୧୨୨ ବର୍ଷର ରେକର୍ଡ ଭାଙ୍ଗିଲା ଏପ୍ରିଲ ମାସର ତାତି

ନୂଆଦିଲ୍ଲୀ: ଏପ୍ରିଲ ମାସ ସରିନି ଦେଶରେ ଗ୍ରୀଷ୍ମ ପ୍ରବାହ ଭୟଙ୍କର ହେଲାଣି । ଦେଶର ଅନେକ ଅଞ୍ଚଳରେ ତାତି ରେକର୍ଡ ଭାଙ୍ଗିଲାଣି | ଦିଲ୍ଲୀ, ୟୁପି, ହରିୟାଣା, ମଧ୍ୟପ୍ରଦେଶ, ପଞ୍ଜାବ, ବିହାର ସମେତ ଅନେକ ରାଜ୍ୟରେ ପାରା ୪୬ ରୁ ୪୭ ଡିଗ୍ରୀ ଛୁଇଁଛି । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଦେଶର କିଛି ଅଞ୍ଚଳରେ ଏପ୍ରିଲ ମାସର ତାତି ୧୨୨ ବର୍ଷର ରେକର୍ଡ ଭାଙ୍ଗିଛି | ଏଥର ଦେଶର ଉତ୍ତର ପଶ୍ଚିମ ଏବଂ କେନ୍ଦ୍ରୀୟ ଭାରତରେ ଏପ୍ରିଲ ମାସ ୧୨୨ ବର୍ଷରେ ସବୁଠାରୁ ଉତ୍ତପ୍ତ ମାସ ଥିଲା | ଏପରିକି ହାରାହାରି ତାପମାତ୍ରା ଯଥାକ୍ରମେ ୩୫.୯ ଏବଂ ୩୭.୭୮ ଡିଗ୍ରୀ ସେଲସିୟସରେ ପହଞ୍ଚିଛି | ଆଗକୁ କିଛି ସ୍ଥାନରେ ତାପମାତ୍ରା ୫୦ ଡିଗ୍ରୀ ଛୁଇଁପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

ପାଣିପାଗ ବିଭାଗର ମହାନିର୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ଦେଶର ଉତ୍ତର-ପଶ୍ଚିମ ଏବଂ ପଶ୍ଚିମ-କେନ୍ଦ୍ରୀୟ ଭାଗ ତଥା ଗୁଜୁରାଟ, ରାଜସ୍ଥାନ, ପଞ୍ଜାବ ଏବଂ ହରିୟାଣାରେ ମେ ମାସରେ ମଧ୍ୟ ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରହିବ। ଦକ୍ଷିଣ ଉପଦ୍ୱୀପ ଭାରତର କିଛି ଅଞ୍ଚଳ ବ୍ୟତୀତ ମେ’ରେ ଦେଶର ଅଧିକାଂଶ ଅଞ୍ଚଳରେ ରାତିରେ ଗରମ ଅନୁଭୂତ ହେବ ବୋଲି ମହାପାତ୍ର କହିଛନ୍ତି। ସେ କହିଛନ୍ତି ଯେ ଏପ୍ରିଲରେ ଭାରତରେ ହାରାହାରି ତାପମାତ୍ରା ୩୫.୦୫ ଡିଗ୍ରୀ ରହିଥିଲା ​​ଯାହା ୧୨୨ ବର୍ଷ ମଧ୍ୟରେ ଚତୁର୍ଥ ସର୍ବାଧିକ ଥିଲା |

Comments are closed.