ତୀର୍ଥ ଯାତ୍ରୀ ବସ୍ ଓଲଟିଲା, ୨୫ରୁ ଅଧିକ ଆହତ

ଖଲ୍ଲିକୋଟ: ଗଞ୍ଜାମ ଜିଲ୍ଲା ରମ୍ଭା ନିକଟ ରାଜପଥରେ ପୁରୀରୁ ତାମିଲନାଡୁ ଯାଉଥିବା ଏକ ତୀର୍ଥଯାତ୍ରୀ ବସ୍ ଶନିବାର ମଧ୍ୟରାତ୍ରରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ପ୍ରାୟ ୨୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଗୁଋତର ୪ ଜଣଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଅନ୍ୟମାନଙ୍କୁ ଛତ୍ରପୁର ଡାକ୍ତରଖାନାକୁ ପଠାଯାଇଛି। ତାମିଲନାଡୁର ଏହି ତୀର୍ଥଯାତ୍ରୀମାନେ ଚାରିଧାମ ଯାତ୍ରାରେ ବାହାରିଥିଲେ। ପୁରୀରୁ ଦର୍ଶନ ସାରି ତାମିଲନାଡୁ ଫେରୁଥିଲେ। ତେବେ ରମ୍ଭା ନିକଟ ରାଜପଥରେ ଏକ ଟ୍ରକକୁ ସାଇଡ୍ ଦେବାକୁ ଯାଇ ତୀର୍ଥଯାତ୍ରୀ ଥିବା ବସ (ଟିଏନ୍୬୩ଏଏସ୍ ୦୫୦୨)ଟି ଭାରସାମ୍ୟ ହରାଇ ରାସ୍ତାକଡ ଗାଲକୁ ଖସି ପଡିଥିଲା। ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ଚାଲୁ ରହିଛି। ତେଣୁ ରାସ୍ତା ପାର୍ଶ୍ବ ଖୋଳାଯାଇଥିବା ବେଳେ ସେଥିରେ ବସଟି ଖସି ପଡିଥିଲା। ବସରେ ପ୍ରାୟ ୫୦ ଜଣ ଯାତ୍ରୀ ଥିଲେ। ପ୍ରାୟ ଅର୍ଦ୍ଧେକ ଆହତ ହୋଇଛନ୍ତି। ସେମାନଙ୍କ ଚିକିତ୍ସା ଜାରି ରହିଛି।

ଗଞ୍ଜାମ ଜିଲ୍ଲାପାଳ, ଛତ୍ରପୁର ଉପଜିଲ୍ଲାପାଳ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ଆହତ ମାନଙ୍କ ଚିକିତ୍ସା ବ୍ୟବସ୍ଥା ବୁଝିବା ସହ ଅନ୍ୟମାନଙ୍କ ରହଣୀ ଓ ଖାଦ୍ୟପେୟ ବ୍ୟବସ୍ଥା କରାଯାଇଛି। ସମସ୍ତେ ସୁସ୍ଥ ହେବା ପରେ ସେମାନଙ୍କ ଘରକୁ ଫେରିବା ବ୍ୟବସ୍ଥା କରାଯିବ।

Comments are closed.