ଆଜିଠାରୁ ହାଇ ସିକ୍ୟୁରିଟି ପ୍ଲେଟ ପାଇଁ ଆବେଦନ

କଟକ – ଏଣିକି ମନଇଛା ଗାଡ଼ିରେ କେହି ଲଗାଇ ପାରିବେ ନାହିଁ ବିଭିନ୍ନ ଡିଜାଇନ୍‌ର ନମ୍ବର୍ ପ୍ଲେଟ । ଆଜିଠାରୁ ପରିବହନ ବିଭାଗ ପକ୍ଷରୁ ଲାଗୁ ହେଉଥିବା ନୂଆ ନିୟମ ଅନୁସାରେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ଲଗାଇବା ବାଧ୍ୟତାମୂଳକ । ଗାଡିରେ ଲାଗିବ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ନମ୍ବର ପ୍ଲେଟ୍ ବା HSRP । ଏହି ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ବିନା ଗାଡି ଚଢ଼ିଲେ ଦେବାକୁ ପଡ଼ିପାରେ ମୋଟା ଅଙ୍କର ଫାଇନ୍‌ । ପୁରୁଣା ଗାଡ଼ିରେ ହାଇସିକ୍ୟୁରିଟି ନମ୍ବର ବାଧ୍ୟତାମୂଳକ କରାଯାଇଛି । ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ନମ୍ବର ପ୍ଲେଟ୍ ନ ଲଗାଇଲେ ଦେବାକୁ ପଡ଼ିପାରେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା । ୨୦୧୯ ମସିହା ଅପ୍ରେଲ ପୂର୍ବରୁ ପଞ୍ଜିକରଣ ହୋଇଥିବା ସମସ୍ତ ଗାଡ଼ି ଗୁଡିକରେ ଲାଗିବ ଏହି ନମ୍ବର ପ୍ଲେଟ୍ । ଏହି ନମ୍ବର ପ୍ଲେଟ୍‌ ପାଇଁ ପ୍ରଥମେ SIAM ପୋର୍ଟାଲକୁ ଯାଇ ନିଜ ଗାଡ଼ିର ସମସ୍ତ ତଥ୍ୟ ଦେବାକୁ ହେବ । ଏସବୁ ତଥ୍ୟ ଦେବାପରେ ସମ୍ପୃକ୍ତ ସାଇଟରେ ଏବଂ କେତେବେଳେ ଯାଇ ନମ୍ବର ପ୍ଲେଟ ଲଗାଇବାକୁ ହେବ ସେନେଇ ତଥ୍ୟ ମିଳିଯିବ । ତେବେ ସବୁ ତଥ୍ୟ ସଠିକ ହେବାପରେ କନ୍ଫର୍ମେସନ ସ୍ଲିପ୍‌ ମିଳିଯିବ । ଏ ନେଇ ପରିବହନ ବିଭାଗର ଯୁଗ୍ମ କମିଶନର ସୂଚନା ଦେଇଛନ୍ତି ।

ଏହି ନମ୍ବର ପ୍ଲେଟ୍ ସାଧାରଣ ନମ୍ବର ପ୍ଲେଟ୍‌ଠାରୁ ଭିନ୍ନ । ଏଥିରେ ଏକ ଲେଜର୍ କୋଡ୍ ରହିଛି, ଯାହାକୁ ଲେଜର ଗନ୍‌ ଦ୍ବାରା ପଢ଼ି ହେବ । ତେବେ ଏହା ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ପାଇଁ ବାଇକ ଚାଳକମାନେ ୩୨୦ଟଙ୍କାରୁ ୩୮୦ଟଙ୍କା, ଅଟୋ ଗାଡ଼ି ପାଇଁ ୩୫୦ରୁ ୪୫୦, ୪ ଚକିଆ ଯାନନ ପାଇଁ ୫୯୦ରୁ ୭୦୦ ଟଙ୍କା ଏବଂ ଭାରି ଯାନ ପାଇଁ ୬୦୦ରୁ ୮୦୦ ଟଙ୍କା ଦେବାକୁ ପଡିବ । ଏଥିସହ ନିର୍ଦ୍ଧାରିତ ମୂଲ୍ୟର ୧୮ ପ୍ରତିଶତ ଟ୍ୟାକ୍ସ ମଧ୍ୟ ଦେବାକୁ ପଡିବ । ଏଥିରେ ଗାଡ଼ିର ସବିଶେଷ ବିବରଣୀ ଉପଲବ୍ଧ ରହିବ । ତେଣୁ ଗାଡ଼ି ଚୋରି ହେଲେ ଠାବ କରିବାକୁ ସହଜ ହେବ । ସେହିପରି ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀଙ୍କୁ ଏହି ନମ୍ବର ପ୍ଲେଟ୍‌ରେ ଲାଗିଥିବା କୋଡ୍‌ ମାଧ୍ୟମରେ ଚିହ୍ନଟ କରାଯାଇ ଘରକୁ ଚାଲାଣ ପଠାଯାଇହେବ । ସେହିପରି ଏହି ନମ୍ବର ପ୍ଲେଟ୍‌ଧାରୀ କୌଣସି ଗାଡ଼ି ମାଲିକ ଟ୍ୟାକ୍ସ ଫାଙ୍କିପାରିବେ ନାହିଁ ବୋଲି କହିଛନ୍ତି ପରିବହନ ବିଭାଗ ଯୁଗ୍ମ କମିଶନର ।

Comments are closed.