ଆଜି ବେଙ୍ଗାଲୁରୁରେ ପଞ୍ଚମ ଟି-୨୦: ସିରିଜ୍ ବିଜୟ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ବେଙ୍ଗାଲୁରୁ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ସିରିଜ୍ ନିର୍ଣ୍ଣାୟକ ପଞ୍ଚମ ଟି୨୦ ରବିବାର ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯିବ । ପ୍ରଥମ ଦୁଇଟି ମ୍ୟାଚ୍ ହାରିବା ପରେ ଲଢୁଆ ପ୍ରତ୍ୟାବର୍ତ୍ତନ ସହ ସିରିଜକୁ ସମାନ ସ୍ତରକୁ ଆଣିଥିବା ଯୁବ ଭାରତୀୟ ଦଳ ଜୟଯାତ୍ରା ଜାରି ରଖି ସିରିଜ୍ ଜିତିବାକୁ ଯଥାସମ୍ଭବ ଉଦ୍ୟମ କରିବ । ଗତ ଦୁଇଟି ମ୍ୟାଚରେ ଦଳର ପ୍ରଦର୍ଶନ ଦୃଷ୍ଟିରୁ ଭାରତ ପଞ୍ଚମ ଟି୨୦ରେ ଫେଭରିଟ୍ ଭାବେ ବିବେଚିତ ହେଉଛି ।

ମାତ୍ର ୮ ଦିନର ବ୍ୟବଧାନରେ ଭାରତୀୟ ଦଳ ୪ଟି ମ୍ୟାଚ୍ ଖେଳିଛି । ଏହି ଚାରିଟି ମ୍ୟାଚରେ ଭାରତ ସମାନ ଏକାଦଶ ସହ ପଡ଼ିଆକୁ ଓହ୍ଲାଇଥିବା ବେଳେ କ୍ରମାଗତ ପରାଜୟରୁ ଲାଗ ଲାଗ ବିଜୟ ସହ ସିରିଜ୍ ହାତେଇବା ଆଶା ଉଜ୍ଜଳ କରିଛି । ପ୍ରଥମ ଦୁଇଟି ମ୍ୟାଚରେ ରିଷଭ ପନ୍ତଙ୍କ ଦଳ ଦିଗହରା ମନେ ହୋଇଥିଲା । ହେଲେ ପରବର୍ତ୍ତୀ ଦୁଇଟି ମ୍ୟାଚରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସର୍ବାଧିକ ବିଜୟ ବ୍ୟବଧାନରେ ନିଜ ରେକର୍ଡ ହିଁ ଭାଙ୍ଗିଛି । ତୃତୀୟ ମ୍ୟାଚରେ ୪୭ ରନରେ ଜିତିବା ପରେ ଭାରତ ଚତୁର୍ଥ ମ୍ୟାଚରେ ଆଉ ପାଦେ ଆଗେଇ ୮୨ ରନରେ ବିଜୟ ହାସଲ କରିଥିଲା, ଯାହା ଏହି ଫର୍ମାଟରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦଳର ସର୍ବବୃହତ ବିଜୟ ବ୍ୟବଧାନ (ରନରେ) ।

ଭେଟେରାନ ଦିନେଶ କାର୍ତ୍ତିକଙ୍କ ଠାରୁ ଯାହା ଆଶା କରାଯାଉଥିଲା, ତାହା ସେ କରିଛନ୍ତି । ଦୁଇ ଯୁବ ଦ୍ରୁତ ବୋଲର ହର୍ଷଲ ପଟେଲ ଓ ଅବେଶ ଖାନ ମଧ୍ୟ ପ୍ରଶଂସନୀୟ ପ୍ରଦର୍ଶନ କରିଛନ୍ତି । ବେଙ୍ଗାଲୁରୁରେ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କ ଠାରୁ କିଛି ମ୍ୟାଜିକର ଆଶା କରାଯାଉଛି । ନିଜ ପୁରୁଣା ଆଇପିଏଲ୍ ହୋମ୍ ଗ୍ରାଉଣ୍ଡରେ ଚହଲ କମାଲ କରିବେ ବୋଲି ପ୍ରଶଂସକ ଓ ଟିମ୍ ମ୍ୟାନେଜମେଣ୍ଟ ଆଶା ବାନ୍ଧିଛନ୍ତି ।

ପ୍ରଥମ ଦୁଇଟି ମ୍ୟାଚରେ ଯେଉଁ ଭାରତୀୟ ଦଳ ଅସଜଡ଼ା ଓ ଅପ୍ରସ୍ତୁତ ମନେ ହେଉଥିଲା, ଏବେ ସେହି ଦଳ ହଠାତ ଫେଭରିଟ୍ ଭାବେ ବିବେଚିତ ହେଉଛି । ଦକ୍ଷିଣ ଆଫ୍ରିକା ଲୟ ହରାଇଥିବା ବେଳେ ଭାରତ ପାଖରେ ଆଫ୍ରିକୀୟ ଦଳ ବିପକ୍ଷରେ ପ୍ରଥମ ଥର ଘରୋଇ ମାଟିରେ ଟି୨୦ ସିରିଜ୍ ଜିତିବା ସୁଯୋଗ ରହିଛି ।

ରାଜକୋଟରେ ଅନୁଷ୍ଠିତ ଚତୁର୍ଥ ଟି୨୦ରେ ଦକ୍ଷିଣ ଆଫ୍ରିିକା ଅଧିନାୟକ ତେମ୍ବା ବାଭୁମା ଆହତ ହୋଇ ରିଟାୟର ହର୍ଟ ହୋଇଥିଲେ । ସେ ଆଉ ବ୍ୟାଟିଂ କରିବାକୁ ଫେରିନଥିଲେ । ଯଦି ସେ ସିରିଜ୍ ନିର୍ଣ୍ଣାୟକ ପଞ୍ଚମ ମ୍ୟାଚ୍ ପାଇଁ ଉପଲବ୍ଧ ନ ହୁଅନ୍ତି, ତେବେ ଦକ୍ଷିଣ ଆଫ୍ରିକାର ସମସ୍ୟା ବଢିବ । ଗତ ଦୁଇଟି ମ୍ୟାଚରେ ଦକ୍ଷିଣ ଆଫ୍ରିକା ବ୍ୟାଟ୍‌ସମ୍ୟାନ୍ ସଂଘର୍ଷ କରିଥିବା ଲକ୍ଷ୍ୟ କରାଯାଇଛି । ବିଶେଷକରି ସାମାନ୍ୟ କଷ୍ଟକର ପିଚରେ ଦକ୍ଷିଣ ଆଫ୍ରିକା ବ୍ୟାଟରଙ୍କ ଦୁର୍ବଳତା ପଦାରେ ପଡ଼ିଛି ।

ବୋଲିଂ ବିଭାଗରେ ଭୁବନେଶ୍ୱର କୁମାର ପୁଣିଥରେ ନିଜ ସୁଇଂ ସହ ନିୟମିତ ସଫଳତା ଦେଇଛନ୍ତି । ପ୍ରଥମ ଦୁଇଟି ମ୍ୟାଚରେ ବିଫଳ ହେବା ପରେ ଯୁବ ପେସର ଅବେଶ ଖାନ ତାଙ୍କ ଦକ୍ଷତାର ପ୍ରମାଣ ଦେଇଛନ୍ତି । ରାଜକୋଟରେ ସେ ୧୮ ରନ୍ ଦେଇ ୪ଟି ୱିକେଟ୍ ହାସଲ କରିଥିଲେ । ତାଙ୍କ ପାଖରେ ବାଉନ୍ସ ସହ ପେସ୍ ବି ଅଛି । ଟି୨୦ ବିଶ୍ୱକପ ପାଇଁ ସେ ଭାରତୀୟ ବୋଲିଂ ଆକ୍ରମଣର ଅନ୍ୟତମ ସଦସ୍ୟ ହୋଇପାରନ୍ତି । ସ୍ପିନ୍ ଯୋଡ଼ି ଅକ୍ଷର ପଟେଲ ଓ ଚହଲ ଆଶାନୁରୂପ ସଫଳତା ହାସଲ କରିପାରି ନାହାନ୍ତି । ବେଙ୍ଗାଲୁରୁରେ ଏହି ଦୁଇ ସ୍ପିନରଙ୍କ ଠାରୁ ଉନ୍ନତ ପ୍ରଦର୍ଶନ ଆଶା କରାଯାଉଛି ।

Comments are closed.