ଆଜି ଅନ୍ତର୍ଜାତୀୟ ଯୋଗ ଦିବସ, ମହୀଶୂର ପ୍ୟାଲେସ ଗ୍ରାଉଣ୍ଡରେ ଯୋଗାଭ୍ୟାସ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଆଜି ହେଉଛି ଆନ୍ତର୍ଜାତୀୟ ଯୋଗ ଦିବସ | ଏହି ଅବସରରେ ଦେଶ ବିଦେଶରେ ଲୋକମାନେ ଯୋଗ ମାଧ୍ୟମରେ ସୁସ୍ଥ ରହିବାର ବାର୍ତ୍ତା ଦେଉଛନ୍ତି। ଏଥର ଅନ୍ତର୍ଜାତୀୟ ଯୋଗ ଦିବସର ଥିମ୍ ରହିଛି ‘ମାନବିକତା ପାଇଁ ଯୋଗ’ । ଆଜି ଅଷ୍ଟମ ଅନ୍ତର୍ଜାତୀୟ ଯୋଗ ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ଣ୍ଣାଟକର ମହୀଶୂର ପ୍ୟାଲେସ ଗ୍ରାଉଣ୍ଡରେ ୧୫,୦୦୦ ଲୋକଙ୍କ ଗହଣରେ ଯୋଗାଭ୍ୟାସ କରିଛନ୍ତି | ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କେନ୍ଦ୍ର ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ମଧ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ସମଗ୍ର ବିଶ୍ୱରେ ଲୋକମାନେ ସୂର୍ଯ୍ୟୋଦୟ ସହିତ ଯୋଗ ସହ ଜଡିତ ହେଉଛନ୍ତି। ଯୋଗ ସହିତ ଆମର ଦିନ ଆରମ୍ଭ କରିବା ଅପେକ୍ଷା ଆଉ କ’ଣ ବା ଭଲ ମାଧ୍ୟମ ହୋଇପାରେ? ଯୋଗ ସହିତ ଜଡିତ ଅସୀମ ସମ୍ଭାବନାକୁ ଆମେ ସାକାର କରିବା ଉଚିତ ।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଭାରତର ଆଧ୍ୟାତ୍ମିକ କେନ୍ଦ୍ର ଦ୍ୱାରା ଶହ ଶହ ବର୍ଷ ଧରି ସଞ୍ଚିତ ଯୋଗଶକ୍ତି ଆଜି ବିଶ୍ୱ ସ୍ୱାସ୍ଥ୍ୟକୁ ଦିଗ ଦେଖାଉଛି। ଆଜି ଯୋଗ ବିଶ୍ୱସ୍ତରୀୟ ସହଯୋଗ ପାଇଁ ପାରସ୍ପରିକ ଭିତ୍ତିଭୂମି ପାଲଟିଛି | ଆଜି ଯୋଗ ମଣିଷକୁ ସୁସ୍ଥ ଜୀବନର ଭରସା ଦେଉଛି |

କରୋନା ମହାମାରୀ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦ୍ୱୀପ, ମହାଦ୍ବୀପର ସୀମା ଡେଇଁ ଯୋଗ ଏବେ ଏକ ବିଶ୍ୱସ୍ତରୀୟ ପର୍ବରେ ପରିଣତ ହୋଇଛି। ସେ କହିଛନ୍ତି ଯେ ଯୋଗ କୌଣସି ବ୍ୟକ୍ତିବିଶେଷଙ୍କ ପାଇଁ ନୁହେଁ ବରଂ ସମଗ୍ର ମାନବିକତା ପାଇଁ ଅଟେ। ସେ କହିଛନ୍ତି ଯେ ଯୋଗ କେବଳ ଜୀବନର ଏକ ଅଂଶ ନୁହେଁ ବରଂ ଜୀବନଶୈଳୀ ପାଲଟିଛି।

Comments are closed.