ପଞ୍ଚଭୂତରେ ଲୀନ ହେଲେ କେକେ, ଅଶ୍ରୁଳ ବିଦାୟ ଜଣାଇଲେ ପ୍ରଶଂସକ ଓ ସଂଗୀତ ଜଗତ

ମୁମ୍ବାଇ: ଅନେକ ଶ୍ରୁତି ମଧୁର ଗୀତ ସହ ପ୍ରଶଂସକଙ୍କ ହୃଦୟ ଜିତିଥିବା ପ୍ରସିଦ୍ଧ ଗାୟକ କୃଷ୍ଣକୁମାର କୁନ୍ନାଥ ତଥା କେକେ ପଞ୍ଚଭୂତରେ ଲୀନ ହୋଇଯାଇଛନ୍ତି । ମୁମ୍ବାଇ ଭର୍ସୋଭାସ୍ଥିତ ଶ୍ମଶାନରେ ଗୁରୁବାର କେକେଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି।

ପୁଅ ନକୁଲ କେକେଙ୍କୁ ମୁଖାଗ୍ନି ଦେଇଥିଲେ। ଏହି ସମୟରେ ହଜାର ହଜାର ପ୍ରଶଂସକ ଓ ସଂଗୀତ ଜଗତର ସମସ୍ତ ସେଲିବ୍ରିଟି ଉପସ୍ଥିତ ରହି କେକେଙ୍କୁ ଅଶ୍ରୁଳ ବିଦାୟ ଜଣାଇଥିଲେ। ଏହି ଲୋକପ୍ରିୟ ଗାୟକଙ୍କ ଅନ୍ତିମ ସଂସ୍କାର ବେଳେ ତାଙ୍କର ଅନେକ ସମସାମୟିକ କଣ୍ଠଶିଳ୍ପୀ ଓ ସଂଗୀତକାରଙ୍କ ଆଖିରେ ଲୁହ ଦେଖିବାକୁ ମିଳିଥିଲା।

କୋଲକାତାର ଗୁରୁଦାସ୍ କଲେଜର ନାଜରୁଲ ମଞ୍ଚରେ ମଙ୍ଗଳବାର ଏକ କନସର୍ଟରେ ଲାଇଭ୍ ଶୋ କରୁଥିବା ବେଳେ କେକେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । ତେବେ ସେତେବେଳକୁ ବହୁତ ଡେରି ହୋଇଯାଇଥିଲା। ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। କେକେଙ୍କୁ ୫୩ ବର୍ଷ ହୋଇଥିଲା । ତାଙ୍କର ଅସ୍ବାଭାବିକ ମୃତ୍ୟୁ ହୋଇଛି ବୋଲି ପ୍ରଥମେ କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା । ପୋଲିସ ମଧ୍ୟ ଅସ୍ବାଭାବିକ ମୃତ୍ୟୁ ମାମଲା ରୁଜୁ କରିଥିଲା । ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟରେ କେକେଙ୍କ ମୃତ୍ୟୁ ସ୍ବାଭାବିକ କୁହାଯାଇଛି। ପ୍ରାରମ୍ଭିକ ବ୍ୟବଚ୍ଛେଦ ରିପୋର୍ଟରେ ଏହି ଗାୟକଙ୍କ ମୃତ୍ୟୁ ହୃଦଘାତ ଯୋଗୁଁ ହୋଇଥିବା ସ୍ପଷ୍ଟ କରାଯାଇଛି |

ବୁଧବାର ଶବ ବ୍ୟବଚ୍ଛେଦ ପରେ କେକେଙ୍କ ମୃତଦେହ କୋଲକାତାର ରବୀନ୍ଦ୍ର ସଦନକୁ ଅଣାଯାଇଥିଲା । ସେଠାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ କେତେକଙ୍କ ପରିବାର ଲୋକଙ୍କ ଉପସ୍ଥିତିରେ ପଶ୍ଚିମବଙ୍ଗ ସରକାର ଏହି ଦିବଂଗତ ଗାୟକଙ୍କୁ ତୋପ ସଲାମି ପ୍ରଦାନ କରିଥିଲେ । ଏହାପରେ ଏକ ଫ୍ଲାଇଟରେ ମୃତଦେହ ମୁମ୍ବାଇକୁ ନିଆଯାଇଥିଲା।

Comments are closed.