ପୂର୍ବତନ ଆଇଏଫଏସ ଅଭୟକାନ୍ତ ପାଠକଙ୍କ ସଂପତ୍ତି ଜବତ କଲା ଇଡି

ଭୁବନେଶ୍ୱର – ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘନିଷ୍ଠ ତଥା ପୂର୍ବତନ ଆଇଏଫଏସ୍ ଅଧିକାରୀ ଅଭୟକାନ୍ତ ପାଠକଙ୍କ ୨୯.୮୩ ଲକ୍ଷ ଟଙ୍କାର ସମ୍ପତ୍ତିକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜବତ କରିଛି । ରାଜ୍ୟରେ ବୃକ୍ଷରୋପଣ ଓ ବନୀକରଣ କାର୍ଯ୍ୟକ୍ରମରେ ଦୁର୍ନୀତି ହୋଇଥିବା ନେଇ ପୂର୍ବତନ ଅତିରିକ୍ତ ପିସିସିଏଫ ଅଭୟକାନ୍ତ ପାଠକଙ୍କ ବିରୋଧରେ ଭିଜିଲାନ୍ସ ତଦନ୍ତ ଜାରି ରହିଛି । ଇଡି ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ପ୍ରିଭେନସନ୍ ଅଫ ମନି ଲଣ୍ଡ୍ରିଂ ଆକ୍ଟ ଅନୁସାରେ ପୂର୍ବତନ ଆଇଏଫଏସ୍ ଅଧିକାରୀ ପାଠକଙ୍କ ଆୟବର୍ହିଭୂତ ସମ୍ପତ୍ତି ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହି ଆୟ ବର୍ହିଭୂତ ସମ୍ପତ୍ତିର ପରିମାଣ ୨୯.୮୩ଲକ୍ଷ ଟଙ୍କା ହେବ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହି ସମ୍ପତ୍ତିକୁ ଜବତ କରିବା ପରେ ପାଠକ ଏସବୁର ଉପଯୋଗ କରିପାରିବେ କିନ୍ତୁ ଏହାକୁ ବିକ୍ରି କିମ୍ବା କାହାରିକୁ ହସ୍ତାନ୍ତର କରିପାରିବେ ନାହିଁ ।

ଦୁର୍ନୀତି ଅଭିଯୋଗରେ ଭିଜିଲାନ୍ସ ବିଭାଗ ୨୦୨୦ ନଭେମ୍ବର ୨୭ ତାରିଖରେ ତାଙ୍କୁ ଗିରଫ କରିଥିଲା । ରାଜ୍ୟ ସରକାରଙ୍କ ସୁପାରିଶରେ କେନ୍ଦ୍ର ସରକାର ୨୦୨୧ ମେ’ ମାସରେ ତାଙ୍କୁ ବାଧ୍ୟତାମୂଳକ ଅବସର ଦେଇଥିଲେ । ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ବିଜେଡି ସରକାରର କାର୍ଯ୍ୟାନୁଷ୍ଠାନ ବେଳେ ତାଙ୍କର ସମ୍ପର୍କୀୟ ଭାବେ ପାଠକଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ହୋଇଥିଲା ।

Comments are closed.