କଳାହାଣ୍ଡି ପ୍ରଶାସନର ‘ଓସ୍ବାସ୍’ ବ୍ୟବସ୍ଥା ଆରମ୍ଭ: ଏଣିକି ଫାଇଲ ବଦଳରେ ଅନଲାଇନ କାମ

ଭବାନୀପାଟଣା : ଏଣିକି କଳାହାଣ୍ଡି ଜିଲ୍ଲାର ସମସ୍ତ ସରକାରୀ ଦପ୍ତରରେ କାଗଜ ଚାଷ ବନ୍ଦ। ଫାଇଲ ବଦଳରେ ଏଣିକି ଅନଲାଇନରେ ତ୍ବରାନ୍ବିତ ହେବ ଚିଠିର ଆଦାନପ୍ରଦାନ। ଏଥିପାଇଁ କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ରାଜ୍ୟ ସରକାରଙ୍କ ଓଡ଼ିଶା ଷ୍ଟେଟ୍ ୱାର୍କ ଫ୍ଲୋ ଅଟୋ ମେସନ୍ ସିଷ୍ଟମ୍ ‘ଓସ୍ବାସ’ ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି। ଏଣିକି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମେତ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ଓସ୍ବାସ୍ ଅନଲାଇନ୍ ଆପ୍ଲିକେସନରେ ସମସ୍ତ ସରକାରୀ ଫାଇଲ୍ ଓ ଚିଠିର ଲେଣଦେଣ ବ୍ୟବସ୍ଥା ଚାଲିବ। ଯାହାକି ସମୟ ସାପେକ୍ଷ ଓ ଫାଇଲ୍ କାମ ତ୍ବରିତ ହେବ।

ଓସ୍ବାସ୍ ଆପ୍ଲିକେସନରେ କିଭଳି ସରକାରୀ ଅଧିକାରୀ ଓ କର୍ମଚାରୀ କାମ କରିବେ ଏହାର ଏକ ଦୁଇ ଦିନିଆ ତାଲିମ ଶିବିର ଗତ ଏପ୍ରିଲ 7 ଓ 8 ତାରିଖରେ ଅନୁଷ୍ଠିତ ହୋଇଥିଲା ଆଉ ଗତକାଲି ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଡା. ଗାଭାଲି ପରାଗ ହର୍ଷଦ୍ ଆନୁଷ୍ଠାନିକ ଭାବେ ଜିଲ୍ଲାପାଳଙ୍କ କାର୍ଯାଳୟରେ ‘ଓସ୍ବାସ’ର ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି।

ଏହି ଅବସରରେ ‘ଓସ୍ବାସ’କୁ ସରକାରୀ କାର୍ଯ୍ୟାଳୟଗୁଡ଼ିକରେ କାର୍ଯ୍ୟକାରୀ କରାଯିବା ଦ୍ବାରା ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରେ 5ଟି ଅର୍ନ୍ତଗତ କାର୍ଯ୍ୟକ୍ରମର ଦକ୍ଷତା ବୃଦ୍ଧି ସହ ନଥିପତ୍ର ଜନିତ ଅହେତୁକ ବିଳମ୍ବକୁ ରୋକାଯାଇ ପାରିବ ଏବଂ ସ୍ବଚ୍ଛତା ବଜାୟ ରଖିହେବ ବୋଲି ଜିଲ୍ଲାପାଳ କହିଥିଲେ। ଜିଲ୍ଲାପାଳ ଡ଼ା. ଗାଭାଲି ଦୁଇଟି ଫାଇଲ୍ କାମ ଓସ୍ବାସ ମାଧ୍ୟମରେ କରି ଏହା ଶୁଭାରମ୍ଭ କରିଥିଲେ।

ଓସ୍ବାସ ଭୁବନେଶ୍ବର ପ୍ରୋଜେକ୍ଟ ସଂଯୋଜକ ରାକେଶ ସାହୁ ପୂର୍ବରୁ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦେଇଥିଲେ। ଶୁଭାରମ୍ଭ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (ରେଭିନ୍ୟୁ) ଶରତ ଚନ୍ଦ୍ର ଶ୍ରୀଚନ୍ଦନ, ଅତିରିକ୍ତ ଜିଲ୍ଲାପାଳ (ଜେନେରାଲ) ସୁଶା‘ ପଟେଲଙ୍କ ସମେତ ଜିଲ୍ଲାପାଳ କାର୍ଯ୍ୟ।ଳୟର ସମସ୍ତ ଅଧିକାରୀ ଓ କର୍ମଚାରୀ, ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ। ପର୍ଯ୍ୟାୟ କ୍ରମେ ଅନ୍ୟ ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟ ଗୁଡିକରେ ଏହି ଓସ୍ବାସ ବ୍ୟବସ୍ଥା ଗ୍ରହଣ କରାଯିବ । ଜିଲ୍ଲା କାର୍ଯ୍ୟାଳୟରେ ଏହାର କାର୍ଯ୍ୟକାରିତା ପାଇଁ ଡେପୁଟି କଲେକ୍ଟର (ରେଭିନ୍ୟୁ) ପ୍ରୀତା କୁମାର, ଇ-ଗଭର୍ନାନସ୍ ମ୍ୟାନେଜର ସଂଜୀବ ଚୌଧୁରୀ, ଟେକ୍ନିକାଲ ସପୋର୍ଟ ଅଶୋକ ମିଶ୍ରଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଛି।

Comments are closed.