ଦୁଇ ବର୍ଷ ପରେ ଭାରତୀୟ ଛାତ୍ରଙ୍କୁ ଫେରିବାକୁ ଅନୁମତି ଦେଲା ଚୀନ୍

ନୂଆଦିଲ୍ଲୀ: କୋଭିଡ-୧୯ ମହାମାରୀ କାରଣରୁ ଭିସା ଏବଂ ଉଡ଼ାଣ କଟକଣା ଯୋଗୁଁ ପ୍ରାୟ ଦୁଇ ବର୍ଷ ଧରି ଭାରତରେ ଫସି ରହିଥିବା “କିଛି” ଭାରତୀୟ ଛାତ୍ରଙ୍କୁ ଫେରାଇ ଆଣିବା ପାଇଁ ଚୀନ୍ ଶୁକ୍ରବାର ଯୋଜନା ଘୋଷଣା କରିଛି। ଚୀନର ଏହି ଘୋଷଣା ପରେ ଚୀନର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ପଢୁଥିବା ହଜାର ହଜାର ଭାରତୀୟ ଛାତ୍ରଙ୍କୁ ଆଶ୍ବସ୍ତି ଦେଇଛି। କରୋନା ମହାମାରୀ ଆରମ୍ଭ ହେବା ପରେ ଚୀନରେ ପଢୁଥିବା ପ୍ରାୟ ୨୦,୦୦୦ ଭାରତୀୟ ଛାତ୍ର ସ୍ବଦେଶ ଫେରି ଆସିଥିଲେ ।

ଭାରତୀୟ ଦୂତାବାସ କହିଛି ଯେ ଚୀନକୁ ଫେରିବାକୁ ଚାହୁଁଥିବା ଭାରତୀୟ ଛାତ୍ରମାନେ ମିଶନ ୱେବସାଇଟରେ ଏକ ‘ଗୁଗୁଲ ଫର୍ମ’ ପୂରଣ କରିବେ ମେ ୮ ସୁଦ୍ଧା ଆବଶ୍ୟକ ସୂଚନା ଦେବାକୁ ପଡ଼ିବ ।

ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଜାଓ ଲିଜିଆନ୍ କହିଛନ୍ତି, ‘ଚୀନ୍‌ରେ ପାଠପଢ଼ା ଶେଷ କରିବା ପାଇଁ ଭାରତୀୟ ଛାତ୍ରଛାତ୍ରୀଙ୍କ ଚିନ୍ତାକୁ ଆମ ଦେଶ ଗୁରୁତ୍ୱ ଦେଇଆସିଛି। ଚୀନକୁ ଫେରୁଥିବା ଅନ୍ୟ ଦେଶର ଛାତ୍ରମାନଙ୍କ ପ୍ରକ୍ରିୟା ଏବଂ ଅଭିଜ୍ଞତା ଆମେ ଭାରତୀୟ ପକ୍ଷ ସହ ସେୟାର କରିଛୁ |

ସେ କହିଛନ୍ତି, ‘ଭାରତୀୟ ଛାତ୍ରଛାତ୍ରୀଙ୍କ ପ୍ରତ୍ୟାବର୍ତ୍ତନ ପାଇଁ କାମ ଆରମ୍ଭ ହୋଇଛି। ଭାରତକୁ କେବଳ ସେହି ଛାତ୍ରମାନଙ୍କର ଏକ ତାଲିକା ଦେବାକୁ ପଡିବ ଯେଉଁମାନେ ପ୍ରକୃତରେ ଚୀନକୁ ଫେରିବାକୁ ଚାହୁଁଛନ୍ତି ‌‌।

ଏଥିରେ କୁହାଯାଇଛି ଯେ ଚୀନ୍‌କୁ ଅଧ୍ୟୟନ ପାଇଁ ଫେରିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ତାଲିକା ଭାରତୀୟ ଦୂତାବାସକୁ ପ୍ରସ୍ତୁତ କରିବାକୁ ପଡ଼ିବ। କୁହାଯାଇଛି ଯେ ଭାରତୀୟ ଛାତ୍ରମାନଙ୍କୁ ଏହି ପରିପ୍ରେକ୍ଷୀରେ ୮ ମଇ ୨୦୨୨ ସୁଦ୍ଧା ଆବଶ୍ୟକ ସୂଚନା ଦେବାକୁ ଅନୁରୋଧ କରାଯାଇଛି।

ଗତ କିଛି ମାସ ମଧ୍ୟରେ, ଚୀନ୍ ପାକିସ୍ତାନ, ଥାଇଲ୍ୟାଣ୍ଡ, ସୋଲୋମନ ଦ୍ୱୀପପୁଞ୍ଜ ଏବଂ ଶ୍ରୀଲଙ୍କା ଭଳି କେତେକ ବନ୍ଧୁତ୍ୱପୂର୍ଣ୍ଣ ଦେଶରୁ ଛାତ୍ରମାନଙ୍କୁ ଫେରିବାକୁ ଅନୁମତି ଦେଇଥିଲା । କିନ୍ତୁ ଭାରତୀୟ ଛାତ୍ର ତଥା ଶତାଧିକ ଭାରତୀୟ ପରିବାର ସଦସ୍ୟଙ୍କୁ ଅନୁମତି ଦେବା ନେଇ ଚୀନ୍ ନୀରବ ରହିଥିଲା । ନିକଟରେ ଭାରତ ମଧ୍ୟ ଚୀନ୍ ନାଗରିକଙ୍କ ପାଇଁ ଟୁରିଷ୍ଟ ଭିସା ବନ୍ଦ କରି ଦେଇଥିଲା ।

Comments are closed.