ରାଜୀବ କୁମାର ହେଲେ ନୂଆ ମୁଖ୍ୟ ନିର୍ବାଚନ କମିଶନର

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଗୁରୁବାର ଦେଶର ନୂଆ ମୁଖ୍ୟ ନିର୍ବାଚନ କମିଶନର ଭାବେ ରାଜୀବ କୁମାରଙ୍କୁ ନିଯୁକ୍ତ କରିଛନ୍ତି। କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ ଟ୍ୱିଟ କରି ସୂଚନା ଦେଇଛନ୍ତି । ରିଜିଜୁ କହିଛନ୍ତି ଯେ ରାଜୀବ କୁମାର ୧୫ ମଇରୁ ମୁଖ୍ୟ ନିର୍ବାଚନ କମିଶନର ଭାବେ ଦାୟିତ୍ଵ ଗ୍ରହଣ କରିବେ। ରାଜୀବ କୁମାର ସୁଶୀଲ ଚନ୍ଦ୍ରାଙ୍କ ସ୍ଥାନ ନେବେ। ଚନ୍ଦ୍ରାଙ ତତ୍ତ୍ଵାବଧାନରେ ଚଳିତ ବର୍ଷ ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା।

ରାଜୀବ କୁମାର ଭାରତର ନିର୍ବାଚନ ଆୟୋଗରେ ୧ ସେପ୍ଟେମ୍ବର ୨୦୨୦ରେ ଯୋଗ ଦେଇଥିଲେ। ନିର୍ବାଚନ ଆୟୋଗର ଦାୟିତ୍ବ ଗ୍ରହଣ କରିବା ପୂର୍ବରୁ ସେ ପବ୍ଲିକ୍ ଏଣ୍ଟରପ୍ରାଇଜେସ୍ ସେଲେକ୍ସନ ବୋର୍ଡ (ପିଇଏସବି) ର ଚେୟାରମ୍ୟାନ୍ ଥିଲେ। ସେ ଏପ୍ରିଲ୍ ୨୦୨୦ରେ ପିଇଏସବିର ଚେୟାରମ୍ୟାନ୍ ଭାବରେ ଯୋଗ ଦେଇଥିଲେ। କୁମାର ଜଣେ ୧୯୮୪ ଝାଡଖଣ୍ଡ କ୍ୟାଡରର ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ଅଧିକାରୀ।ରାଜୀବ କୁମାର ବି.ଏସ୍.ସି ଏବଂ ଏଲ୍ଏଲବି କରିବା ପରେ ପବ୍ଲିକ୍ ପଲିସି ଏବଂ ସଷ୍ଟେନେବିଲିଟିରେ ସେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ | ରାଷ୍ଟ୍ରପତି କୋବିନ୍ଦ ତାଙ୍କୁ ଅଗଷ୍ଟ ୨୦୨୦ ରେ ନିର୍ବାଚନ ଆୟୋଗର ନିର୍ବାଚନ କମିଶନର ଭାବେ ନିଯୁକ୍ତ କରିଥିଲେ।

Comments are closed.