ଜିଲ୍ଲା ପରିଷଦ ସହ ଡିଆର୍‌ଡିଏର ହେବ ମିଶ୍ରଣ

ଭୁବନେଶ୍ୱର: ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା(ଡିଆର୍‌ଡିଏ)କୁ ଉଚ୍ଛେଦ କରି ଏହାକୁ ଜିଲ୍ଲା ପରିଷଦ ସହ ମିଶ୍ରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏଥିପାଇଁ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଆବଶ୍ୟକ ପ୍ରକ୍ରିୟା ଚୂଡ଼ାନ୍ତ ହୋଇଛି। ଏ ସଂକ୍ରାନ୍ତରେ ବିଭାଗ ପକ୍ଷରୁ ଏକ ସଂକଳ୍ପ ଜାରି ହୋଇଛି । ଡିଆର୍‌ଡିଏ ମିଶ୍ରଣ ପରେ ଜିଲ୍ଲା ପରିଷଦର ରୂପରେଖ କିପରି ହେବ, ସେ ସଂକ୍ରାନ୍ତରେ ସଂକଳ୍ପରେ ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ଏହି ଉଚ୍ଛେଦ ପରେ ଜିଲ୍ଲା ପରିଷଦ ବ୍ୟବସ୍ଥା ଅଧିକ ସଶକ୍ତ ହେବ। ଜିଲ୍ଲାରେ ସମସ୍ତ ବିକାଶମୂଳକ ଯୋଜନାର କାର୍ଯ୍ୟକାରିତା ଓ ତଦାରଖ ଜିଲ୍ଲା ପରିଷଦ ଦ୍ବାରା ଫଳପ୍ରଦ ଭାବେ କରଯାଇପାରିବ ବୋଲି କୁହାଯାଇଛି। ଡିଆର୍‌ଡିଏ ଓ ଜିଲ୍ଲା ପରିଷଦ ମିଶ୍ରଣ ନେଇ ଖୁବ୍ ଶୀଘ୍ର ଗ୍ୟାଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇବ ।

ଡିଆର୍‌ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ପଦବିକୁ ଜିଲ୍ଲା ପରିଷଦରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ପଦବି ଭାବେ ନାମିତ କରାଯିବ। ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଅତିରିକ୍ତ ନିର୍ବାହୀ ଅଧିକାରୀ ଓ ସହାୟକ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଉପ ନିର୍ବାହୀ ଅଧିକାରୀ ଭାବେ ବିବେଚନା କରାଯିବ। ବର୍ତ୍ତମାନ ଡିଆର୍ଡିଏରେ କାମ କରୁଥିବା ସମସ୍ତ ଅଧିକାରୀ ଓ କର୍ମଚାରୀ ଜିଲ୍ଲା ପରିଷଦର କର୍ମଚାରୀ ହେବେ। ମିଶ୍ରଣ ଦିନ ଠାରୁ ଡିଆର୍‌ଡିଏ ର ସମସ୍ତ ପଦବି ଜିଲ୍ଲା ପରିଷଦରେ ସୃଷ୍ଟି କରାଯିବ।

Comments are closed.