ତ୍ବରାନ୍ବିତ ହେବ ରେଶମ ସହରର ଉନ୍ନୟନ ପ୍ରକଳ୍ପ: ବଦଳିବ ବୁଢ଼ି ଠାକୁରାଣୀ ମନ୍ଦିରର ରୂପରେଖ

ବ୍ରହ୍ମପୁର: ମା’ ତାରାତାରିଣୀ ତଥା ରାଜ୍ୟର ଅନ୍ୟ ପ୍ରସିଦ୍ଧ ଶକ୍ତି ପୀଠ ପରେ ଏବେ ବ୍ରହ୍ମପୁର ପ୍ରସିଦ୍ଧ ମା’ ବୁଢ଼ି ଠାକୁରାଣୀଙ୍କ ମନ୍ଦିରର ରୂପରେଖ ବଦଳିବାକୁ ଯାଉଛି। ଏହି ପୁରାତନ ମନ୍ଦିରକୁ ଉନ୍ନତ କରାଯାଇ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ଦିଆଯିବ। ମନ୍ଦିର ଆଖାପାଖରୁ ଜବରଦଖଲ ଉଚ୍ଛେଦ କରି ବିସ୍ତୃତ ସ୍ଥାନରେ ଶ୍ରଦ୍ଧାଳୁଙ୍କ ପାଇଁ ବିଭିନ୍ନ ବ୍ୟବସ୍ଥା କରାଯିବ। ସେହିପରି ବ୍ରହ୍ମପୁର ଉପକଣ୍ଠ ହଳଦିଆପଦରରେ ଶିଳ୍ପ ପ୍ରତିଷ୍ଠାନ ପାଇଁ ଟାୱାର ସ୍ଥାପନ କରାଯିବ ଇଡକୋ ଟାଓ୍ବାର୍। ବରପଲ୍ଲୀ ଠାରେ ଏମ୍ଏସ୍ଏମ୍ଇ ପାର୍କ ପ୍ରତିଷ୍ଠା ହେବ। ସହର ମଧ୍ୟରେ ହେବ ହାଉସିଂ ପ୍ରୋଜେକ୍ଟ, ବହୁ ସ୍ତରୀୟ କାର୍ ପାର୍କିଂ, ନୂଆ ମାର୍କେଟ୍ କମ୍ପ୍ଲେକ୍ସ ଏବଂ ବୋଟିଂ ପାଇଁ ଜେଟି ବ୍ୟବସ୍ଥା। ବ୍ରହ୍ମପୁର ମହାନଗର ନିଗମ, ବିଡିଏ, ଜିଲ୍ଲା ପ୍ରଶାସନ ମିଳିତ ଉଦ୍ୟମରେ ଏସବୁ ବିକାଶମୂଳକ କାର୍ଯ୍ୟ ତ୍ବରାନ୍ବିତ କରାଯିବ ବୋଲି ଧାର୍ଯ୍ୟ ହୋଇଛି।

ବ୍ରହ୍ମପୁରକୁ କେହି ଆସିଲେ ଏଠିକାର ଆରାଧ୍ୟା ମା’ ବୁଢ଼ି ଠାକୁରାଣୀଙ୍କୁ ଦର୍ଶନ କରିବା ଏକରକମ ନିଶ୍ଚିତ। ଦେବୀଙ୍କ ଦ୍ଵିବାର୍ଷିକ ଯାତ୍ରା ବେଶ୍ ପ୍ରସିଦ୍ଧ। ହେଲେ ଏହି ପୀଠର ଆଖିଦୃଶିଆ ଉନ୍ନତି ହୋଇପାରିନି। ବର୍ତ୍ତମାନ ଯେତେବେଳେ ରାଜ୍ୟ ସରକାର ୫-ଟି ଅନ୍ତର୍ଗତ ବିଭିନ୍ନ ଧାର୍ମିକ ପୀଠର ବିକାଶ କରି ତାହାକୁ ପର୍ଯ୍ୟଟନସ୍ଥଳର ରୂପ ଦେଉଛନ୍ତି, ସେତେବେଳେ ନିଜସ୍ୱ ଉଦ୍ୟମରେ ଏହି ମନ୍ଦିରର ବିକାଶ କରିବାକୁ ସ୍ଥାନୀୟ ପ୍ରଶାସନ ଓ ଜନପ୍ରତିନିଧି ମିଳିତ ଭାବେ ଆଗେଇ ଆସିଛନ୍ତି। ବିସ୍ତୃତ ପ୍ରକଳ୍ପ ରିପୋର୍ଟ ଆଧାରରେ ପୀଠର ଉନ୍ନୟନମୂଳକ ପ୍ରକଳ୍ପ ଶୀଘ୍ର କାର୍ଯ୍ୟକାରୀ କରାଯିବ। ଜବରଦଖଲ ଉଚ୍ଛେଦ ସହ ସ୍ଥାନୀୟ ବେପାରୀଙ୍କୁ ଥଇଥାନ କରାଯିବ। ସମସ୍ତଙ୍କ ଉଦ୍ୟମରେ ମନ୍ଦିରର ନବକଳେବର କରାଯିବ। ଏ ସମ୍ପର୍କିତ ଶନିବାର ବିଏମ୍‌ସି ଅଫିସ୍‌ରେ ଏକ ବୈଠକ ହୋଇଥିଲା। ସାଂସଦ ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ କୁମାର ପଣ୍ଡା, ମେୟର ସଂଘମିତ୍ରା ଦଳେଇ, ଡେପୁଟି ମେୟର ଇ.ବିବେକ ରେଡ୍ଡୀଙ୍କ ସମେତ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ବିଏମ୍‌ସି କମିଶନର୍ ଡ. ସିଦ୍ଧେଶ୍ଵର ବଳିରାମ ବୋନ୍ଦାର, ବ୍ରହ୍ମପୁର ଉପଜିଲ୍ଲାପାଳ ଭି.କୀର୍ତ୍ତି ଭାସନ୍ ଓ ପୂର୍ବତନ ବିଧାୟକ ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଉପସ୍ଥିତ ଥିଲେ।

ସେହିପରି ବିଡିଏର ଏକ ବୈଠକରେ ରେଶମ ସହର ଓ ବେଳାଭୂମି ସହରର ବିକାଶ ଯୋଜନା କରାଯାଇଛି। ରାଜ୍ୟ ସରକାରଙ୍କ ଠାରୁ ଡିପିଆର୍ ଅନୁମୋଦିତ ହେବା ପରେ ଆମ୍ବପୁଆ ଠାରେ ୧୨ ଏକର ଜାଗାରେ ମହାନଗରର ସବୁଠାରୁ ବଡ଼ ହାଉସିଂ ପ୍ରୋଜେକ୍ଟ କରିବ ବିଡିଏ। ସହରର କେନ୍ଦ୍ରସ୍ଥଳ ତଥା ମାର୍କେଟ ଅଞ୍ଚଳରେ ପାର୍କିଂ ସମସ୍ୟା ସୁଧାରିବାକୁ ପୁରୁଣା ବସ୍‌ଷ୍ଟାଣ୍ଡରେ ହେବ ମଲ୍ଟି ଲେବଲ୍‌ କାର୍‌ ପାର୍କିଂ ଫ୍ୟାସିଲିଟି। ଗୋକର୍ଣ୍ଣେଶ୍ଵର ମନ୍ଦିର ଓ ପେଣ୍ଡିଗାଡ଼ିଆ ବଜାରରେ ମାର୍କେଟ୍ କମ୍ପ୍ଲେକ୍ସ ଏବଂ ସିଟି ହାଇସ୍କୁଲ ଗ୍ରାଉଣ୍ଡରେ ସ୍ପୋର୍ଟସ୍ କମ୍ପ୍ଲେକ୍ସ କରାଯିବ। ବିଡିଏର ନୂଆ ପ୍ରକଳ୍ପ ମଧ୍ୟରେ ରହିଛି ଲାଞ୍ଜିପଲ୍ଲୀ ନୂଆବନ୍ଧରେ ବୋଟିଂ ପାଇଁ ଜେଟି ସୁବିଧା ଏବଂ ଲାଞ୍ଜିପଲ୍ଲୀ ପାର୍କରେ ସୋଲାର ଲାଇଟ୍ ପ୍ରୋଜେକ୍ଟ। କର୍ପୋରେସନ୍ ସ୍ମାର୍ଟ ରୋଡ୍ କାମ ଦ୍ରୁତଗତିରେ ଆଗେଇ ଚାଲିଛି। ଏହାଦ୍ଵାରା ସ୍ଥାନୀୟ ବାସିନ୍ଦାଙ୍କ ସମେତ ସହରକୁ ବୁଲି ଆସୁଥିବା ଲୋକଙ୍କ ଆମୋଦପ୍ରମୋଦ ହୋଇପାରିବ।

ବିଜୁ ଆଡ୍‌ଭେଞ୍ଚର ପାର୍କ ପରେ ଗୋପାଳପୁରରେ ବିଡିଏ ଦ୍ଵାରା ନିର୍ମିତ ହେବ ଗଞ୍ଜାମ ଜିଲ୍ଲାର ପ୍ରଥମ ୱାଟର ପାର୍କ। ଏଥିପାଇଁ ବିଡିଏ ଦ୍ଵାରା ଡିପିଆର୍ ପ୍ରସ୍ତୁତ ହୋଇସାରିଛି। ରାଜ୍ୟ ସରକାରଙ୍କ ନଗର ଓ ଗୃହ ଉନ୍ନୟନ ବିଭାଗ ପ୍ରଦତ୍ତ ୭୫ ଲକ୍ଷ ଟଙ୍କାରେ ଗୋପାଳପୁର ଏନ୍‌ଏସିରେ ଚାଲିଛି ସ୍ମାର୍ଟ ପାର୍କ ନିର୍ମାଣ। ବ୍ରହ୍ମପୁର- ଗୋପାଳପୁର ସାଢ଼େ ୭ କିମି ରାସ୍ତାରେ ଷ୍ଟ୍ରିଟ୍ ଲାଇଟ୍ ପ୍ରକଳ୍ପ ୨ ମାସ ମଧ୍ୟରେ ସମ୍ପୂର୍ଣ୍ଣ ହେବ। ଏହି ବୈଠକରେ ବ୍ରହ୍ମପୁର ସାଂସଦ ଓ ବିଧାୟକଙ୍କ ସମେତ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ବ୍ରହ୍ମପୁର ମେୟର୍ ଓ ଡେପୁଟି ମେୟର୍, ଗୋପାଳପୁର ଏନ୍ଏସି ଅଧ୍ୟକ୍ଷ ଏ.ଜାନକୀ ରାଓ , ଛତ୍ରପୁର ଏନ୍ଏସି ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ ଉପସ୍ଥିତ ଥିଲେ। ବିଏମ୍‌ସି କମିଶନର, ବ୍ରହ୍ମପୁର ଉପଜିଲ୍ଲାପାଳ ଉପସ୍ଥିତ ଥିଲେ।

ଜିଲ୍ଲାର ଶିଳ୍ପାନୁଷ୍ଠାନଗୁଡିକର କର୍ପୋରେଟ୍ ଅଫିସ୍ ପାଇଁ ବ୍ରହ୍ମପୁର ନିକଟ ହଳଦିଆପଦର ବସ୍ ଟର୍ମିନାଲ ସମ୍ମୁଖରେ ୨ ଏକର ଜମିରେ ୨୦୨୪ ସୁଦ୍ଧା ଇଡ୍‌କୋ ଟାୱାର୍ ସ୍ଥାପନ କରାଯିବ। କୁକୁଡାଖଣ୍ଡି ବ୍ଲକ୍ ବରପଲ୍ଲୀ ଠାରେ ୬୦ ଏକର ଜମିରେ ଏମ୍ଏସ୍ଏମ୍ଇ ପାର୍କ ପ୍ରତିଷ୍ଠା ହେବ। କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଉଦ୍ୟୋଗକୁ ଏହା ବେଶ୍ ସହାୟକ ହେବ। ଶନିବାର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏ ସମ୍ପର୍କରେ ଆୟୋଜିତ ବୈଠକରେ ଜିଲ୍ଲାପାଳଙ୍କ ସମେତ ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ସିନ୍ଦେ ଦତ୍ତାତ୍ରୟ ଭାଉସାହେବ ଉପସ୍ଥିତ ଥିଲେ। ମୋଟାମୋଟି ଭାବେ ଆଗାମୀ କିଛି ସମୟ ମଧ୍ୟରେ ବ୍ରହ୍ମପୁର ଓ ସହର ଉପକଣ୍ଠ କିଛି ସ୍ଥାନରେ ଅନେକ ଉନ୍ନୟନମୂଳକ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇ ଜନସାଧାରଣଙ୍କୁ ଅଧିକ ଉପକୃତ କରାଇ ପାରିବ ବୋଲି ଯୋଜନା ହୋଇଛି।

Comments are closed.