ପୂର୍ବତନ କେନ୍ଦ୍ର ସଚିବଙ୍କ ଦାବି: ସବୁକିଛି ନିୟନ୍ତ୍ରଣ କରୁଛି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ସାମ୍ବାଦିକ ସମ୍ମିଳନୀ ପାଇଁ ମଧ୍ୟ ମନ୍ତ୍ରୀ ନେଉଛନ୍ତି ଅନୁମତି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍ଓ) ସବୁକିଛି ନିୟନ୍ତ୍ରଣ କରୁଛି ଏବଂ ସବୁ ନିଷ୍ପତ୍ତି ଓ କାର୍ଯ୍ୟର କେନ୍ଦ୍ରୀକରଣ କରାଯାଉଛି । ଏଭଳି ଅଭିଯୋଗ କରିଛନ୍ତି କେନ୍ଦ୍ର କୋଇଲା ସଚିବ (୨୦୧୪-୨୦୧୬) ଏବଂ ଶିକ୍ଷା ସଚିବ (୨୦୧୬-୨୦୧୮) ଭାବେ ଦାୟିତ୍ଵ ତୁଲାଇଥିବା ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ଅନୀଲ ସ୍ବରୂପ । ସେ କହିଛନ୍ତି, ପିଏମ୍ଓର ସବୁ ମନ୍ତ୍ରଣାଳୟ ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରଖିବାର ଏକ ପ୍ରବୃତ୍ତି ରହିଛି ଏବଂ ସବୁ କିଛି କେନ୍ଦ୍ରୀକରଣ କରାଯାଉଛି ।

ମନମୋହନ ସିଂହ ସରକାର ଓ ବର୍ତ୍ତମାନର ନରେନ୍ଦ୍ର ମୋଦୀ ସରକାରଙ୍କ ଅଧୀନରେ କାର୍ଯ୍ୟ କରିଥିବା ଅନୀଲ ସ୍ବରୂପ ୨୦୧୮ ରେ ଶିକ୍ଷା ସଚିବ ଭାବେ ଅବସର ନେଇଥିଲେ। ୧୯୮୧ ବ୍ୟାଚର ଏହି ଆଇଏଏସ୍ ଅଧିକାରୀ ଅନେକ ଦଶନ୍ଧିର ତାଙ୍କ କାର୍ଯ୍ୟକାଳ ମଧ୍ୟରେ ହାସଲ କରିଥିବା ଅନୁଭୂତିକୁ ନେଇ ତିନୋଟି ପୁସ୍ତକ ରଚନା କରିଛନ୍ତି |

ସ୍ବରୂପଙ୍କ ନୂତନ ପୁସ୍ତକ ମଧ୍ୟରୁ ଗୋଟିଏ ‘ନୋ ମୋର୍ ଏ ସିଭିଲ୍ ସର୍ଭେଣ୍ଟ’ ଏହି ମାସରେ ପ୍ରକାଶିତ ହୋଇଛି | ଏହାପୂର୍ବରୁ ତାଙ୍କର ଅନ୍ୟ ଦୁଇ ପୁସ୍ତକ ‘ଏଥିକାଲ୍ ଡାଏଲେମା ଅଫ୍ ଏ ସିଭିଲ ସର୍ଭେଣ୍ଟ’ ଓ ‘ ନଟ୍ ଜଷ୍ଟ ଏ ସିଭିଲ୍ ସର୍ଭେଣ୍ଟ’ ପ୍ରକାଶିତ ହୋଇଥିଲା ।

ମୋଦୀଙ୍କ ପିଏମ୍ଓକୁ କ୍ଷମତାର “କେନ୍ଦ୍ର” ଭାବେ ବର୍ଣ୍ଣନା କରି ସ୍ବରୂପ କହିଛନ୍ତି, ମୁଁ ଉଭୟ ପୂର୍ବ (ୟୁପିଏ) ଏବଂ ବର୍ତ୍ତମାନର (ଏନଡିଏ) ସରକାର ସହ କାମ କରିସାରିଛି। ତୁଳନାତ୍ମକ ଭାବରେ ଦେଖିଲେ, ବର୍ତ୍ତମାନର ସରକାରରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ବା ପିଏମ୍ଓରେ ସବୁକିଛି ଅଧିକ କେନ୍ଦ୍ରୀକରଣ ହେଉଛି । ସବୁ ନିଷ୍ପତ୍ତି ପିଏମ୍ଓକୁ ପଚାରି କରିବା ବାଧ୍ୟତାମୂଳକ ନୁହେଁ । କିନ୍ତୁ ପିଏମ୍ଓ ଏବେ ଏମିତି ହିଁ କାର୍ଯ୍ୟ କରୁଛି | ସବୁକଥା ପାଇଁ ପିଏମ୍ଓ ସହିତ ପରାମର୍ଶ କରିବା ଆବଶ୍ୟକତା ରହିଛି ବୋଲି ମୁଁ ଭାବୁନାହିଁ। କିନ୍ତୁ ସମ୍ପ୍ରତି ପିଏମ୍ଓର ସବୁକିଛି ନିୟନ୍ତ୍ରଣ କରିବାର ବୋଧହୁଏ ଏକ ପ୍ରବୃତ୍ତି ରହିଛି |

ମୋଦୀ ସରକାରରେ କୌଣସି ମନ୍ତ୍ରଣାଳୟ କିମ୍ବା ବିଭାଗ ପକ୍ଷେ ସ୍ୱାଧୀନ ନିଷ୍ପତ୍ତି ନେବାର ପରିସର ସଙ୍କୁଚିତ ହୋଇଛି ବୋଲି ସେ ଅଭିଯୋଗ କରିଛନ୍ତି। ଯେଉଁଠାରେ ଦଖଲ ଦେବା ଉଚିତ ନୁହେଁ ସେହି କ୍ଷେତ୍ରରେ ମଧ୍ୟ ପିଏମ୍ଓ ହସ୍ତକ୍ଷେପ କରୁଛି ବୋଲି ସ୍ବରୂପ କହିଛନ୍ତି ।

“ଏହାପୂର୍ବରୁ କ୍ୟାବିନେଟ ମନ୍ତ୍ରୀମାନେ ଅନେକ ନିଷ୍ପତ୍ତି ସ୍ବାଧୀନ ଭାବେ ନେଉଥିଲେ- ସେ ଠିକ୍, ଭୁଲ କିମ୍ବା ଯାହା ବି ହେଉ। ମୁଁ ସେମାନଙ୍କର ନିଷ୍ପତ୍ତିର ବିଚାର କରୁନାହିଁ। କିନ୍ତୁ କ୍ୟାବିନେଟ ମନ୍ତ୍ରୀମାନେ ନିଜସ୍ୱ ନିଷ୍ପତ୍ତି ନେବାକୁ ସମ୍ପୂର୍ଣ୍ଣ ମୁକ୍ତ ଥିଲେ। କିନ୍ତୁ ବର୍ତ୍ତମାନ ପ୍ରତ୍ୟେକ ନିଷ୍ପତ୍ତି ନେବା ପୂର୍ବରୁ ପିଏମ୍ଓକୁ ପଠାଇବା ବାଧ୍ୟତାମୂଳକ ହୋଇଛ । ପିଏମ୍ଓର ବିନା ଅନୁମତିରେ କୌଣସି ନିଷ୍ପତ୍ତି ନେବା ଏବେ ଅସମ୍ଭବ ହୋଇପଡ଼ିଛି। ଏପରିକି ମନ୍ତ୍ରୀମାନେ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ସାମ୍ବାଦିକ ସମ୍ମିଳନୀ କରିବ ପାଇଁ ମଧ୍ୟ ପିଏମ୍ଓରୁ ଅନୁମତି ନେବାକୁ ବାଧ୍ୟ ହେଉଛନ୍ତି ।

Comments are closed.