କୁମାର ବିଶ୍ବାସଙ୍କ ଗିରଫ ଉପରେ ରୋକ୍ ଲଗାଇଲେ ହାଇକୋର୍ଟ

ଚଣ୍ଡିଗଡ଼: ପଞ୍ଜାବ-ହରିୟାଣା ହାଇକୋର୍ଟ ଆମ୍ ଆଦମୀ ପାର୍ଟିର ପୂର୍ବତନ ନେତା କୁମାର ବିଶ୍ବାସଙ୍କୁ ଆଶ୍ବସ୍ତି ଦେଇଛନ୍ତି । ତାଙ୍କ ଗିରଫ ଉପରେ ହାଇକୋର୍ଟ ଅନ୍ତରୀଣ ରୋକ୍ ଲଗାଇଛନ୍ତି । ପ୍ରକାଶଯୋଗ୍ୟ ଯେ ପଞ୍ଜାବର ରୋପଡରେ କୁମାର ବିଶ୍ବାସଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା। ଖାଲିସ୍ତାନ ସହ କେଜ୍ରିୱାଲଙ୍କ ସମ୍ପର୍କ ରହିଥିବା ନେଇ ବୟାନ ପାଇଁ କୁମାର ବିଶ୍ୱାସଙ୍କ ବିରୋଧରେ ଏହି ମାମଲା ରୁଜୁ ହୋଇଥିଲା ।

ମାମଲା ପଞ୍ଜିକରଣ ପରେ କୁମାର ବିଶ୍ୱାସ ପଞ୍ଜାବ ପୋଲିସର କାର୍ଯ୍ୟାନୁଷ୍ଠାନ ବିରୋଧରେ କୋର୍ଟରେ ଆବେଦନ କରିଥିଲେ। ତାଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ମାମଲା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ସେ କହିଥିଲେ।

କୁମାର ବିଶ୍ବାସଙ୍କ ମନ୍ତବ୍ୟକୁ ସମର୍ଥନ କରିଥିବାରୁ କଂଗ୍ରେସ ନେତ୍ରୀ ଅଳକା ଲାମ୍ବାଙ୍କ ବିରୋଧରେ ମଧ୍ୟ ଏକ ମାମଲା ରୁଜୁ ହୋଇଥିଲା।

ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ଆପ୍ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଉପରେ କୁମାର ବିଶ୍ୱାସଙ୍କ ଏକ ମନ୍ତବ୍ୟକୁ ନେଇ ହଙ୍ଗାମା ସୃଷ୍ଟି ହୋଇଥିଲା । କୁମାର ବିଶ୍ୱାସ ଦାବି କରିଥିଲେ ଯେ କେଜ୍ରିୱାଲ ତାଙ୍କୁ ଥରେ କହିଥିଲେ ଯେ, ଦିନେ ସେ ପଞ୍ଜାବର ମୁଖ୍ୟମନ୍ତ୍ରୀ ହେବେ କିମ୍ବା ଏକ ସ୍ବାଧୀନ ରାଷ୍ଟ୍ର (ଖଲିସ୍ତାନ) ର ପ୍ରଥମ ପ୍ରଧାନମନ୍ତ୍ରୀ ହେବେ।

କୁମାର ବିଶ୍ୱାସଙ୍କ ଏହି ମନ୍ତବ୍ୟ ପଞ୍ଜାବ ନିର୍ବାଚନରେ ​​ମଧ୍ୟ ଏକ ପ୍ରସଙ୍ଗ ପାଲଟିଥିଲା। ପଞ୍ଜାବ ନିର୍ବାଚନରେ ବିପୁଳ ବିଜୟ ପରେ ଆମ୍ ଆଦମୀ ପାର୍ଟି ସରକାର ଗଢ଼ିଥିଲା। ଏହି ମାମଲାରେ ପଚରାଉଚରା ପାଇଁ ପଞ୍ଜାବ ପୋଲିସ ଏପ୍ରିଲ ୨୦ରେ ଗାଜିଆବାଦ ସ୍ଥିତ କୁମାର ବିଶ୍ୱାସଙ୍କ ଘରେ ପହଞ୍ଚି ତାଙ୍କୁ ପଚରାଉଚରା କରିଥିଲା ।

Comments are closed.