ଆସନ୍ତାକାଲି ମା’ ତାରାତାରିଣୀଙ୍କ ନୂଆ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ ମୁଖ୍ୟମନ୍ତ୍ରୀ; ବ୍ୟବସ୍ଥା ଅନୁଧ୍ୟାନ କଲେ ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବ

ଭୁବନେଶ୍ବର: ମା’ ତାରାତାରିଣୀଙ୍କ ନୂତନ ମନ୍ଦିରର ପ୍ରତିଷ୍ଠା ଉତ୍ସବ । ସାରା ଗଞ୍ଜାମ ଜିଲ୍ଲା ଉତ୍ସବ ମୁଖରିତ । ତିନି ଦିନ ଧରି ଚାଲିଛି ପ୍ରତିଷ୍ଠା ଯଜ୍ଞ । ଆସନ୍ତାକାଲି ଯଜ୍ଞର ପୂର୍ନାହୁତି ସହ ମନ୍ଦିର ପ୍ରତିଷ୍ଠା ଉତ୍ସବ ସଂପନ୍ନ ହେବ ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ପୁରୋଧା ଭାବରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତାକାଲି ଏହି ଉତ୍ସବରେ ବିଶାଳ ଜନସମାବେଶ ହେବାର ସମ୍ଭାବନା ରହିଛି । ତେଣୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତର ଅବ୍ୟବହିତ ପୂର୍ବରୁ ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର , ମୁଖ୍ୟମନ୍ତ୍ରୀଙ୍କ ସଚିବ ( ୫ – ଟି ) ଭି.କେ. ପାଣ୍ଡିଆନ ମା ତାରାତାରିଣୀଙ୍କ ପୀଠ ପରିଦର୍ଶନ କରି ଅୟୋଜନ ସଂପର୍କରେ ଅନୁଧ୍ୟାନ କରିବା ସହିତ ଜିଲ୍ଲା ପ୍ରଶାସନ ସହିତ ମଧ୍ୟ ଆଲୋଚନା କରିଛନ୍ତି ।

ଏହି ଅବସରରେ ମୁଖ୍ୟ ଶାସନ ସଚିବ ଓ ୫ – ଟି ସଚିବ ମାଙ୍କୁ ଦର୍ଶନ କରିବା ସହିତ ପୂଜାର୍ଚ୍ଚନା କରିଛନ୍ତି । ପରେ ସେମାନେ ମନ୍ଦିର ପରିସର , ମୁଣ୍ଡନ ଗୃହ , ବଡ ପ୍ରସାଦ ସେବନ ଗୃହ , ପ୍ରଶାସନିକ ଭବନ , ଭିୟୁ ପଏଣ୍ଟ ଓ ମନ୍ଦିର ଚତୁପାର୍ଶ୍ବ ଅଞ୍ଚଳ ବୁଲି ଦେଖିଥିଲେ । ଏହାସହିତ ସେବାୟତ ଓ ସ୍ଥାନୀୟ ଜନସାଧାରଣଙ୍କ ସହିତ ବ୍ୟବସ୍ଥା ସଂପର୍କରେ ଆଲୋଚନା କରିଥିଲେ । ଏହି ପରିଦର୍ଶନ ସମୟରେ ଜିଲ୍ଲା ପ୍ରଶାସନ ସହିତ ଭିଡ ନିୟନ୍ତ୍ରଣ , ଶାନ୍ତିଶୃଙ୍ଖଳା ରକ୍ଷା , ପାନୀୟ ଜଳଯୋଗାଣ , ପ୍ରାଥମିକ ସ୍ବାସ୍ଥ୍ୟ ବ୍ୟବସ୍ଥା , ଅଗ୍ନି ସୁରକ୍ଷା , ବିଦ୍ୟୁତ ଯୋଗାଣ ଓ ପରିମଳ ବ୍ୟବସ୍ଥା ଆଦି ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି । ଏହି ପରିଦର୍ଶନ ସମୟରେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ , ଜିଲ୍ଲା ଏସ୍.ପି ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Comments are closed.