ଡିସେମ୍ବର ସୁଦ୍ଧା ସରିବ ଘଟକେଶ୍ୱର ପ୍ରକଳ୍ପ, ସ୍ଥିତି ପରଖିଲେ ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା କୁକୁଡାଖଣ୍ଡି ବ୍ଲକ୍‌ରେ ନିର୍ମାଣାଧୀନ ଘଟକେଶ୍ୱର ବହୁମୁଖୀ ଜଳପ୍ରକଳ୍ପ କାର୍ଯ୍ୟ ଚଳିତ ବର୍ଷ ଡିସେମ୍ବର ମାସ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ ହେବ। ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ବ୍ରହ୍ମପୁର ମହାନଗର ସମେତ କୁକୁଡାଖଣ୍ଡି ଓ ରଙ୍ଗେଇଲୁଣ୍ଡା ବ୍ଲକ୍‌ର ପ୍ରାୟ ୭୫ ହଜାର ବାସିନ୍ଦାଙ୍କୁ ପିଇବା ପାଣି ଯୋଗାଇ ଦିଆଯିବ। ଏଥିସହ ୬୦୦ ହେକ୍ଟର ଚାଷ ଜମିକୁ ଜଳସେଚିତ କରିହେବ। ଆଜି ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ୫-ଟି ସଚିବ ଭି.କାର୍ତ୍ତିକେୟ ପାଣ୍ଡିଆନ୍ ଏବଂ ଜଳସମ୍ପଦ ସଚିବ ଅନୁ ଗର୍ଗ ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ପରଖିବା ସହ କାର୍ଯ୍ୟର ଅଗ୍ରଗତିରେ ସନ୍ତୁଷ୍ଟି ପ୍ରକାଶ କରିଛନ୍ତି। ଏଥିସହ ସେମାନେ ୫-ଟି ରୂପାନ୍ତରଣ ଅନ୍ତର୍ଗତ ପୁରୁଣାପାଟଣା ଉଚ୍ଚବିଦ୍ୟାଳୟ ମଧ୍ୟ ବୁଲି ଦେଖିଥିଲେ।

କ୍ରମବର୍ଦ୍ଧିଷ୍ଣୁ ବ୍ରହ୍ମପୁର ସହରର ଲଗାତର ବୃଦ୍ଧି ପାଉଥିବା ଜନସଂଖ୍ୟାକୁ ଯଥେଷ୍ଟ ମାତ୍ରାରେ ଜଳଯୋଗାଣ ପାଇଁ ଉଦ୍ଦିଷ୍ଟ ଅନ୍ୟତମ ବହୁପ୍ରତିକ୍ଷୀତ ଘଟକେଶ୍ୱର ପ୍ରକଳ୍ପ କାର୍ଯ୍ୟ ଚଳିତ ବର୍ଷ ଶେଷ ସୁଦ୍ଧା ହିଁ ସରିବ। କାର୍ଯ୍ୟର ପ୍ରଗତି ସନ୍ତୋଷଜନକ ରହିଛି ବୋଲି ତିନି ସଚିବଙ୍କ ଗସ୍ତ ଓ ସମୀକ୍ଷାରୁ ଜଣାଯାଇଛି। ୧୭୨ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେଉଥିବା ଏହି ଜଳ ପ୍ରକଳ୍ପର ଶୁଭ ଦେଇଥିଲେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର। ୨୦୨୦ ମସିହା ଫେବୃଆରୀ ମାସରୁ ଏହାର କାର୍ଯ୍ୟ ଆରମ୍ଭ ହୋଇଥିଲା। ମାତ୍ର ୩୪ ମାସର ସ୍ୱଳ୍ପ ଅବଧି ମଧ୍ୟରେ ପ୍ରକଳ୍ପ ସମ୍ପୂର୍ଣ୍ଣ କରାଯିବାକୁ ଲକ୍ଷ୍ୟ ରଖି କାର୍ଯ୍ୟ ତ୍ବରାନ୍ବିତ କରାଯାଉଛି। ଏଥିପାଇଁ ମୁଖ୍ୟ ଶାସନ ସଚିବ ଓ ଜଳସମ୍ପଦ ସଚିବ ନିକଟ ଅତୀତରେ ଏହି ପ୍ରକଳ୍ପ ପରିଦର୍ଶନ କରି ସମୀକ୍ଷା କରିଥିଲେ। ଜମି ଅଧିଗ୍ରହଣ ସହ ଖଜଣା ଛାଡ଼ ପ୍ରସ୍ତାବକୁ ମଧ୍ୟ ରାଜ୍ୟ ସରକାର ମଞ୍ଜୁରୀ ଦେଇ ସାରିଛନ୍ତି।

ଆଜି ତିନି ସଚିବଙ୍କ ପରିଦର୍ଶନ ବେଳେ ପ୍ରକଳ୍ପର ରୂପରେଖ ସହ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଜଳସମ୍ପଦ ବିଭାଗ ଅଧିକାରୀମାନେ ବୁଝାଇଥିଲେ। ମୁଖ୍ୟ ଶାସନ ସଚିବ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି ଯେ ଏହି ମଧ୍ୟମ ଜଳସେଚନ ବହୁମୁଖୀ ପ୍ରକଳ୍ପର ଡ୍ୟାମ୍ ସମ୍ପୂର୍ଣ୍ଣ କଂକ୍ରିଟରେ ପ୍ରସ୍ତୁତ ହେଉଛି। ଭୂତଳ ଭାବେ ଜଳଯୋଗାଣ ସାଙ୍ଗକୁ ୬୦୦ରୁ ଊର୍ଦ୍ଧ୍ବ ହେକ୍ଟର ଜମିକୁ ଜଳସେଚିତ କରାଯିବ। ଫାଉଣ୍ଡେସନ୍ କାର୍ଯ୍ୟ ତ୍ବରାନ୍ବିତ କରାଯାଇ ଏବେ କଙ୍କ୍ରିଟ୍ କାମ ଦ୍ରୁତଗତିରେ ସମ୍ପନ୍ନ କରାଯାଉଛି। ଦିନରାତି କାମ କରାଯାଇ ଡିସେମ୍ବର ୨୦୨୨ ସୁଦ୍ଧା କାମ ସମ୍ପୂର୍ଣ୍ଣ କରାଯିବ ବୋଲି ସେ କହିଛନ୍ତି।

ଏହା ପରେ ତିନି ସଚିବ ପୁରୁଣାପାଟଣା ୫-ଟି ଟ୍ରାନ୍ସଫର୍ମେସନ୍‌ ହାଇସ୍କୁଲ ପରିଦର୍ଶନ କରିଥିଲେ। ଅତ୍ୟାଧୁନିକ ସୁବିଧାସମ୍ପନ୍ନ ସ୍ମାର୍ଟ କ୍ଲାସ୍ ରୁମ୍‌ରେ ପିଲାମାନଙ୍କୁ କିଭଳି ଡିଜିଟାଲ ପଦ୍ଧତିରେ ଶିକ୍ଷାଦାନ ଦିଆଯାଉଛି ତାହା ବୁଝିଥିଲେ। ଶିକ୍ଷକମାନଙ୍କ ସହ ଆଲୋଚନା କରିଥିଲେ। ଏହି ଗସ୍ତ ସମୟରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଦେ ଦତ୍ତାତ୍ରୟ ଭାଉସାହେବ, ବ୍ରହ୍ମପୁର ଉପଜିଲ୍ଲାପାଳ ଭି.କୀର୍ତ୍ତି ଭାସନ୍, ବ୍ରହ୍ମପୁର ମହାନଗର ନିଗମ କମିଶନର୍ ସିଦ୍ଧେଶ୍ଵର ବଳିରାମ ବୋନ୍ଦାର, ଜଳସମ୍ପଦ ବିଭାଗର ବରିଷ୍ଠ ଅଧିକାରୀ ଓ ଯନ୍ତ୍ରୀଗଣ ଉପସ୍ଥିତ ଥିଲେ।

Comments are closed.