ପ୍ରଫେଟ୍ ମହମ୍ମଦଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ: ନୁପୂର ଶର୍ମା, ନବୀନ ଜିନ୍ଦଲ ବିଜେପିରୁ ନିଲମ୍ବିତ

ନୂଆଦିଲ୍ଲୀ: ପ୍ରଫେଟ୍ ମହମ୍ମଦଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ନେଇ ବିବାଦ ପରେ ଶେଷରେ ବିଜେପି ହାଇକମାଣ୍ଡ ଜାତୀୟ ମୁଖପାତ୍ର ନୁପୂର ଶର୍ମାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି । ନୁପୂରଙ୍କୁ ଦଳର ପ୍ରାଥମିକ ସଦସ୍ୟତାରୁ ୬ ବର୍ଷ ପାଇଁ ନିଲମ୍ବିତ କରାଯାଇଛି। ଦିଲ୍ଲୀ ବିଜେପିର ମିଡିଆ ମୁଖ୍ୟ ନବୀନ କୁମାର ଜିନ୍ଦଲଙ୍କୁ ମଧ୍ୟ ଦଳରୁ ସସପେଣ୍ଡ କରାଯାଇଛି ।

ଏହାପୂର୍ବରୁ ବିଜେପି ଏକ ବିବୃତି ଜାରି କରି ମହମ୍ମଦଙ୍କ ଉପରେ ନୁପୂର ଶର୍ମାଙ୍କ ବିବାଦୀୟ ମନ୍ତବ୍ୟରୁ ନିଜକୁ ଦୂରେଇ ରଖିଥିଲା । ବିଜେପି ସାଧାରଣ ସମ୍ପାଦକ ଅରୁଣ ସିଂ ଏକ ପ୍ରେସ ବିବୃତିରେ କହିଥିଲେ ଯେ ତାଙ୍କ ଦଳ ଏପରି କୌଣସି ଆଦର୍ଶକୁ ଗ୍ରହଣ କରେନି ଯାହା ଯାହା କୌଣସି ଧର୍ମ କିମ୍ବା ସମ୍ପ୍ରଦାୟର ଭାବନାକୁ ଆଘାତ ଦେଇଥାଏ । ବିଜେପି ସବୁ ଧର୍ମ ଓ ବିଶ୍ୱାସକୁ ସମ୍ମାନ ଦିଏ ।

ନିକଟରେ ଏକ ନ୍ୟୁଜ ଚ୍ୟାନେଲର କାର୍ଯ୍ୟକ୍ରମରେ ନୁପୂର ପ୍ରଫେଟ ମହମ୍ମଦଙ୍କୁ ନେଇ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ । ତାଙ୍କର ଏହି ମନ୍ତବ୍ୟ ଯୋଗୁଁ ବଡ଼ ବିବାଦ ସୃଷ୍ଟି ହୋଇଥିଲା। ନୁପୂରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ବିଜେପି ଉପରେ ଚାପ ପଡ଼ିଥିଲା। ନବୀନ ଜିନ୍ଦଲ ମଧ୍ୟ ମହମ୍ମଦଙ୍କ ଉପରେ ଏକ ବିବାଦୀୟ ଟ୍ବିଟ୍ କରିଥିଲେ ।

ମହମ୍ମଦଙ୍କ ଉପରେ ନୁପୂରଙ୍କ ମନ୍ତବ୍ୟକୁ ନେଇ ନିକଟରେ ଉତ୍ତର ପ୍ରଦେଶର କାନପୁରରେ ସାମ୍ପ୍ରଦାୟିକ ହିଂସାକାଣ୍ଡ ଘଟିଥିଲା। ଏଥିରେ ୨୦ ପୋଲିସଙ୍କ ସହ ୪୦ ଜଣ ଆହତ ହୋଇଥିଲେ ।

Comments are closed.