ବୌଦ୍ଧରେ ସରକାରଙ୍କ ବିକାଶ ଧାରା ଜାରି, ଶେଷ ପର୍ଯ୍ୟାୟରେ ମହାନଦୀ ସେତୁ

ବୌଦ୍ଧ : ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ମହାନଦୀର ଗର୍ଭରେ ରହିଛି ଏକ ଦ୍ବୀପଗ୍ରାମ । ଏଠାରେ ପ୍ରବାହିତ ମହାନଦୀର ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରୁଛି ଏହି ଦ୍ବୀପଗ୍ରାମ ମର୍ଜାକୁଦ । ବୌଦ୍ଧ ଜିଲ୍ଲା ସଦର ମହକୁମା ପୌରାଞ୍ଚଳର ୧୩ ଓ ୧୪ ନମ୍ବର ଓ୍ବାର୍ଡକୁ ନେଇ ଗଠିତ ମର୍ଜାକୁଦ ଦ୍ବୀପ । ମହାନଦୀ ଓ ମର୍ଜାକୁଦ ସହିତ ଜ୍ଞାନଦେଇ ମାଲୁଣୀ, ମୁଢି ଓ ମଠା ଭଳି ପଞ୍ଚମ କାରର ଅଦ୍ଭୁତ ସଂଗ୍ରାମର ପବିତ୍ର ମାଟି । ତେବେ କାଳକାଳ ଧରି ଏହି ସହରୀ ଦ୍ବୀପର ଅଧିବାସୀ ବିଛିନ୍ନାଞ୍ଚଳର ଜୀବନ ବିତାଉଥିଲେ । ଏହି ଦ୍ବୀପ ଅଧିବାସୀ ବୌଦ୍ଧ ସହର ଉପରେ ଦୈନନ୍ଦିନ କାର୍ଯ୍ୟ ପାଇଁ ନିର୍ଭରଶୀଳ ଥିବାବେଳେ ମହାନଦୀର ବିପଦପୂର୍ଣ୍ଣ ନୌକା ଯାତ୍ରା ଏମାନଙ୍କ ଏକମାତ୍ର ଗମନାଗମନର ପଥ ରହିଥିଲା ।ତେବେ ପରିବର୍ତ୍ତିତ ସମୟରେ ବର୍ତ୍ତମାନ ଏହି ଦ୍ବୀପକୁ ସଂଯୋଗ ପାଇଁ ଏକ ସେତୁ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଫଳରେ ଏହି ଦ୍ବୀପଗ୍ରାମର ଅଧିବାସୀଙ୍କ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ସହିତ ପର୍ଯ୍ୟଟନ ଓ ଏଠାକାର ପ୍ରସିଦ୍ଧ ହସ୍ତତନ୍ତ କାରିଗରମାନେ ଉପକୃତ ହୋଇପାରିବେ ବୋଲି ଆଶା ପ୍ରକାଶ ପାଇଛି। ସେହିପରି ଜିଲ୍ଲାର ଧଳପୁର ଠାରେ ନିର୍ମାଣ ସରିଥିବା ମହାନଦୀ ଉପରେ ସେତୁକୁ ତୁରନ୍ତ କାର୍ଯ୍ୟକ୍ଷମ କରାଗଲେ ଜିଲ୍ଲାର ହରଭଙ୍ଗା ବ୍ଲକ ସମେତ ଅନୁଗୁଳ ଢେଙ୍କାନାଳରୁ ଗଞ୍ଜାମ ଗଜପତି ଜିଲ୍ଲାକୁ ସିଧାସଳଖ ସଂଯୋଗ ହୋଇପାରିବ ବୋଲି ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି ।

Comments are closed.