ମହାରାଷ୍ଟ୍ର ସଙ୍କଟ: ସିନ୍ଦେ ଗୋଷ୍ଠୀର ପିଟିସନ ଉପରେ ମହାରାଷ୍ଟ୍ର ଉପବାଚସ୍ପତିଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍

ନୂଆଦିଲ୍ଲୀ:ଏକନାଥ ସିନ୍ଦେ ଏବଂ ଅନ୍ୟ ବିଦ୍ରୋହୀ ବିଧାୟକଙ୍କ ପିଟିସନ ଉପରେ ସୁପ୍ରିମକୋର୍ଟ ସୋମବାର ମହାରାଷ୍ଟ୍ର ବିଧାନସଭାର ଉପବାଚସ୍ପତି ନରହରି ଜିରଓ୍ବାଲ, ଶିବସେନା ସରକାରୀ ମୁଖ୍ୟ ସଚେତକ ସୁନୀଲ ପ୍ରଭୁ ଓ ନୂଆ ବିଧାୟକ ଦଳର ନେତା ଅଜୟ ଚୌଧୁରୀଙ୍କୁ ନୋଟିସ ଜାରି କରିଛନ୍ତି ।

ପାଞ୍ଚ ଦିନ ମଧ୍ୟରେ ଜବାବୀ ସତ୍ୟପାଠ ଦାଖଲ କରିବାକୁ ସୁପ୍ରିମକୋର୍ଟ ସମସ୍ତ ପକ୍ଷଙ୍କୁ କହିଛନ୍ତି। ଜବାବୀ ସତ୍ୟପାଠରେ ତାଙ୍କ ପକ୍ଷ ଉପସ୍ଥାପନ କରିବାକୁ ଏକନାଥ ସିନ୍ଦେଙ୍କ କ୍ୟାମ୍ପକୁ ତିନି ଦିନ ସମୟ ଦିଆଯାଇଛି।

ଏହା ସହିତ ସୁପ୍ରିମକୋର୍ଟ ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଜୁଲାଇ ୧୧କୁ ଦିନ ଧାର୍ଯ୍ୟ କରିଛନ୍ତି। ସେ ପର୍ଯ୍ୟନ୍ତ ବିଦ୍ରୋହ ବିଧାୟକଙ୍କ ବିରୋଧରେ ମହାରାଷ୍ଟ୍ର ଉପବାଚସ୍ପତି କୌଣସି କାର୍ଯ୍ୟାନୁଷ୍ଠାନ ନେଇପାରିବେ ନାହିଁ ।

ଏକନାଥ ସିନ୍ଦେ ଏବଂ ଅନ୍ୟ ଅସନ୍ତୁଷ୍ଟ ବିଧାୟକମାନେ ସେମାନଙ୍କୁ ଅଯୋଗ୍ୟ ଘୋଷଣା କରାଯିବା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିଲେ । ଏହାଛଡ଼ା ସେମାନଙ୍କୁ ସୁରକ୍ଷା ଦାବି କରିଥିଲେ ।

ଉପ ବାଚସ୍ପତି ନରହରୀ ଜିରାୱାଲ ସିନ୍ଦେ ଓ ଅନ୍ୟ ୧୫ ଜଣ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରି ନୋଟିସ ଦେଇଥିଲେ। ସେମାନଙ୍କୁ ଆଜି ସନ୍ଧ୍ୟା ସୁଦ୍ଧା ଜବାବ ଦାଖଲ କରିବାକୁ କୁହାଯାଇଥିଲା । ହେଲେ ସୁପ୍ରିମକୋର୍ଟ ଉପବାଚସ୍ପତିଙ୍କ ଏହି ପ୍ରକ୍ରିୟାକୁ ଜୁଲାଇ ୧୧ ଯାଏଁ ସ୍ଥଗିତ ରଖିଛନ୍ତି ।

ଆବେଦନକାରୀଙ୍କ ତରଫରୁ ହାଜର ହୋଇଥିବା ବରିଷ୍ଠ ଓକିଲ ନୀରଜ କିଶନ କୌଲ୍ କୋର୍ଟରେ ଯୁକ୍ତି ବାଢ଼ିଛନ୍ତି ଯେ ଯେତେବେଳେ ସେମାନଙ୍କୁ ହଟାଇବା ପ୍ରସ୍ତାବ ବିଚାରାଧୀନ ଅଛି, ଉପବାଚସ୍ପତି ଅଯୋଗ୍ୟ ଘୋଷଣା ପ୍ରକ୍ରିୟା ଜାରି ରଖିପାରିବେ ନାହିଁ।

ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ ଆବେଦନକାରୀଙ୍କୁ କାହିଁକି ଆପଣ ହାଇକୋର୍ଟକୁ ଗଲନାହିଁ ବୋଲି ପଚାରିଥିଲେ ।

ଉତ୍ତରରେ ବିଦ୍ରୋହୀ ବିଧାୟକଙ୍କ ଓକିଲ କହିଥିଲେ ଯେ ମୁମ୍ବାଇରେ ସେମାନଙ୍କର ଅଧିକାରର ସାବ୍ୟସ୍ତ କରିବା ପାଇଁ ପରିବେଶ ଅନୁକୂଳ ନୁହେଁ। ସେ ଏ ସଂପର୍କରେ ସଞ୍ଜୟ ରାଉତଙ୍କ ଏକ ବୟାନକୁ ମଧ୍ୟ ଉଲ୍ଲେଖ କରିଥିଲେ ।

ଏହି ସମୟରେ ସିନ୍ଦେ ଗୋଷ୍ଠୀ ପକ୍ଷରୁ ହାଜର ହୋଇଥିବା ଓକିଲ ନୀରଜ କିଶନ କୌଲ୍ ତାଙ୍କ ଯୁକ୍ତିରେ କହିଥିଲେ ଯେ ବିଧାୟକଙ୍କ ଘର ଉପରେ ଆକ୍ରମଣ କରାଯାଉଛି । ସେମାନଙ୍କର ସମ୍ପତ୍ତି ନଷ୍ଟ ହେଉଛି

୨୦୧୯ରେ ସିନ୍ଦେ ଶିବସେନା ବିଧାୟକ ଦଳର ନେତା ଭାବେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିଲେ। ବର୍ତ୍ତମାନ ୪୦ ଜଣ ବିଧାୟକ ତାଙ୍କ ସହ ଥିବାରୁ ସେମାନେ ଏକନାଥ ସିନ୍ଦେଙ୍କୁ ତାଙ୍କ ଦଳର ନେତା ଭାବରେ ବାଛିଛନ୍ତି।

ଏକନାଥ ସିନ୍ଦେ ତାଙ୍କ ପିଟିସନରେ ଦାବି କରିଛନ୍ତି ଯେ ବର୍ତ୍ତମାନର ସରକାର ସଂଖ୍ୟାଲଘୁରେ‌ ପରିଣତ ହୋଇଯାଇଛି । କାରଣ ୩୮ ଟ ଜଣ ଶିବସେନା ବିଧାୟକ ମହା ବିକାଶ ଆଘାଡି (ଏମଭିଏ) ସରକାରରୁ ସମର୍ଥନ ପ୍ରତ୍ୟାହାର କରି ନେଇଛନ୍ତି।

Comments are closed.