ଆଜିଠାରୁ ଆଇପିଏଲ୍ ପ୍ଲେ ଅଫ୍: ପ୍ରଥମ କ୍ବାଲିଫାୟରରେ ଗୁଜୁରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ ମୁହାଁମୁହିଁ

କୋଲକାତା: ଆଜିଠାରୁ ଆଇପିଏଲର ପ୍ଲେ ଅଫ୍ ପର୍ଯ୍ୟାୟ ଆରମ୍ଭ ହେଉଛି । କୋଲକାତାର ଇଡେନ୍ ଗାର୍ଡେନ୍ସରେ ଖେଳାଯିବାକୁଥିବା ପ୍ରଥମ କ୍ବାଲିଫାୟରରେ ନବାଗତ ଗୁଜୁରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ ମୁହାଁମୁହିଁ ହେବେ । ଉଭୟ ଟିମ୍ ଲିଗ୍ ପର୍ଯ୍ୟାୟରେ ଚମତ୍କାର ପ୍ରଦର୍ଶନ ସହ ପଏଣ୍ଟ୍ ଟେବୁଲର ପ୍ରଥମ ଦୁଇଟି ସ୍ଥାନ ହାସଲ କରିଥିଲେ । ପ୍ରଥମ କ୍ବାଲିଫାୟରରେ ଉଭୟ ଦଳ ମଧ୍ୟରେ କଡ଼ା ମୁକାବିଲା ହେବ ବୋଲି ଆଶା କରାଯାଉଛି ।

ଏହି ମ୍ୟାଚ୍‌ର ବିଜେତା ଟିମ ସିଧାସଳଖ ଫାଇନାଲରେ ସ୍ଥାନ ପକ୍କା କରିବ । ଅନ୍ୟପଟେ ପରାଜିତ ଟିମ ପାଇଁ ଆଉ ଏକ ସୁଯୋଗ ରହିବ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବରେ ଆଇପିଏଲର ଡେବ୍ୟୁ ସଂସ୍କରଣରେ ଦମଦାର ପ୍ରଦର୍ଶନ କରି ଗୁଜୁରାଟ ଟାଇଟନ୍ସ ଲିଗ୍ ପର୍ଯ୍ୟାୟରେ ପଏଣ୍ଟ ତାଲିକାର ଶୀର୍ଷରେ ରହିଥିଲା । ଲିଗ ପର୍ଯ୍ୟାୟରେ ଟାଇଟନ୍ସ ୩୭ ରନରେ ରାଜସ୍ଥାନକୁ ପରାସ୍ତ କରିଥିଲା ।ଆଜି ମଧ୍ୟ ରାଜସ୍ଥାନକୁ ମାତ୍‌ ଦେବାକୁ ପାଣ୍ଡ୍ୟାଙ୍କ ଟିମ ପସ୍ତୁତ ରହିଛି । ବ୍ୟକ୍ତିଗତ ଭାବେ ହାର୍ଦ୍ଦିକ ପାଣ୍ଡ୍ୟା ପ୍ରଭାଭୀ ଅଲରାଉଣ୍ଡର ପ୍ରଦର୍ଶନ କରିଛନ୍ତି । ଇଡେନ ଗାର୍ଡେନରେ ନୂଆ ଟ୍ରାକରେ ମ୍ୟାଚ୍‌ ଖେଳାଯିବାକୁ ଥିବାରୁ ମହମ୍ମଦ ସାମିଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ । ଅନ୍ୟପଟେ ଜବରଦସ୍ତ ଫର୍ମରେ ଥିବା ଡେଭିଡ ମିଲର, ରାହୁଲ ତେୱାତିଆ, ଶୁଭମନ ଗିଲ୍‌ ମଧ୍ୟ ଫାଇନାଲ ଟିକେଟ ହାତେଇବାକୁ ଜୋର୍‌ ଲଗାଇବେ ।

ଅନ୍ୟପଟେ ପୂର୍ବ ପରାଜୟର ପ୍ରତିଶୋଧ ନେଇ ଫାଇନାଲରେ ପ୍ରବେଶ କରିବାକୁ ଲକ୍ଷ୍ୟ ରଖିଛି ରାଜସ୍ଥାନ ରୟାଲ୍ସ । ସଞ୍ଜୁ ସାମସନଙ୍କ ନେତୃତ୍ବଧୀନ ଟିମ ୨୦୦୮ରେ ଟାଇଟଲ ହାତେଇଥିଲା । ସେବେଠୁ ଆଉ ଫାଇନାଲରେ ପ୍ରବେଶ କରିନାହିଁ । ଆଜି ରାଜସ୍ଥାନ ପାଖରେ ଫାଇନାଲକୁ ଏଣ୍ଟ୍ରି ପାଇଁ ସୁବର୍ଣ୍ଣ ସୁଯୋଗ ରହିଥିବାରୁ, କୌଣସି ସୁଯୋଗ ହାତଛଡା କରିବ ନାହିଁ ।

ଆଇପିଏଲର ଏଲିମିନେଟର୍ ମ୍ୟାଚ୍ ବୁଧବାର ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯିବ ‌। ଏହି ମ୍ୟାଚ୍ ମଧ୍ୟ ଇଡେନ୍ ଗାର୍ଡେନ୍ସରେ ଅନୁଷ୍ଠିତ ହେବ ‌। ଦ୍ବିତୀୟ କ୍ବାଲିଫାୟର ଓ ଫାଇନାଲ ମ୍ୟାଚ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ।

Comments are closed.