରିକାର ୨୦୨୨ ସଂସ୍କରଣରେ ବର୍ଷର ଶ୍ରେଷ୍ଠ ପାଞ୍ଚ କ୍ରିକେଟରଙ୍କ ମଧ୍ୟରେ ଟିମ୍ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ଓ ଷ୍ଟାର ଦ୍ରୁତ ବୋଲର ଯଶପ୍ରୀତ ବୁମରା ସ୍ଥାନ ପାଇଛନ୍ତି । ଏହି ଦୁଇ ଭାରତୀୟ ଖେଳାଳିଙ୍କ ବ୍ୟତୀତ ଏହି ତାଲିକାରେ ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ୍ ଡେଭନ କନୱେ, ଇଂଲଣ୍ଡ ଦ୍ରୁତ ବୋଲର ଓଲି ରବିନସନ ଏବଂ ଦକ୍ଷିଣ ଆଫ୍ରିକାର ମହିଳା ଖେଳାଳି ଡାନ୍ ଭାନ୍ ନିକେର୍କ ମଧ୍ୟ ରହିଛନ୍ତି ।

ୱିଜଡେନର ସଦ୍ୟତମ ସଂସ୍କରଣରେ ଇଂଲଣ୍ଡର ଜୋ ରୁଟଙ୍କୁ ବିଶ୍ୱର ଅଗ୍ରଣୀ କ୍ରିକେଟର ଭାବେ ବିବେଚିତ କରାଯାଇଛି । ମହିଳା ବର୍ଗରେ ଦକ୍ଷିଣ ଆଫ୍ରିକାର ବ୍ୟାଟର ଲିଜେଲ ଲି ଶ୍ରେଷ୍ଠ ବିବେଚିତ ହୋଇଛନ୍ତି । ପାକିସ୍ତାନର ୱିକେଟକିପର ବ୍ୟାଟ୍ସମ୍ୟାନ୍ ମହମ୍ମଦ ରିଜୱାନଙ୍କୁ ବିଶ୍ୱର ଅଗ୍ରଣୀ ଟି୨୦ କ୍ରିକେଟର ସମ୍ମାନ ମିଳିଛି ।

ଗତ ଇଂଲଣ୍ଡ ଗସ୍ତରେ ବୁମରା ଭାରତ ପାଇଁ ସଫଳ ବୋଲର ସାବ୍ୟସ୍ତ ହୋଇଥିଲେ । ଲର୍ଡ୍ସ ଟେଷ୍ଟରେ ଭାରତର ଐତିହାସିକ ବିଜୟରେ ବୁମରା ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଏହାଛଡା, ଓଭାଲ ଟେଷ୍ଟରେ ମଧ୍ୟ ସେ ମ୍ୟାଚ୍ ବିଜୟୀ ପ୍ରଦର୍ଶନ କରି ସିରିଜରେ ଭାରତକୁ ୨-୧ ଅଗ୍ରଣୀ କରାଇବାରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲେ । ଉକ୍ତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଭାରତ ୨-୧ରେ ଅଗ୍ରଣୀ ରହିଥିଲା । ଭାରତୀୟ ଦଳରେ କରୋନା ସଂକ୍ରମଣ ଯୋଗୁଁ ସିରିଜର ପଞ୍ଚମ ତଥା ଅନ୍ତିମ ଟେଷ୍ଟ ସ୍ଥଗିତ ରଖାଯାଇଥିଲା । ସ୍ଥଗିତ ଟେଷ୍ଟ ଜୁଲାଇରେ ଖେଳାଯିବ ।

ଇଂଲଣ୍ଡ ଗସ୍ତରେ ରୋହିତ ମଧ୍ୟ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲେ । ସେ ଓପନର ଭାବେ ସେହି ଗସ୍ତରେ ୪ଟି ଟେଷ୍ଟରେ ୫୨.୫୭ ଆଭରେଜ ସହ ୩୬୮ ରନ୍ କରିଥିଲେ । ରୋହିତ ଓଭାଲରେ ୧୨୭ ରନର ଏକ ନିର୍ଣ୍ଣାୟକ ଇନିଂସ ଖେଳିଥିଲେ, ଯାହା ବିଦେଶରେ ତାଙ୍କର ପ୍ରଥମ ଟେଷ୍ଟ ଶତକ ଥିଲା ।
ବର୍ଷର ଅଗ୍ରଣୀ କ୍ରିକେଟର ବିବେଚିତ ହୋଇଥିବା ରୁଟ୍ ଗତ ୧୨ ମାସରେ ଐତିହାସିକ ସଫଳତା ହାସଲ କରିଥିଲେ । ସେ ଗତ କ୍ୟାଲେଣ୍ଡର ବର୍ଷରେ ୧୭୦୮ ରନ୍ କରିଥିଲେ, ଯାହା ଟେଷ୍ଟ ଇତିହାସରେ ତୃତୀୟ ସର୍ବାଧିକ ।

ମହିଳା ବର୍ଗରେ ଅଗ୍ରଣୀ କ୍ରିକେଟର ସମ୍ମାନ ପାଇଥିବା ଦକ୍ଷିଣ ଆଫ୍ରିକାର ଲି’ ୨୦୨୧ରେ ୯୦.୨୮ ଆଭରେଜ ସହ ଦିନିକିଆରେ ରନ୍ ସଂଗ୍ରହ କରିଥିଲେ । ବିଶେଷକରି ଭାରତ ବିପକ୍ଷ ସିରିଜରେ ସେ ଚମତ୍କାର ପ୍ରଦର୍ଶନ କରି ୪ଟି ଇନିଂସରେ ୨୮୮ ରନ୍ କରିଥିଲେ ।

Comments are closed.