ବଲାଙ୍ଗୀର ଗସ୍ତରେ ଡବ୍ଲଓଡିସି ଅଧ୍ୟକ୍ଷ, ପର୍ଯ୍ୟଟନ ପରିଚାଳନା କ୍ଷେତ୍ରରେ ମହିଳା ଏସଏଚଜିଙ୍କ ଭୂମିକାକୁ ପ୍ରଶଂସା କଲେ

ଭୁବନେଶ୍ୱର/ବଲାଙ୍ଗୀର: ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଉପଦେଷ୍ଟା ତଥା ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ୍ ତ୍ରିପାଠୀ ଦୁଇଦିନିଆ ବଲାଙ୍ଗୀର ଗସ୍ତ କ୍ରମରେ ପଶ୍ଚିମ ଓଡିଶାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ହରିଶଙ୍କର ପୀଠ ଯାଇ ମିଶନଶକ୍ତି ଦ୍ୱାରା ପରିଚାଳିତ ପାନ୍ଥଶାଳା ଓ ସେଠାରେ ରହିଥିବା ବ୍ୟବସ୍ଥା ସଂପର୍କରେ ବ୍ଲକସ୍ତରୀୟ ସ୍ୱୟଂ ସହାୟିକା ଗୋଷ୍ଠୀ ମହାସଂଘର କର୍ମକର୍ତ୍ତାମାନଙ୍କ ସହିତ ଆଲୋଚନା କରିଥିଲେ । ବ୍ୟବସ୍ଥା ସଂପର୍କରେ ଅନୁଧ୍ୟାନ କରି ଶ୍ରୀ ତ୍ରିପାଠୀ କହିଛନ୍ତି ଯେ, ପାନ୍ଥଶାଳାରେ ନିୟୋଜିତ ମହିଳା ସ୍ୱୟଂସହାୟିକା ସଦସ୍ୟାମାନେ ତାଲିମ ପ୍ରାପ୍ତ। ସେମାନଙ୍କର ଆତିଥ୍ୟ ମଧ୍ୟ ଉତ୍ତମ। ସ୍ଥାନୀୟ ବ୍ଲକ ପ୍ରଶାସନ ତରଫରୁ ଏହି ପାନ୍ଥନିବାସର ପରିଚାଳନା ପାଇଁ ଆବଶ୍ୟକୀୟ ଭିତ୍ତିଭୂମି ଓ ସରଞ୍ଜାମ ନିମନ୍ତେ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି । ସ୍ଥାନୀୟ ସ୍ୱୟଂ ସହାୟିକା ଗୋଷ୍ଠୀ ମହିଳାମାନଙ୍କୁ ଏହି ପରିଚାଳନା ଦାୟିତ୍ୱ ଦିଆଯାଇଥିବାରୁ ଏହା ସେମାନଙ୍କୁ ଆର୍ଥିକ ସ୍ୱାବଲମ୍ବୀ ଓ ସଶକ୍ତ କରିବାରେ ସହାୟକ ହେବ ବୋଲି ପଶ୍ଚିମ ଓଡିଶା ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀ ଆଶା ପ୍ରକାଶ କରିଛନ୍ତି ।

ହରିଶଙ୍କର ପର୍ଯ୍ୟଟନ ଦୃଷ୍ଟିରୁ ଓଡିଶାର ଏକ ପ୍ରସିଦ୍ଧ, ମନୋରମ ଏବଂ ଆକର୍ଷଣୀୟ ସ୍ଥଳ । ବର୍ଷର ଅଧିକାଂଶ ସମୟରେ ଏଠାକୁ ବହୁ ସଂଖ୍ୟାରେ ଭକ୍ତ, ପର୍ଯ୍ୟଟକ, ପ୍ରକୃତିପ୍ରେମୀ ଓ ବଣଭୋଜି ପାଇଁ ଲୋକମାନେ ଆସିଥାନ୍ତି । ପାନ୍ଥଶାଳାରେ ରହିଥିବା ସୁବିଧା ସେମାନଙ୍କ ଆବଶ୍ୟକତା ପୂରଣ କରିବାରେ ସହାୟକ ହେଉଛି । ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀମାନଙ୍କ ଦ୍ୱାରା ପରିଚାଳିତ ଏହି ପାନ୍ଥଶାଳାର ପରିଚାଳନା ପ୍ରକୃତରେ ପର୍ଯ୍ୟଟନ, ପର୍ଯ୍ୟଟକ ଓ ମହିଳା ସଶକ୍ତିକରଣ ପାଇଁ ଏକ ସୁବ୍ୟବସ୍ଥିତ ଓ ସନ୍ତୋଷଜନକ ବ୍ୟବସ୍ଥା ବୋଲି ଶ୍ରୀ ତ୍ରିପାଠୀ କହିଥିଲେ।

ଏହି ପରିପ୍ରେକ୍ଷୀରେ ଶ୍ରୀ ତ୍ରିପାଠୀ ଆହୁରି ମଧ୍ୟ କହିଥିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ସବୁବେଳେ ସ୍ୱୟଂ ସହାୟିକା ଗୋଷ୍ଠୀ ଜରିଆରେ ମହିଳା ସଶକ୍ତିକରଣ ଉପରେ ଗୁରୁତ୍ୱ ଦେଇଆସୁଛନ୍ତି । ସେମାନେ ଅଙ୍ଗନବାଡିରେ ଛତୁଆ ବଣ୍ଟନଠାରୁ ଆରମ୍ଭ କରି ସାଧାରଣ ଖାଉଟି ସାମଗ୍ରୀ ବଣ୍ଟନ ବ୍ୟବସ୍ଥା, ବିଦ୍ୟୁତ୍ ମିଟର ରିଡିଂ ଓ ବିଲ୍ କରିବା, ଲିଜ୍ ସୁତ୍ରରେ ପଂଚାୟତ ପୋଖରୀରେ ମାଛ ଚାଷ କରିବା, ମଧ୍ୟାହ୍ନ ଭୋଜନ ସାମଗ୍ରୀ ବ୍ୟବସ୍ଥା ଆଦି ବିଭିନ୍ନ ଜୀବିକାର୍ଜନ କାର୍ଯ୍ୟରେ ସାମିଲ ହୋଇଥିବା ବେଳେ ଏବେ ସେମାନଙ୍କ ଦ୍ୱାରା ଦୃଷ୍ଟାନ୍ତମୂଳକ ଭାବେ ବଲାଙ୍ଗୀରର ହରିଶଙ୍କର ଠାରେ ପରିଚାଳିତ ପାନ୍ଥଶାଳା ପରିଚାଳନା, ସେମାନଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବା ପାଇଁ ଉତ୍ସାହିତ କରିବା ସଙ୍ଗେ ସଙ୍ଗେ ସେମାନଙ୍କର ମନୋବଳକୁ ସୁଦୃଢ କରିବ ।

ଏହି ଗସ୍ତ ସମୟରେ ଶ୍ରୀ ତ୍ରିପାଠୀ ବଲାଙ୍ଗୀର ଆଜି କେତେକ କୃଷି-ବାଣିଜ୍ୟିକ ଫାର୍ମ ପରିଦର୍ଶନ, ନୂଆ ଓମଫେଡ୍ ପାର୍ଲୋର ଉଦ୍ଘାଟନ, ଗାନ୍ଧି ଷ୍ଟାଡିୟମଠାରେ ନୂଆ ଗ୍ୟାଲେରୀର ଭିତ୍ତିପ୍ରସ୍ତର ସ୍ଥାପନ ଆଦି କରିବାର କାର୍ଯ୍ୟକ୍ରମ ରହିଛି । କ୍ଷେତ୍ର ପରିଦର୍ଶନ କରି ଭିତ୍ତିଭୂମି ଓ ଆନୁଷଙ୍ଗିକ ସୁବିଧା ଅନୁଧ୍ୟାନ ପରେ ଶ୍ରୀ ତ୍ରିପାଠୀ ସ୍ଥାନୀୟ ଉଦ୍ୟୋଗୀମାନଙ୍କ ସହିତ ବାଣିଜ୍ୟିକ ଫାର୍ମ, ମତ୍ସ୍ୟ ଚାଷ କ୍ଷେତ୍ରରେ ଖାଦ୍ୟ ପ୍ରକ୍ରିୟାକରଣ, ଉଦ୍ୟାନ କୃଷି , ଗୋପାଳନ ଓ ଅର୍ଥକାରୀ ଫସଲ କରିବା ପାଇଁ ପ୍ରୋତ୍ସାହିତ କରିବା ସଂପର୍କରେ ଆଲୋଚନା କରିବେ ।

ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷଙ୍କ ଏହି ଗସ୍ତ ପରିପ୍ରେକ୍ଷୀରେ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଲ ରାଣା, ପାଟଣାଗଡ଼ ଉପଜିଲ୍ଲାପାଳ ଡଃ. ବିଜୟାନନ୍ଦ ସେଠୀ ଏବଂ ସଂପୃକ୍ତ ବିଭାଗର ଜିଲ୍ଲାସ୍ତରୀୟ ପଦାଧିକାରୀ ଉପସ୍ଥିତ ଥିଲେ ।

Comments are closed.