ରାଷ୍ଟ୍ରପତି ନିର୍ବାଚନ: ନାମାଙ୍କନ ଦାଖଲ କଲେ ଯଶଓ୍ବନ୍ତ ସିହ୍ନା

ନୂଆଦିଲ୍ଲୀ: ରାଷ୍ଟ୍ରପତି ପଦ ପାଇଁ ଯଶଓ୍ବନ୍ତ ସିହ୍ନା ସୋମବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଯଶୱନ୍ତ ସିହ୍ନା ବିରୋଧୀ ମେଣ୍ଟର ମିଳିତ ପ୍ରାର୍ଥୀ ଅଟନ୍ତି। ଯଶଓ୍ବନ୍ତ ସିହ୍ନାଙ୍କ ନାମାଙ୍କନ ପତ୍ର ଦାଖଲ ବେଳେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ, ଏନସିପି ମୁଖ୍ୟ ଶରଦ ପାୱାର, ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ଏବଂ ନ୍ୟାସନାଲ କନଫରେନ୍ସ ସଭାପତି ଫାରୁକ୍ ଅବଦୁଲ୍ଲା ମଧ୍ୟ ଉପସ୍ଥିତ ଥିଲେ। ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ମଧ୍ୟ ଯଶୱନ୍ତ ସିହ୍ନାଙ୍କୁ ସମର୍ଥନ କରିବା କଥା କହିଛନ୍ତି।

ମମତା ବାନାର୍ଜୀଙ୍କ ଉଦ୍ୟମରେ ତାଙ୍କୁ ପ୍ରାୟ ୧୭ଟି ବିରୋଧୀ ଦଳର ବୈଠକରେ ପ୍ରାର୍ଥୀ କରାଯାଇଥିଲା। ଯଶଓ୍ବନ୍ତ ସିହ୍ନା ତୃଣମୂଳ କଂଗ୍ରେସର ଉପାଧ୍ୟକ୍ଷ ଥିଲେ। ତେବେ ବିରୋଧୀ ମେଣ୍ଟର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ମନୋନୀତ ହେବା ପୂର୍ବରୁ ସେ ତୃଣମୂଳ କଂଗ୍ରେସରୁ ଇସ୍ତଫା ଦେଇଥିଲେ ।

ଶାସକ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଏନ୍ସ (ଏନଡିଏ) ଦ୍ରୌପଦୀ ମୁର୍ମୁଙ୍କୁ ଏହାର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ନାମିତ କରିଛି। ସେ ଗତ ସପ୍ତାହରେ ତାଙ୍କ ନାମାଙ୍କନପତ୍ର ଦାଖଲ କରିଥିଲେ। ତାଙ୍କ ନାମାଙ୍କନ ପତ୍ର ଦାଖଲ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଅନେକ ମନ୍ତ୍ରୀ ଓ ନେତା ଉପସ୍ଥିତ ଥିଲେ।

Comments are closed.