ପ୍ରେସ୍ ସ୍ୱାଧୀନତା ସୂଚକାଙ୍କରେ ଭାରତର ମାନ୍ୟତା ଆହୁରି ହ୍ରାସ, ୧୪୨ ରୁ ୧୫୦ତମ ସ୍ଥାନକୁ ଖସିଲା

ନୂଆଦିଲ୍ଲୀ: ଭାରତରେ ଗଣମାଧ୍ୟମ ବିପଦରେ । ୱାର୍ଲ୍ଡ ପ୍ରେସ୍ ଫ୍ରିଡମ୍ ଇଣ୍ଡେକ୍ସ ଅର୍ଥାତ୍ ପ୍ରେସ୍ ସ୍ୱାଧୀନତା ସୂଚକାଙ୍କରେ ଭାରତର ମାନ୍ୟତା ଆହୁରି ହ୍ରାସ ପାଇଛି। ଭାରତ ଏହି ତାଲିକାରେ ଏଥର ୧୫୦ ତମ ସ୍ଥାନକୁ ଖସି ଆସିଛି। ୧୮୦ଟି ଦେଶର ଏହି ତାଲିକାରେ ଭାରତ ଗତ ବର୍ଷ ୧୪୨ତମ ସ୍ଥାନରେ ଥିଲା | ଗଣମାଧ୍ୟମ ସ୍ୱାଧୀନତା ଦୃଷ୍ଟିରୁ ଭାରତର ପଡୋଶୀ ଦେଶ ପାକିସ୍ତାନ ଏବଂ ଚୀନ୍ ମଧ୍ୟ ପଛରେ ଅଛନ୍ତି। ଏହି ତାଲିକାରେ ନରୱେ ଏକ ନମ୍ବରରେ ଅଛି । ଅର୍ଥାତ୍ ଏହି ଦେଶରେ ଗଣମାଧ୍ୟମ ସ୍ଥିତି ସବୁଠୁ ଭଲ।

ଏକ ବିଶ୍ୱ ଗଣମାଧ୍ୟମ ପର୍ଯ୍ୟବେକ୍ଷକଙ୍କ ଦ୍ବାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ, ସାମ୍ବାଦିକ ସ୍ୱାଧୀନତା ଦୃଷ୍ଟିରୁ ଭାରତ, ଚୀନ୍ ଏବଂ ପାକିସ୍ତାନ ଅପେକ୍ଷା ନେପାଳର ସ୍ଥିତି ବହୁତ ଭଲ ଅଛି। ଏହି ତାଲିକାରେ ନେପାଳ ୩୦ ପଏଣ୍ଟ ଉପରକୁ ଉଠି ୭୬ ନମ୍ବରରେ ପହଞ୍ଚିଛି | ଗତ ବର୍ଷ ନେପାଳ ୧୦୬ ତମ ସ୍ଥାନରେ ରହିଥିଲା ​​|

ରିପୋର୍ଟ ଅନୁଯାୟୀ, ପାକିସ୍ତାନର ନମ୍ବର ଭାରତ ପଛରେ ରହିଛି। ପ୍ରେସ୍ ସ୍ୱାଧୀନତା ଦୃଷ୍ଟିରୁ ପାକିସ୍ତାନ ୧୫୭ ତମ, ଶ୍ରୀଲଙ୍କା ୧୪୬, ବାଂଲାଦେଶ ୧୬୨ , ମିଆଁମାର ୧୭୬ ତମ ଏବଂ ଚୀନ୍ ୧୭୫ ତମ ସ୍ଥାନରେ ରହିଛି |

‘ରିପୋର୍ଟର୍ସ ଓ୍ବିଦ୍ଆଉଟ୍ ବର୍ଡର୍ସ’ (ଆରଏସଏଫ) ଅନୁଯାୟୀ ପ୍ରେସ୍ ସ୍ୱାଧୀନତା ଦୃଷ୍ଟିରୁ ଚଳିତ ବର୍ଷ ନରୱେ ଏକ ନମ୍ବରରେ ରହିଥିବା ବେଳେ ଡେନମାର୍କ ଦ୍ୱିତୀୟ, ସ୍ୱିଡେନ ତୃତୀୟ, ଇଷ୍ଟୋନିଆ ଚତୁର୍ଥ ଏବଂ ଫିନଲ୍ୟାଣ୍ଡ ୫ ନମ୍ବରରେ ରହିଛି। ଏହି ତାଲିକାର ସବା ଶେଷରେ ଉତ୍ତର କୋରିଆ ରହିଛି | ଉତ୍ତର କୋରିଆ ୧୮୦ତମ ସ୍ଥାନରେ ଅଛି |

ଗଣମାଧ୍ୟମ ସ୍ୱାଧୀନତା ଦୃଷ୍ଟିରୁ ରୁଷର ସ୍ଥିତି ମଧ୍ୟ ଭଲ ନୁହେଁ।ରୁଷ ଏହି ତାଲିକାରେ ୧୫୫ ତମ ସ୍ଥାନରେ ରହିଛି। ଗତ ବର୍ଷ ରୁଷ ୧୫୦ ନମ୍ବରରେ ଥିଲା। ଚୀନ୍ ଏଥର ଦୁଇଟି ସ୍ଥାନ ଉପରକୁ ଉଠିଛି। ଗତ ବର୍ଷ ଚୀନ୍ ୧୭୭ତମ ସ୍ଥାନରେ ଥିଲା।

ଏହି ରିପୋର୍ଟରେ କୁହାଯାଇଛି ଯେ ଭାରତୀୟ କର୍ତ୍ତୃପକ୍ଷ ଅଭିବ୍ୟକ୍ତିର ସ୍ୱାଧୀନତା ଅଧିକାରକୁ ସମ୍ମାନ ଦେବା ଉଚିତ | ସରକାରଙ୍କୁ ସମାଲୋଚନା କରି ଖବର ପ୍ରସାରଣ ପାଇଁ ସାମ୍ବାଦିକଙ୍କ ବିରୋଧରେ ଆକ୍ରୋଶମୂଳକ ପଦକ୍ଷେପ ନିଆଯାଉଛି। ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ମାମଲାରେ ବନ୍ଦୀ ହୋଇଥିବା ସାମ୍ବାଦିକମାନଙ୍କୁ ମୁକ୍ତ କରାଯିବା ପାଇଁ ଆହ୍ବାନ କରାଯାଇଛି। ସେମାନଙ୍କୁ ଟାର୍ଗେଟ କରିବା ଏବଂ ସ୍ବାଧୀନ ଗଣମାଧ୍ୟମର କଣ୍ଠରୁଦ୍ଧ କରିବା ବନ୍ଦ ହେବା ଜରୁରୀ ବୋଲି ଏଥିରେ କୁହାଯାଇଛି।

Comments are closed.