ଛେଳିଗଡ଼ ପ୍ରକଳ୍ପରୁ ୬୨୬୦ ହେକ୍ଟର ଜମି ଜଳସେଚନ, ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବଙ୍କ ସମୀକ୍ଷା

ପାରଳାଖେମୁଣ୍ଡି: ଦ୍ରୁତ ଗତିରେ ଆଗେଇ ଚାଲିଛି ଗଜପତି ଜିଲ୍ଲାରେ ନିର୍ମାଣାଧୀନ ଛେଳିଗଡ଼ ଜଳସେଚନ ପ୍ରକଳ୍ପ। ୨୦୨୪ ସୁଦ୍ଧା ଏହାର ନିର୍ମାଣ ସାରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ଏଥିରୁ ଗଞ୍ଜାମ ଜିଲ୍ଲାର ୫୭୬୦ ଓ ଗଜପତି ଜିଲ୍ଲାର ୫୦୦ ହେକ୍ଟର ଜମି ଜଳସେଚିତ ହୋଇପାରିବ। ଏଥିସହ ବ୍ରହ୍ମପୁର ସହରକୁ ୧ କ୍ୟୁସେକ ପାଣି ଯୋଗାଣ ହେଵା ସହ ୩୬ ମେଗା ୱାଟ ବିଦ୍ୟୁତ୍ ଉତ୍ପାଦନ ହୋଇପାରିବ। ଆଜି ସକାଳେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ୫-ଟି ସଚିବ ଭି.କେ. ପାଣ୍ଡିଆନ ଓ ଜଳସମ୍ପଦ ସଚିବ ଅନୁ ଗର୍ଗ ଏହି ପ୍ରକଳ୍ପ ପରିଦର୍ଶନ କରି ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି।

ସମୀକ୍ଷାରୁ ମିଳିଥିବା ତଥ୍ୟ ଅନୁସାରେ ଛେଳିଗଡ ଜଳସେଚନ ପ୍ରକଳ୍ପ ଅନ୍ତର୍ଗତ ଏକ ଟନେଲ ନିର୍ମାଣ କାମ ଦ୍ରୁତ ଗତିରେ ଆଗେଇ ଚାଲିଛି।ଏହି ଟନେଲ୍ ଏକ ପାହାଡ଼ ଭିତର ଦେଇ ତିଆରି କରାଯାଉଛି। ମୋଟ ୧୨୮୦ ଶହ ମିଟର ଟନେଲ କାମ ହେବାକୁ ଥିବା ବେଳେ ବର୍ତ୍ତମାନ ପ୍ରାୟ ୧୭୦ ମିଟର କାମ ସରିଲାଣି।ଏଥିପାଇଁ ୯୦.୭୮ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଥିବା ବେଳେ ୫ କୋଟି ଟଙ୍କା ଖର୍ଚ୍ଚ କରାଯାଇ ସାରିଲାଣି। ଚଳିତ ବର୍ଷ ଅକ୍ଟୋବର ମାସ ଶେଷ ସୁଦ୍ଧା ଟନେଲ କାମ ସାରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ପ୍ରକଳ୍ପର ଡ୍ୟାମ୍ କାମ କାମ ମଧ୍ଯ ଚାଲିଛି। ଟନେଲ କାମ ସରିଲେ ପରୀକ୍ଷାମୂଳକ ଭାବେ ଜଳ ନିଷ୍କାସନ ବ୍ୟବସ୍ଥା କରାଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।

ଆଜି ସକାଳ ପ୍ରାୟ ସାଢେ଼ ସାତଟାରେ କୁଆଁପଡ଼ା ଗାଁ ନିକଟରେ ନିର୍ମିତ ଅସ୍ଥାୟୀ ହେଲିପ୍ୟାଡରେ ତିନି ସଚିବ ଆସିଥିବା ହେଲିକପ୍ଟର ଅବତରଣ କରିଥିଲା। ପରେ ନିକଟରେ ନିର୍ମାଣାଧୀନ ଟନେଲକୁ ଯାଇଥିଲେ ତିନି ସଚିବ। ଛେଳିଗଡ ଜଳସେଚନ ପ୍ରକଳ୍ପ ୨୦୦୫-୦୬ ମସିହାରୁ ଆରମ୍ଭ ହୋଇଥିଲା। ଆସନ୍ତା ଦେଢବର୍ଷ ମଧ୍ୟରେ ପ୍ରକଳ୍ପ ସାରିବାକୁ ଲକ୍ଷ୍ୟ ରହିଛି। ସେଥିପାଇଁ ସମସ୍ତ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉଛି। ପ୍ରଥମେ ଏଥିପାଇଁ ୫୨.୯୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିଲା। ବର୍ତ୍ତମାନ ତାହା ୯୯୬.୦୪ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଏହି ପ୍ରକଳ୍ପ ଦ୍ବାରା ଗଜପତି ଜିଲ୍ଲାର ୫୦୦ ହେକ୍ଟର ଜମି ଜଳସେଚିତ ହୋଇପାରିବ। ସେଥି ମଧ୍ୟରୁ ଆର୍. ଉଦୟଗିରି ବ୍ଲକର ୨୬୨ ହେକ୍ଟର ଓ ମୋହନା ବ୍ଲକର ୨୩୮ ହେକ୍ଟର ଚାଷଜମି ଜଳସେଚିତ ହେବ। ସେହିପରି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକର ୨୦୦୦ ଓ ଦିଗପହଣ୍ଡି ବ୍ଲକର ୩୭୬୦ ହେକ୍ଟର ଜମିକୁ ଜଳସେଚନ କରାଯିବା ଲକ୍ଷ୍ୟ ରଖାଯାଇଛି। ଏହି ପ୍ରକଳ୍ପ ନିର୍ମାଣ ହେଲେ ୫ଗୋଟି ଗାଁ ସମ୍ପୂର୍ଣ୍ଣ ବୁଡି ଯାଉଥିବା ବେଳେ ୧୦ଗୋଟି ଗାଁ ଆଂଶିକ ପ୍ରଭାବିତ ହେବ। ଏଥିପାଇଁ କ୍ଷତିଗ୍ରସ୍ତ ପରିବାରକୁ ସରକାରୀ ନିୟମ ଅନୁଯାୟୀ ଆର୍ଥିକ ସହାୟତା ପ୍ରଦାନ ସହ ଥଇଥାନ ବ୍ୟବସ୍ଥା କରାଯାଇଛି। ଏଥିପାଇଁ ଗଞ୍ଜାମ ଜିଲ୍ଲାର ସାମନ୍ତରାପୁର, ବାବୁଲି ବନ୍ଧ, ବାଲିପଟା, ଚକାତେନ୍ତୁଳି ଏବଂ ଗଜପତି ଜିଲ୍ଲାର ସଇଲଙ୍ଗ ଓ ରତଙ୍ଗ ଗାଁରେ ଜମି ଚିହ୍ନଟ ସହ ବାସଗୃହ ନିର୍ମାଣ ସରିଛି। କିଛି ପରିବାରଙ୍କୁ ମଧ୍ୟ ଥଇଥାନ କରାଗଲାଣି।

ପ୍ରକଳ୍ପ ସମୀକ୍ଷା ବେଳେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ଏସପି ଜୟରାମ ଶତପଥୀ, ଛେଳିଗଡ଼ ଜଳସେଚନ ପ୍ରକଳ୍ପ ଅଧିକ୍ଷଣ ଯନ୍ତ୍ରୀ ନଗେନ୍ଦ୍ର ମହାରଣା ଉପସ୍ଥିତ ଥିଲେ l

Comments are closed.