ଏସିଆ କପ୍ ହକି: କୋରିଆ ସହ ଡ୍ର ପରେ ଭାରତ ଟାଇଟଲ ଦୌଡ଼ରୁ ବାଦ୍

ଜାକର୍ତ୍ତା: ଡିଫେଣ୍ଡିଂ ଚାମ୍ପିୟନ ଭାରତ ଏସିଆ କପ୍ ପୁରୁଷ ହକିର ଟାଇଟଲ ଦୌଡ଼ରୁ ବାଦ୍ ପଡିଛି । ମଙ୍ଗଳବାର ଅନୁଷ୍ଠିତ ତାର ଶେଷ ସୁପର-୪ ମ୍ୟାଚରେ ଯୁବ ଭାରତୀୟ ଦଳ ଲଢୁଆ ପ୍ରଦର୍ଶନ ସତ୍ତ୍ୱେ ଦକ୍ଷିଣ କୋରିଆ ବିପକ୍ଷ ମୁକାବିଲା ୪-୪ରେ ଡ୍ର ରଖି ଫାଇନାଲରୁ ବଞ୍ଚିତ ହୋଇଛି । ଅନ୍ୟ ଏକ ସୁପର-୪ ମ୍ୟାଚରେ ମାଲେସିଆ ୫-୦ରେ ଜାପାନକୁ ହରାଇଥିଲା । ତେଣୁ ଫାଇନାଲ ପାଇଁ ଯୋଗ୍ୟତା ହାସଲ କରିବା ଲାଗି ଦକ୍ଷିଣ କୋରିଆ ବିପକ୍ଷରେ ଭାରତକୁ ବିଜୟ ଜରୁରୀ ଥିଲା । ଭାରତ, ମାଲେସିଆ ଓ ଦକ୍ଷିଣ କୋରିଆ ସମାନ ୫ ପଏଣ୍ଟ ସହ ସୁପର-୪ ଅଭିଯାନ ଶେଷ କରିଥିଲେ । କିନ୍ତୁ କୋରିଆ ଓ ମାଲେସିଆ ତୁଳନାରେ ବୀରେନ୍ଦ୍ର ଲାକ୍ରାଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଗୋଲ୍ ବ୍ୟବଧାନ ଦୃଷ୍ଟିରୁ ପଛରେ ପଡ଼ିଯାଇଥିଲା । କୋରିଆ ଓ ମାଲେସିଆ ଫାଇନାଲକୁ ଉନ୍ନୀତ ହୋଇଛନ୍ତି । ଭାରତ ଏବେ ବ୍ରୋଞ୍ଜ ପଦକ ପାଇଁ ଜାପାନ ସହ ଖେଳିବ ।

କୋରିଆ ବିପକ୍ଷ ମ୍ୟାଚରେ ଭାରତ ତରଫରୁ ନିଲମ ସଞ୍ଜିପ ସେସ୍ (ନବମ ମିନିଟ୍‌), ଦୀପସାନ ତୀର୍କୀ (୨୧),ମହେଶ ଶେଶେ ଗୌଡା (୨୨) ଓ ଶକ୍ତିଭେଲ ମାରିଶ୍ୱରନ (୩୭) ଗୋଲ୍ ସ୍କୋର କରିଥିଲେ । କୋରିଆ ପକ୍ଷର ଜାଙ୍ଗ୍ ଜୋଙ୍ଘୟୁନ (୧୩), ଜି ଉ ଚିଉନ (୧୮), କିମ୍ ଜଙ୍ଗ୍ ହୋ (୨୮) ଏବଂ ଜଙ୍ଗ୍ ମାଞ୍ଜେ (୪୪) ଗୋଲ୍ ଦେଇଥିଲେ ।

Comments are closed.