ଦୁର୍ବଳ ହେବ ଅସାନି , ଅବପାତ ରୂପେ ଓଡ଼ିଶା ଉପକୂଳ ଅତିକ୍ରମ କରିବ

ଭୁବନେଶ୍ୱର- ଆଜିଠୁ କମିବ ଭୀଷଣ ବାତ୍ୟା ‘ଅସାନି’ର ଶକ୍ତି । ଦିଗ ବଦଳାଇବା ସହ ଏହା କ୍ରମଶଃ ଦୁର୍ବଳ ହେବ । ଏବେ ଭୀଷଣ ବାତ୍ୟା ଅସାନି ସମୁଦ୍ରରେ ଦ୍ରୁତ ଗତିରେ ମାଡି ଚାଲିଛି । ଗତି ଯେତେ ଅଧିକ ରହୁଛି, ସେତେ ଶୀଘ୍ର ଦୁର୍ବଳ ହେବ ବୋଲି ଅନୁମାନ କରାଯାଉଛି । ଗତ କିଛି ଘଣ୍ଟା ହେବ ୧୨ କିଲୋମିଟର ବେଗରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି ଅସାନି ।

ଗୋପାଳପୁରଠାରୁ ଦକ୍ଷିଣ-ଦକ୍ଷିଣ-ପଶ୍ଚିମ ଦିଗରେ ୫୧୦ କିଲୋମିଟର ଦୂରରେ ରହିଛି ବାତ୍ୟା । ପୁରୀଠାରୁ ଦକ୍ଷିଣ ପଶ୍ଚିମ ଦିଗରେ ୫୯୦ କିଲୋମିଟର ଦୂରରେ ରହିଛି । ଆଜି ମଧ୍ୟରାତ୍ରୀ ସୁଦ୍ଧା ଏହା ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ନିକଟ ସମୁଦ୍ରରେ ପହଞ୍ଚିବ । ଉତ୍ତର-ଉତ୍ତର-ପୂର୍ବ ଦିଗରେ ମୁହାଁଇବା ସମ୍ଭାବନା ରହିଛି । ଏହା ଧୀରେ ଧୀରେ ଦୁର୍ବଳ ହେବ ଓ ୨୪ ଘଣ୍ଟା ମଧ୍ୟରେ ବାତ୍ୟାରେ ପରିଣତ ହେବ । ପରେ ଅବପାତରେ ପରିଣତ ହେବ । ଓଡ଼ିଶା ସୀମା ଛୁଇଁବା ପୂର୍ବରୁ ଅସାନି ଅବପାତର ରୂପ ନେଇ ସାରିଥିବ । ଏହାର ପ୍ରଭାବରେ ରାଜ୍ୟର ୩ଟି ଜିଲ୍ଲା -ଗଞ୍ଜାମ, ଗଜପତି ଓ ପୁରୀ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ।

Comments are closed.