ବିଧାୟକଙ୍କ ସମେତ ନିଜ ଦଳର କର୍ମୀଙ୍କୁ ଗୁଣ୍ଡାର ଆଖ୍ୟା ଦେଲେ ଦେବଗଡର ରାଣୀ ଅରୁନ୍ଧତୀ ଦେବୀ

ଦେବଗଡ଼: ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଦଳୀୟ କର୍ମୀ ଗୁଣ୍ଡାଗର୍ଦିକୁ ଓହ୍ଲାଇଛନ୍ତି। ଲୋକେ କଣ ଏଭଳି କାମ କରିବାକୁ ଭୋଟ ଦେଇଥିଲେ କି ବୋଲି ଖୋଦ୍ ଦଳର ତୁଙ୍ଗ ନେତ୍ରୀ ତଥା ଦେବଗଡର ରାଣୀ ଅରୁନ୍ଧତୀ ଦେବୀ ପ୍ରଶ୍ନ କରିଛନ୍ତି। ଖାଲି ସେତିକି ନୁହେଁ, ଦଳର ଏଭଳି ଆଚରଣ ପାଇଁ ରାଣୀ ମାଁ ଲୁହ ଗଡାଇ ଦେଇଛନ୍ତି। ନନ୍ଦିଘୋଷ ଟିଭିକୁ ସାକ୍ଷାତକାର ଦେଇ ରାଣୀ ବିଧାୟକଙ୍କ ସମେତ ପୁରା ଦଳକୁ କାଠଗଡାରେ ଛିଡା କରାଇ ଦେଇଛନ୍ତି। ଖାଲି ସେତିକି ନୁହେଁ, ପରୋକ୍ଷରେ ସେ ତାଙ୍କ ସାଂସଦ ସ୍ବାମୀ ତଥା ରାଜା ନିତେଶ ଗଙ୍ଗଦେବଙ୍କୁ ବି ଟାର୍ଗେଟ କରିଛନ୍ତି। ରାଣୀଙ୍କ ଏଭଳି ମନ୍ତବ୍ଯ ବିଜେପିକୁ ସାଂଘାତିକ ଅଡୁଆରେ ପକାଇ ଦେଇଛି।

ଦେବଗଡ ବିଧାୟକ ସୁବାସ ପାଣିଗ୍ରାହୀ ତିଲେଇବଣୀ ବିଡିଓଙ୍କୁ ମାଡ ମାରିବା ଘଟଣାରେ ଗିରଫ ହୋଇ ଜେଲ ହାଜତରେ ଅଛନ୍ତି। ତାଙ୍କ ଗିରଫ ପ୍ରତିବାଦରେ ଜିଲ୍ଲା ବିଜେପି ୧୨ ଘଣ୍ଟିଆ ଦେବଗଡ ବନ୍ଦ ପାଳନ କରିଥିଲା। ଦଳ ଏଥିରୁ ଲୋକଙ୍କ ସହାନୁଭୂତି ଗୋଟାଇବାକୁ ଚେଷ୍ଟା କରୁଥିବା ବେଳେ ଲୋକଙ୍କ ଠାରୁ ସମାଲୋଚନାର ଶିକାର ହେବାରେ ଲାଗିଛି। ଏଭଳି ସ୍ଥିତିରେ ଖୋଦ୍ ଦଳର ତୁଙ୍ଗ ନେତ୍ରୀ ତଥା ସ୍ଥାନୀୟ ସାଂସଦ ରାଜା ନିତେଶ ଗଙ୍ଗଦେବଙ୍କ ଧର୍ମପତ୍ନୀ ରାଣୀ ଅରୁନ୍ଧତୀ ଦେବୀଙ୍କ ମନ୍ତବ୍ଯ ଦଳକୁ ଅଡୁଆରେ ପକାଇ ଦେଇଛି। ସୁବାସଙ୍କ ଆଚରଣକୁ ସେ ତୀବ୍ର ସମାଲୋଚନା କରିଛନ୍ତି। ଲୋକେ ତାଙ୍କୁ ଗୁଣ୍ଡାଗର୍ଦ୍ଦି କରିବାକୁ ଭୋଟ୍ ଦେଇଥିଲେ କି ବୋଲି ପ୍ରଶ୍ନ କରିଛନ୍ତି।

ଏହାଛଡା ସୁବାସଙ୍କ ଏଭଳି ହୀନ କାମକୁ ସମର୍ଥନ ଦେଉଥିବା ଦଳର କର୍ମୀଙ୍କୁ ମଧ୍ଯ ରାଣୀ କଟୁ ସମାଲୋଚନା କରିଛନ୍ତି। ଲୋକେ ଯେଉଁ ଆଶା ନେଇ ଭୋଟ୍ ଦେଇଥିଲେ ତାହା ଫସର ଫାଟିଛି ବୋଲି ସେ କହିବା ବେଳେ କାନ୍ଦି ପକାଇଛନ୍ତି।

ପୁଣି ଦଳର ଗୋଷ୍ଠୀ କନ୍ଦଳକୁ ବି ସେ ପଦାରେ ପକାଇ ଦେଇଛନ୍ତି। ସାଂସଦ ଏବଂ ବିଧାୟକଙ୍କ ସମାନ୍ତରାଳ ଗୋଷ୍ଠୀ କଥାକୁ ବି ଉଲ୍ଲେଖ କରି ସେ ସୁବାସଙ୍କୁ ଟାର୍ଗେଟ କରିଛନ୍ତି। ଦଳର ଏହି କନ୍ଦଳ ଦୂର କରିବାକୁ ସେ ଅନେକ ଥର ସୁବାସ ବାବୁଙ୍କୁ ଡାକିଥିଲେ ହେଁ ସେ ଆଦୌ କର୍ଣପାତ କରିନଥିଲେ ବୋଲି ରାଣୀ ଅଭିଯୋଗ କରିଛନ୍ତି।

ଏପରିକି ଗତ ୨୦୧୭ରେ ମୋ ନେତୃତ୍ବରେ ଦଳ ଜିଲ୍ଲା ପରିଷଦ ଗଠନ କରିବା ପରେ ବି ମୋତେ ପଚାରିନଥିଲେ ବୋଲି କହିଛନ୍ତି। ଖାଲି ସେତିକି ନୁହେଁ, ପରୋକ୍ଷରେ ସେ ରାଜା ତଥା ସାଂସଦ ସ୍ବାମୀଙ୍କୁ ବି ଟାର୍ଗେଟ କରିଛନ୍ତି। ନିତେଶ ଗଙ୍ଗଦେବଙ୍କ ନିର୍ବାଚନ ବେଳେ ସେ ପ୍ରତ୍ୟେକ ଅଞ୍ଚଳକୁ ନିଜେ ଯାଇ ଲୋକଙ୍କୁ ଅନେକ ପ୍ରତିଶୃତି ଦେଇ ଭୋଟ୍ ମାଗିଥିଲୁ। ହେଲେ ସେହି ପ୍ରତିଶୃତି ପାଳନ ପାଇଁ ଆନ୍ତରିକତା କାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। ରାଣୀଙ୍କ ଏଭଳି ମନ୍ତବ୍ଯ ଦେବଗଡ ବିଜେପିରୁ ଆରମ୍ଭ କରି ରାଜ୍ୟ ରାଜନୀତିରେ କଂପନ ସୃଷ୍ଟି କରିଛି।

Comments are closed.