ଅଫ ରୋଡ୍ ବସକୁ ଭାରୀ ଜୋରିମାନା

ସୁନ୍ଦରଗଡ- କୌଣସି ପ୍ରକାର ଲାଇସେନ୍ସ, ପରମିଶନ ନ ଥାଇ ବି ରାସ୍ତାରେ ଗଡୁଥିବା ବସ୍‌କୁ ଜବତ କରିଛି ପରିବହନ ବିଭାଗ । ବର ଯାତ୍ରୀ ଧରି ଏକ ବିବାହ ଉତ୍ସବରୁ ଫେରୁଥିବା ‘କ୍ରିଷ୍ଣାଜୀ’ ନାମକ ଯାତ୍ରୀବାହି ବସ୍‌କୁ ସୁନ୍ଦରଗଡ ପରିବହନ ବିଭାଗ ଅଧିକାରୀ ଅଟକାଇ ଯାଞ୍ଚ ପରେ ୩ ଲକ୍ଷ ୭୦ ହଜାର ୧୭୨ ଟଙ୍କା ଫାଇନ କାଟିଛନ୍ତି । ସଂପୃକ୍ତ ଯାତ୍ରୀବାହି ବସ୍‌ ଦେବଗଡ଼ରୁ ଝାଡ଼ଖଣ୍ଡ କୁର୍ଡେଗକୁ ବରଯାତ୍ରୀ ଧରି ଯାଇଥିବା ବେଳେ ଗତ ରାତିରେ ଫେରୁଥିଲା। ଗତକାଲି ରାତି ପ୍ରାୟ ୧୧ଟା ବେଳେ ସଦର ଥାନା କରମଡିହି ନିକଟରେ ପରିବହନ ବିଭାଗ ଇନ୍ସପେକ୍ଟର ଜିତେନ୍ଦ୍ର କୁମାର ମୁର୍ମୁ ଚେକିଂ କରୁଥିବା ବେଳେ ଗାଡ଼ିଟିକୁ ଅଟକାଇଥିଲେ। ବସ୍‌ର କାଗଜପତ୍ର ଯାଞ୍ଚ ବେଳେ ଗାଡ଼ିଟି ଅଫ-ରୋଡ ଥିବା ଜଣାପଡ଼ିଥିଲା। ବସର ଇନସୁରାନ୍ସ, ଫିଟନେସ୍‌, ରୋଡ ପରମିଟ, ପଲ୍ୟୁସନ ସାର୍ଟିଫିକେଟ ନ ଥିବା ବେଳେ ଟ୍ୟାକ୍ସ ଭରଣା ହୋଇ ନ ଥିଲା। ଅଫ୍-ରୋଡ ଥିବା ସତ୍ତ୍ୱେ ବସ ରାସ୍ତାରେ ଗଡୁଥିବାରୁ ସମୁଦାୟ ୩ ଲକ୍ଷ ୭୦ ହଜାର ୧୭୨ ଟଙ୍କା ଫାଇନ୍‌ ପଡ଼ିଛି। ପରିବହନ ବିଭାଗ ଗାଡ଼ିଟିକୁ ଜବତ କରିଥିବା ବେଳେ ସେଥିରେ ଥିବା ବର ଯାତ୍ରୀଙ୍କୁ ଅନ୍ୟ ଏକ ଗାଡ଼ି କରି ଗନ୍ତବ୍ୟ ସ୍ଥଳକୁ ପଠା ଯାଇଛି ।

Comments are closed.