ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ: ଜୋ ରୁଟ୍ ନମ୍ବର ଓ୍ବାନ ବ୍ୟାଟ୍ସମ୍ୟାନ୍

ଦୁବାଇ: ସଦ୍ୟ ପ୍ରକାଶିତ ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗରେ ଇଂଲଣ୍ଡର ଷ୍ଟାର୍ ବ୍ୟାଟ୍ସମ୍ୟାନ ଜୋ ରୁଟ୍ ଏକ ନମ୍ବର ସ୍ଥାନ ହାସଲ କରିଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚରେ ରୁଟ୍ ଶତକ ହାସଲ କରିଥିଲେ । ତାଙ୍କର ଏହି ଜବରଦସ୍ତ ପ୍ରଦର୍ଶନ ଯୋଗୁଁ ସେ ଅଷ୍ଟ୍ରେଲିଆର ମାର୍କସ ଲାବୁସେନଙ୍କୁ ହଟା ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି । ଲାବୁସେନ ଦ୍ୱିତୀୟ ସ୍ଥାନକୁ ଖସି ଆସିଛନ୍ତି | ଷ୍ଟିଭ୍ ସ୍ମିଥ୍ ତିନି ନମ୍ବର ସ୍ଥାନରେ ଥିବା ବେଳେ ପାକିସ୍ତାନ ଅଧିନାୟକ ବାବର ଆଜାମ ୪ ନମ୍ବରରେ ଅଛନ୍ତି | ଏହାଛଡ଼ା କେନ୍ ୱିଲିୟମ୍ସନ୍ ପାଞ୍ଚ ନମ୍ବରରେ ରହିଛନ୍ତି | ଶ୍ରେଷ୍ଠ ୧୦ରେ ଭାରତର ଦୁଇଜଣ ବ୍ୟାଟ୍ସମ୍ୟାନ୍ ଅଛନ୍ତି। ରୋହିତ ଶର୍ମା ଅଷ୍ଟମ ସ୍ଥାନରେ ଏବଂ କୋହଲି ୧୦ ନମ୍ବରରେ ଅଛନ୍ତି |

ଟେଷ୍ଟ ବୋଲିଂ ର଼୍ୟାଙ୍କିଙ୍ଗ୍ ବିଷୟରେ କହିବାକୁ ଗଲେ, ଅଷ୍ଟ୍ରେଲୀୟ ଅଧିନାୟକ ପ୍ୟାଟ୍ କମିନ୍ସ ଏକ ନମ୍ବର ସ୍ଥାନରେ ସ୍ଥିର ରହିଛନ୍ତି | ପାକିସ୍ତାନର ଶାହିନ୍ ଆଫ୍ରିଦି ଚତୁର୍ଥ ସ୍ଥାନରେ ଅଛନ୍ତି । ଅଲରାଉଣ୍ଡର ଟେଷ୍ଟ ମାନ୍ୟତାରେ ଜାଡେଜା ନମ୍ବର ଓ୍ବାନ ରହିଛନ୍ତି। ଜାଡେଜାଙ୍କ ପଛକୁ ସାଥୀ ଖେଳାଳି ଅଶ୍ୱିନ୍ ଦ୍ବିତୀୟ ସ୍ଥାନରେ ଥିବା ବେଳେ ୱେଷ୍ଟଇଣ୍ଡିଜର ଜେସନ୍ ହୋଲ୍ଡର୍ ତିନି ନମ୍ବରରେ ଅଛନ୍ତି | ବାଂଲାଦେଶର ଶାକିବ ଅଲ ହାସନ ୪ ନମ୍ବରରେ ଅଛନ୍ତି।

ଦିନିକିଆ ର଼୍ୟାଙ୍କିଙ୍ଗରେ ବାବର ଆଜମ ଏକ ନମ୍ବର ସ୍ଥାନ ବଜାୟ ରଖିଛନ୍ତି | ନିକଟରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ସିରିଜରେ ବାବର ଚମତ୍କାର ପ୍ରଦର୍ଶନ କରିଥିଲେ | ଏହା ବ୍ୟତୀତ ପାକିସ୍ତାନର ଇମାମ-ଉଲ-ହକ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଦିନିକିଆରେ ଇମାମଙ୍କ ପ୍ରଦର୍ଶନ ମଧ୍ୟ ଭଲ ଥିଲା । ଭାରତର ଷ୍ଟାର୍ ବ୍ୟାଟ୍ସମ୍ୟାନ ବିରାଟ କୋହଲି ତୃତୀୟ ସ୍ଥାନରେ ଥିବାବେଳେ ରୋହିତ ଶର୍ମା ୪ ନମ୍ବରରେ ଅଛନ୍ତି। ଦିନିକିଆ ର଼୍ୟାଙ୍କିଙ୍ଗରେ କେବଳ ରୋହିତ ଓ କୋହଲି ଶ୍ରେଷ୍ଠ ୧୦ରେ ସ୍ଥାନ ପାଇବାକୁ ସକ୍ଷମ ହୋଇଛନ୍ତି।

Comments are closed.