ନ୍ୟାସନାଲ ହେରାଲ୍ଡ ମାମଲାରେ ଆଜି ଚତୁର୍ଥ ଥର ଇଡିରେ ହାଜର ହେବେ ରାହୁଲ

ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ମାମଲାରେ ଆଜି ଚତୁର୍ଥ ରାଉଣ୍ଡ ଜେରା ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣି ଥରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ରେ ହାଜର ହେବେ। ଏହାପୂର୍ବରୁ ରାହୁଲ ଗାନ୍ଧୀ ଲଗାତାର ତିନି ଦିନ ଇଡିରେ ହାଜର ହୋଇ ନିଜର ବୟାନ ରେକର୍ଡ କରାଇଥିଲେ ।

ରାହୁଲ ଗାନ୍ଧୀଙ୍କୁ ଇଡି ଜେରାକୁ ନେଇ କଂଗ୍ରେସ ତୀବ୍ର ବିରୋଧ କରିଆସିଛି । କଂଗ୍ରେସ କହିଛି ଯେ କେନ୍ଦ୍ର ସରକାରଙ୍କ ବିରୋଧରେ ସାରା ଦେଶରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରାଯିବ। ରାହୁଲଙ୍କୁ ଇଡିର ଜେରା ଆକ୍ରୋଶମୂଳକ ରାଜନୀତି ବୋଲି କଂଗ୍ରେସ କହିଛି।

ଏହାପୂର୍ବରୁ କଂଗ୍ରେସର ବିରୋଧ ମଧ୍ୟରେ ଇଡି ରାହୁଲ ଗାନ୍ଧୀଙ୍କୁ ଜୁନ୍ ୧୩ ରୁ ୧୫ ପର୍ଯ୍ୟନ୍ତ ଦିଲ୍ଲୀରେ ଲଗାତାର ତିନି ଦିନ ପଚରାଉଚରା କରିଥିଲା। ଜୁନ୍ ୧୭ରେ ମଧ୍ୟ ରାହୁଲ ଗାନ୍ଧୀଙ୍କୁ ପୁଣି ହାଜର ହେବାକୁ ଇଡି ନିର୍ଦ୍ଦେଶ ଦେଇଥିଲା। ହେଲେ ରାହୁଲ ତାଙ୍କ ମା ତଥା ଦଳର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଅସୁସ୍ଥତା ଦର୍ଶାଇ ଜୁନ୍ ୧୭ ରୁ ଜୁନ୍ ୨୦ ପର୍ଯ୍ୟନ୍ତ ପଚରାଉଚରା ସ୍ଥଗିତ ରଖିବାକୁ ଇଡିକୁ ଅନୁରୋଧ କରିଥିଲେ। ରାହୁଲଙ୍କ ଏହି ଅନୁରୋଧ ଗ୍ରହଣ କରି ଇଡି ତାଙ୍କୁ ତିନି ଦିନର ବିରତି ଦେଇଥିଲା ।

Comments are closed.